ମହରମ୍ ଶୋଭାଯାତ୍ରାରେ ବିଷାକ୍ତ କ୍ୟାପସୁଲ ବାଣ୍ଟୁଥିବା ବ୍ୟକ୍ତି ଗିରଫ, ୩୦ ହଜାର ଲୋକଙ୍କୁ ମାରିବାକୁ ଥିଲା ଷଡଯନ୍ତ୍ର !
ମୁମ୍ବାଇ,୨୭।୬: ମୁମ୍ବାଇର ଭାୟଖଲା ଅଞ୍ଚଳରେ ମହରମ୍ ଶୋଭାଯାତ୍ରାରେ ଅଘଟଣ। ଜଣେ ବ୍ୟକ୍ତି ଶୋଭାଯାତ୍ରାରେ ସାମିଲ ଲୋକଙ୍କୁ କିଛି ଟାବଲେଟ୍ ବାଣ୍ଟିଥିଲେ। ଏହାକୁ ଖାଇବା ପରେ କିଛି ଲୋକ ଅସୁସ୍ଥ ହୋଇଯାଇଥିଲେ। ପରେ ଅଭିଯୁକ୍ତକୁ କଷ୍ଟଡିରେ ନିଆଯାଇଛି। ପଚରା ଉଚରା ବେଳେ ଅଭିଯୁକ୍ତ ଦାବି କରିଛି ଯେ, ସେ ପେନକିଲର ଟାବଲେଟ୍ ବାଣ୍ଟୁଥିଲେ। କିନ୍ତୁ ସେତେବେଳେ ଜଣେ ବ୍ୟକ୍ତି ଟାବଲେଟ୍ ଖାଇବା ପରେ ବାନ୍ତି ଏବଂ ଦେହ ଅସୁସ୍ଥ ଲାଗୁଥିବାର ଅଭିଯୋଗ କରିଥିଲେ। ପୋଲିସ ୧୪ ହଜାରରୁ ଅଧିକ କ୍ୟାପସୁଲ୍ ଜବତ କରିଛି। ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତ ପ୍ରକାଶ କରିଛି ଯେ ସେ ମହରମ୍ ଶୋଭାଯାତ୍ରାକୁ ଲକ୍ଷ୍ୟ କରି ବିଷାକ୍ତ କ୍ୟାପସୁଲ୍ ବଣ୍ଟନ କରିଥିଲା। ସେ ଜିଙ୍କ ଫସଫାଇଡ୍ ଯୁକ୍ତ ୩୦ ହଜାର କ୍ୟାପସୁଲ୍ ଅର୍ଡର କରିଥିଲା, ଯାହା ମୂଷା ମାରିବା ପାଇଁ ବ୍ୟବହୃତ ହୁଏ।
ବିନା ପରମିସନ୍ରେ ବାଣ୍ଟୁଥିଲେ କ୍ୟାପସୁଲ୍
ଡିସିପି ଜୟନ୍ତ ମୀନା କହିଛନ୍ତି ଯେ ମହରମ୍ ଶୋଭାଯାତ୍ରାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖାଯାଇଥିଲା। ପଚରାଉଚରା କରିବା ପରେ ଜଣାପଡିଲା ଯେ ସେ ବିନା ଅନୁମତିରେ କ୍ୟାପସୁଲ୍ ବିକ୍ରି ଏବଂ ବାଣ୍ଟୁଥିଲେ। ସକାଳ ୪ ଟାରେ ଏକ ରିପୋର୍ଟ ମିଳିଥିଲା ଯେ ଜଣେ ବ୍ୟକ୍ତି ବାନ୍ତି ଏବଂ ପେଟରେ ଯନ୍ତ୍ରଣା ଅଭିଯୋଗ କରିଥିଲେ। ଏକ ପୋଲିସ ଟିମ୍ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଉଠାଇ ନେଇଥିଲା। ସେ କହିଛନ୍ତି ଯେ ସେ ମହରମ୍ ଶୋଭାଯାତ୍ରାକୁ ଟାର୍ଗେଟ କରିବା ପାଇଁ ଏପରି କରିଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତର ନାଁ ଫୟାଜ ପ୍ରେମ ଜୀ। ସେ ପୁଣେର ବାସିନ୍ଦା। ସେ ରଙ୍ଗ ବ୍ୟବସାୟ ଚଳାନ୍ତି। ସେ ୫୦ କିଲୋଗ୍ରାମ ଜିଙ୍କ ଫସଫାଇଡ୍ ଅର୍ଡର କରିଥିଲେ। ସେ କିଛି ଦିନ ପାଇଁ ତାଙ୍କ ବାସଭବନରେ ପ୍ରତ୍ୟେକ କ୍ୟାପସୁଲରେ ଗୋଟିଏ ଗ୍ରାମ ବିଷ ପ୍ୟାକ୍ କରି ମୁହରମକୁ ଟାର୍ଗେଟ କରିବାକୁ ଯୋଜନା କରିଥିଲେ। ସେ ୨୦୨୫ରେ ଇରାନ ଏବଂ ଇରାକ ଯାତ୍ରା କରିଥିଲେ; ତାଙ୍କର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସେ କହିଥିଲେ ୧୪,୯୦୦ କ୍ୟାପସୁଲ୍ ଜବତ କରାଯାଇଛି।୩୦ ହଜାର ତିଆରି କରିବାର ଲକ୍ଷ୍ୟ ଥିଲା। କ୍ୟାପସୁଲ୍ ଡିଷ୍ଟ୍ରିବ୍ୟୁଟ୍ ହୋଇପାରିଲାନି। ଡିସପିଙ୍କ କହିବା ଅନୁସାରେ, ପୋଲିସ ବଡ଼ ଧରଣର ଅଘଟଣକୁ ରୋକି ଦେଇଛି। ତଦନ୍ତ ଜାରି ରହିଛି ଓ ଏହା ଜାଣିବାକୁ ଚେଷ୍ଟା କରାଯାଉଛି ଯେ, ଏତେ ଅଧିକ ପରିମାଣ ବାଣ୍ଟିବା ନେଇ ଅଭିଯୁକ୍ତର କ’ଣ ଷଡଯନ୍ତ୍ର ଥିଲା। ଆମେ ସବୁ ଦିଗରୁ ତଦନ୍ତ କରୁଛୁ। ଫୟାଜର ଷଡଯନ୍ତ୍ର ଥିଲା ଲୋକଙ୍କୁ କ୍ଷତି ପହଁଞ୍ଚାଇବା।