ଦିନରେ ମାଷ୍ଟର ରାତିରେ ମାଫିଆ, ଛଦ୍ମବେଶରେ ସିଣ୍ଡିକେଟ ଭିତରକୁ ଧସେଇ ପଶିଲା
ଭୁବନେଶ୍ବର : ସ୍ପେଶାଲ ଟାସ୍କଫୋର୍ସର ଅପରେସନ ‘ଗ୍ରୀନ କ୍ଲିନ’ । ନୀଳ ଜହର କାରବାରର ମାଷ୍ଟରମାଇଣ୍ଡ ‘ମାଷ୍ଟର ଦୁର୍ବାସା’ ଗିରଫ । ଗୁପ୍ତଚର ବେଶରେ ମାସେ ଧରି ପିଛା କରୁଥିଲା STF । ସ୍ପେଶାଲ ସର୍ଭେଲାନ୍ସରେ ଆନ୍ତଃରାଜ୍ୟ ମାଫିଆ । ଆପଣ ଫିଲ୍ମରେ ମାଫିଆଙ୍କ ଗୁଇନ୍ଦା କାର୍ଯ୍ୟକଳାପ ଦେଖିଥିବେ । ନୋଟର ଗୋଟିଏ ପାର୍ଶ୍ଵ ନିଶା ଚାଲାଣକାରୀ ପାଖରେ ଅନ୍ୟ ପାର୍ଶ୍ଵଟି ରିସିଭର୍ ପାଖରେ । ଠିକ ସମାନ ଢଙ୍ଗରେ ନୀଳ ଜହର କାରବାର କରିବା ବେଳେ ଏହି କରିତକର୍ମାଙ୍କୁ ଧରିଛି ସ୍ପେଶାଲ ଟାସ୍କଫୋର୍ସ । ନାଁ ଦୁର୍ବାସା ସାହୁ । ଘର ବୌଦ୍ଧ ଜିଲ୍ଲା କଣ୍ଟାମାଳ । ଶିକ୍ଷକତା ଭଳି ବୃତ୍ତିରେ ଥାଇ ମଧ୍ୟ ରାତାରାତି କୋଟିପତି ହେବା ଆଶାରେ ବାବୁ ଚଳାଇଥିଲେ ଗଞ୍ଜେଇ କାରବାର । DIG କନୱାର ବିଶାଲ ସିଂ ଙ୍କ ନିର୍ଦ୍ଦେଶ ଓ ଅତିରିକ୍ତ ଏସପି ସଞ୍ଜୀବ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀର୍ଘ ମାସେ ଧରି ଚାଲିଥିବା ଅପରେସନ ‘ଗ୍ରୀନ କ୍ଲିନ’ ମାଷ୍ଟର ମାଇଣ୍ଡ ଦୁର୍ବାସା ସହ ଅନ୍ୟ ୩ ଜଣଙ୍କୁ କାବୁ କରାଯାଇଛି । ଅନ୍ୟମାନେ ହେଲେ ସୁବୁଦ୍ଧି ସାହୁ, ଅରୁଣ ରାଣା ଓ ପ୍ରକାଶ ଖଟୁଆ ।
ଗତ ୨୪ ତାରିଖରେ କଟକ ଜିଲ୍ଲା ଆଠଗଡ କାଜୁ ଜଙ୍ଗଲରୁ ପାଖାପାଖି ୨ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା । ସେହି କେସରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଥିଲା ଦୁର୍ବାସା । ଗଞ୍ଜେଇ ଟଙ୍କାରେ ମାଫିଆଙ୍କ ପାଖରେ ସୁଉଚ୍ଚ ଅଟ୍ଟାଳିକା ସାଙ୍ଗକୁ ଦାମୀ କାର ଦେଖି ଜଳକା ହୋଇଛି ଏସଟିଏଫ । ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ STF , କଣ୍ଟାମାଳ, ଗୋଛାପଡ଼ା ଥାନାରେ ଅପରାଧିକ ମାମଲା ରହିଛି । ପଶ୍ଚିମବଙ୍ଗ, ରାଜସ୍ଥାନ, ଝାଡ଼ଖଣ୍ଡ କୁ ନିଶାଦ୍ରବ୍ୟ ଚାଲାଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି ଏସଟିଏଫ । ଏମାନଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ସେମାନଙ୍କ ସମ୍ପତ୍ତି, ଆର୍ଥିକ କାରବାର, ବିନିଯୋଗ ସମ୍ପର୍କରେ ଖୋଳତାଡ଼ କରିବ ତଦନ୍ତକାରୀ ସଂସ୍ଥା । ନିଶା ଓ ନିଶାମାଫିଆଙ୍କ ବିରୋଧରେ ଆଗାମୀ ଦିନରେ ଏଭଳି ଜିରୋ ଟଲରାନ୍ସ ଜାରି ରହିବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।