କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗକୁ ୫୦ ପ୍ରତିଶତ ବଢ଼ିଲେ ପର୍ଯ୍ୟଟକ, ଠେଲା ଯାଇଥିବା ସ୍ଥାନ ହେଲା ‘ସିୟା ପଏଣ୍ଟ’
ପୁନେ, ୧/୭ : ପୁନେର ପ୍ରସିଦ୍ଧ ଲୋହାଗଡ଼ ଦୁର୍ଗରେ ବିଗତ କିଛି ଦିନ ହେଲା ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ ବଢ଼ିଯାଇଛି। ଯୁବ ବ୍ୟବସାୟୀ କେତନ ଅଗ୍ରୱାଲ(୨୬)ଙ୍କ ହତ୍ୟାକାଣ୍ଡ ପରେ ସେଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଏଭଳି ଅପ୍ରତ୍ୟାଶିତ ବଢ଼ିଥିବା ଚର୍ଚ୍ଚା ଚାଲିଛି । ଜୁନ୍ ୧୮ ତାରିଖରେ ଭାବିପତ୍ନୀ ସିୟା ଗୋୟଲ ପ୍ରେମିକ ଚେତନ ଚୌଧୁରୀଙ୍କ ସହ ମିଶି କେତନଙ୍କୁ ଏହି ଦୁର୍ଗରୁ ଠେଲି ହତ୍ୟା କରିଥିବା ଅଭିଯୋଗ ରହିଛି । ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ପରେ ସିୟା-ଚେତନ ଯେଉଁସ୍ଥାନରୁ କେତନଙ୍କୁ ଠେଲିଥିଲେ ତାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । ଲୋକେ ସୁରକ୍ଷାକର୍ମୀ, ଗାଇଡ୍ ଏବଂ ଅନ୍ୟ ଟ୍ରେକରମାନଙ୍କୁ ସେହି ସ୍ଥାନ ସଂପର୍କରେ ପଚାରି ଯାଉଛନ୍ତି । ସେହି ସ୍ଥାନକୁ ‘ସିୟା ପଏଣ୍ଟ’ ବୋଲି ମଧ୍ୟ କୁହାଯାଉଛି।
ଚେତନ ଚୌଧୁରୀଙ୍କ ହେବ ‘ଗେଟ୍ ଆନାଲିସିସ୍’
ଇତିମଧ୍ୟରେ ହତ୍ୟାକାଣ୍ଡର ତଦନ୍ତ ଲାଗି ଲୋନାୱାଲା ଗ୍ରାମୀଣ ପୁଲିସ ଲୋହାଗଡ଼ ଦୁର୍ଗକୁ ପର୍ଯ୍ୟଟକଙ୍କ ଲାଗି ସାମୟିକ ଭାବେ ବନ୍ଦ ଘୋଷଣା କରିଛି। ପୂର୍ବରୁ ଅଭିଯୁକ୍ତ ସିୟାଙ୍କ ସହ କ୍ରାଇମ ସିନ୍ ରିକ୍ରିଏସନ୍ ସମୟରେ ଦୁର୍ଗକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା। ଏବେ ତଦନ୍ତକାରୀମାନେ ଅନ୍ୟତମ ଅଭିଯୁକ୍ତ ଚେତନ ଚୌଧୁରୀଙ୍କ ଫରେନସିକ୍ ‘ଗେଟ୍ ଆନାଲିସିସ୍’ ଲାଗି ପ୍ରସ୍ତୁତ ହେଉଥିବାବେଳେ ପୁଣି ସେଭଳି ପଦକ୍ଷେପ ନିଆଯାଇଛି । ‘ଗେଟ୍ ଆନାଲିସିସ୍’ ହେଉଛି ଏଭଳି ଏକ ଫରେନସିକ୍ କୌଶଳ ଯାହାଦ୍ୱାରା ଭିଜୁଆଲ୍ ସାକ୍ଷ୍ୟରେ କଏଦ ହୋଇଥିବା ନିଆରା ଚାଲିବା ଶୈଳୀ, ଶାରିରୀକ ଗତିବିଧିରୁ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଏ । ପୁଲିସ ସନ୍ଦେହ କରୁଛି ଯେ, ଘଟଣାଦିନ ଚେତନଙ୍କୁ ଲୋହାଗଡ଼ ଦୁର୍ଗ ଗେଟ୍ ନିକଟରେ ଦେଖାଯାଇଥିଲା । ସେତେବେଳେ ସେ ଏକ ହୁଡି ଜ୍ୟାକେଟ୍ ପିନ୍ଧିଥିଲେ । ଏଭଳିସ୍ଥଳରେ ସିସିଟିଭି ଏବଂ ଭିଡିଓ ଫୁଟେଜ୍ ସହ ତାଙ୍କର ଚାଲିବା ଶୈଳୀ, ଶାରିରୀକ ଗତିବିଧିକୁ ମ୍ୟାଚ୍ କରି ତାଙ୍କର ଉପସ୍ଥିତି ନେଇ ସ୍ପଷ୍ଟ ହେବାକୁ ଉଦ୍ୟମ କରାଯିବ । ପୁଲିସ ମଧ୍ୟ ଚେତନଙ୍କୁ ନେଇ ପୁଣି ଥରେ କ୍ରାଇମ ସିନ୍ ରିକ୍ରିଏସନ୍ କରିବ । ସେହି ସମୟରେ ଘଟଣାଦିନ ଚେତନ ପିନ୍ଧିଥିବା ପୋଷାକକୁ ଉଦ୍ଧାର କରିବାକୁ ଉଦ୍ୟମ କରାଯିବ।
