କୋରାପୁଟ ଜିଲ୍ଲାରେ ପଞ୍ଜୀକରଣରୁ ବଞ୍ଚିତ ୩ ହଜାରରୁ ଅଧିକ ଚାଷୀ
ଜୟପୁର : ପ୍ରତିଶ୍ରୁତି କେବଳ ଧୂଆଁବାଣ । କେଉଁଠି ଜୀବନ ଗଲାଣି ତ କିଏ ମାଗିଲାଣି ଇଛାମୃତ୍ୟୁ । ତଥାପି ଚେତୁନାହାନ୍ତି ସରକାର କି ପ୍ରଶାସନ । ଦିନକୁ ଦିନ ବଢ଼ିବାରେ ଲାଗିଛି ଚାଷୀଙ୍କ ଦୁର୍ଦ୍ଦଶା । ରାଜ୍ୟ ସରକାର ଗତ ମାର୍ଚ୍ଚ ୧୦ ରୁ ୨୫ ପର୍ଯ୍ୟନ୍ତ ରବି ମଣ୍ଡିରେ ପଞ୍ଜୀକରଣ କରିବାକୁ ତାରିଖ ଧାର୍ଯ୍ୟ କରିଥିଲେ । କିନ୍ତୁ କୋରାପୁଟ ଜିଲ୍ଲାରେ ବହୁ ସମୟରେ ଇଣ୍ଟରନେଟ ସମସ୍ୟା ସାଙ୍ଗକୁ ସରକାରଙ୍କ ଭିତ୍ତିଭୂମି ଅଭାବରୁ ବହୁ ଚାଷୀ ପଞ୍ଜୀକରଣରୁ ବଞ୍ଚିତ । ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କଲେ ସୁଦ୍ଧା ପ୍ରଶାସନ ବେଫିକର । ଫଳରେ ଜିଲ୍ଲାର ପ୍ରାୟ ୩ ହଜାର ଚାଷୀ ଧାନ ବିକ୍ରି କରିବା ନେଇ ଆଶଂକା ଭିତରେ ଅଛନ୍ତି । ପ୍ରତିବାଦରେ ଜିଲ୍ଲା ସମବାୟ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି ଚାଷୀ । ଚାଷୀଙ୍କୁ ତୃତୀୟ ଟୋକେନ ପ୍ରଦାନ ସହ ଖାଲି ଅଖା ଓ ହେଣ୍ଡଲିଂ ଚାର୍ଜ ଯୋଗାଇଦେବାକୁ କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଦାବି ହୋଇଛି।
ଆନ୍ଦୋଳନକୁ ସମର୍ଥନ କରି ଜିଲ୍ଲା କଂଗ୍ରସ ସଭାପତି ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତିକୁ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ଚାଷୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିବା ଅଭିଯ଼ୋଗ କରିଛନ୍ତି । ଜିଲ୍ଲାପାଳ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରି ସମାଧାନର ପନ୍ଥା ବାହାର କରିବାକୁ ଅପିଲ କରିଛନ୍ତି । ସେପଟେ ଚାଷୀଙ୍କ ପଞ୍ଜୀକରଣ ହୋଇ ନଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି ଜିଲ୍ଲା ସମବାୟ ଉପନିବନ୍ଧକ । ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଅବଗତ କରାଯ଼ାଇଛି । ରାଜ୍ୟ ସରକାର ଯ଼ାହା ନିଷ୍ପତ୍ତି ନେବେ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି। ବୋନସ୍ ଦେବା ନାଁରେ କେବଳ ହଇରାଣ କରି ଚାଷୀଙ୍କ ମନୋବଲ ଦୁର୍ବଳ କରାଯାଉଥିବା ଅଭିଯୋଗ ହୋଇଛି ।