ଚେତନଙ୍କ ସ୍କୁଟର ଜବତ
ରବିବାର ଏହି ମାମଲାରେ ଲୋନାୱାଲା ଗ୍ରାମୀଣ ପୁଲିସ ଚେତନଙ୍କ ସ୍କୁଟରକୁ ଜବତ କରିଥିଲା। ସେହି ସ୍କୁଟରରେ ସେ ପୁନେରୁ ପ୍ରାୟ ୫୦ କିମି ଦୂର ଲୋହାଗଡ଼ ଦୁର୍ଗକୁ ଆସିଥିଲେ। ଏଥିସହ ପୁଲିସ ଅପରାଧ ସମୟରେ ଚେତନ ପିନ୍ଧିଥିବା ହୁଡି ଏବଂ ହେଡଫୋନ୍କୁ ମଧ୍ୟ ଉଦ୍ଧାର କରିଛି। ସେହିପରି ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ କେତନ ସିୟାଙ୍କର ଆଉ କାହା ସହ ସଂପର୍କ ଥିବା ନେଇ ସନ୍ଦେହ କରୁଥିଲେ ବୋଲି ପୁଲିସ କହିଛି । ପୁଲିସ ଅନୁସାରେ, ବାପା ବିଶାଲ ଅଗ୍ରୱାଲଙ୍କ ନିକଟରେ ସେ ଏଥିନେଇ ଆପତ୍ତି କରିଥିଲେ । ବିଶେଷକରି ଚେତନଙ୍କ ସହ ସିୟାଙ୍କ ଘନିଷ୍ଠତା, ସିୟାଙ୍କ ଫୋନ୍ ଅଧିକାଂଶ ସମୟରେ ବ୍ୟସ୍ତ ରହିବା ଇତ୍ୟାଦିକୁ ନେଇ ପ୍ରଶ୍ନ କରିଥିଲେ । ଏପରିସ୍ଥଳରେ ବିବାହ ଠିକ୍ କରାଯିବା ପୂର୍ବରୁ ସିୟାଙ୍କ ବ୍ୟାକ୍ଗ୍ରାଉଣ୍ଡକୁ ଭଲ ଭାବେ ଯାଞ୍ଚ କରାଯାଇଛି କି ନାହିଁ ତାହା ପଚାରିଥିଲେ । ପରିବାର ଲୋକେ କିନ୍ତୁ ଏଥିରେ ବ୍ୟସ୍ତ ହେବାର କିଛି ନାହିଁ ବୋଲି କହି ତାଙ୍କୁ ବାରମ୍ବାର ସାନ୍ତ୍ୱନା ଦେଇଥିଲେ ।
ହତ୍ୟା ମାମଲାରେ ଆଇନଗତ ବିବାଦ
ଅନ୍ୟପଟେ ଏହି ହତ୍ୟାକାଣ୍ଡ ମାମଲାରେ ନୂଆ ଆଇନଗତ ବିବାଦ ସୃଷ୍ଟି ହୋଇଛି । ସିୟାଙ୍କ ମାମଲା ଲଢ଼ିବାକୁ ନେଇ ଓକିଲ ଆଶୁତୋଷ ଶ୍ରୀବାସ୍ତବ ଏବଂ ସିୟାଙ୍କ ପରିବାର ମୁହାଁମୁହିଁ ହୋଇଛନ୍ତି । ନିଜ ମାମଲା ଲଢ଼ିବାକୁ ସିୟା ତାଙ୍କୁ ନିଯୁକ୍ତ କରିଥିବା ଆଶୁତୋଷ ଦାବି କରିଛନ୍ତି । କିନ୍ତୁ ସିୟାଙ୍କ ଭାଇ ସାହିଲ ଏହାକୁ ଖଣ୍ଡନ କରିଛନ୍ତି । ପରିବାର ପକ୍ଷରୁ ବିପୁଲ ଦୁଶିଂଙ୍କୁ ଏହି ମାମଲା ଲଢ଼ିବାକୁ ଦାୟିତ୍ୱ ଦିଆଯାଇଥିବା ସାହିଲ କହିଛନ୍ତି । ସାହିଲଙ୍କ ଏହି ଦାବି ପରେ ଆଶୁତୋଷ ତାଙ୍କୁ ୧୦ କୋଟିର ମାନହାନି ନୋଟିସ୍ ପଠାଇଛନ୍ତି । ସିୟା ଏବଂ କେତନଙ୍କର ଫେବ୍ରୁଆରୀରେ ନିର୍ବନ୍ଧ ହୋଇଥିଲା। ନଭେମ୍ବରରେ ବାହାଘର ହୋଇଥାନ୍ତା । ତେବେ ସିୟା ଏହି ସଂପର୍କକୁ ନେଇ ଖୁସି ନଥିଲେ । ସେଥିଯୋଗୁ ଜୁନ୍ ୧୮ରେ ପ୍ରେମିକ ଚେତନ ଚୌଧୁରୀଙ୍କ ସହ ମିଶି ସେ କେତନଙ୍କୁ ଲୋହାଗଡ଼ ଦୁର୍ଗ ଉପରୁ ତଳକୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଆହୁରି ପଢନ୍ତୁ- କେତନଙ୍କଠୁ ସପିଂ କରିବାକୁ ୧ କୋଟି ନେଇଥିଲେ ସିୟା; ପ୍ରେମିକ ଚେତନଙ୍କୁ ଦେଇଥିଲେ, ସିକ୍ରେଟ୍ କଲ୍ରୁ ଖୁଲାସା
ବ୍ରେକଅପ୍ କରିବାକୁ ଚାହାଁନ୍ତି କି ? ଚୁଟକିରେ ସମ୍ପର୍କ ଭାଙ୍ଗିଦେବେ ବ୍ରେକଅପ୍ ଅଫିସର୍ !