WEDNESDAY
01 JULY 2026

Welcome!

Unlock your personalized experience.
Sign Up

ଚିପ୍‌ ଉତ୍ପାଦନ କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: 'ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ୨.୦'ର ୧.୨୫ ଲକ୍ଷ କୋଟିର ପ୍ରସ୍ତାବକୁ ମଞ୍ଜୁରୀ

Jul 01, 2026 - 09:32
ଚିପ୍‌ ଉତ୍ପାଦନ କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: 'ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ୨.୦'ର ୧.୨୫ ଲକ୍ଷ କୋଟିର ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୧।୬: ଦୃଢ଼ ହେବ ଦେଶର ଚିପ୍‌ ଉତ୍ପାଦନ ଇକୋସିଷ୍ଟମ । ଏହି କ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିଛି ବ୍ୟୟ ବିଭାଗର ମୋହର । ଅର୍ଥ ମନ୍ତ୍ରାଳୟ ଅଧୀନ ଏକ୍ସପେଣ୍ଡିଚର ଫାଇନାନ୍ସ କମିଟି(ଇଏଫ୍‌ସି) ‘ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ(ଆଇଏସ୍‌ଏମ୍‌) ୨.୦’ ଅଧୀନରେ ୧.୨୫ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ସମ୍ବଳିତ ବଜେଟ୍‌ ପ୍ରସ୍ତାବକୁ ମଞ୍ଜୁରି ଦେଇଛି । ଏହା ଦେଶର ଘରୋଇ ଚିପ୍‌ ଉତ୍ପାଦନକୁ ମଜଭୁତ କରିବ ଏବଂ ଏକ ବ୍ୟାପକ ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣର ଉଦ୍ୟମ ଦିଗରେ ବଡ଼ ପଦକ୍ଷେପ । ଏ ପ୍ରସ୍ତାବ ‘ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ’ର ପ୍ରଥମ ପର୍ଯ୍ୟାୟରେ ଆବଣ୍ଟିତ ୭୬,୦୦୦ କୋଟି ଟଙ୍କା ତୁଳନାରେ ଅନେକ ମାତ୍ରାରେ ଅଧିକ । ବର୍ତ୍ତମାନ ଏହାକୁ ମଞ୍ଜୁରି ପାଇଁ କେନ୍ଦ୍ର କ୍ୟାବିନେଟ୍‌ ନିକଟକୁ ପଠାଯିବ । ପ୍ରକାଶଯୋଗ୍ୟ, ୨୦୨୬-୨୭ କେନ୍ଦ୍ର ବଜେଟରେ ‘ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ୨.୦’ ଘୋଷଣା କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା, ଦେଶର ସେମିକଣ୍ଡକ୍ଟର ଉତ୍ପାଦନ କ୍ଷମତାକୁ ବଢ଼ାଇବା । ଉପକରଣ, କଞ୍ଚାମାଲ, ସ୍ୱଦେଶୀ ଚିପ୍‌ ଡିଜାଇନ୍‌ ଏବଂ ମୂଲ୍ୟ ଶୃଙ୍ଖଳର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ଫୋକସ୍‌ କରି କ୍ଷମତା ବଢ଼ାଇବାର ଲକ୍ଷ୍ୟ ରହିଛି ।

ଏହା ବି ପଢ଼ନ୍ତୁ... ​​​​​​​ଚିପ୍ କମ୍ପାନୀର ଖେଳ : ୪ ବର୍ଷରେ ୭୦୦% ବଢିଲା RAMର ଦାମ୍, ଜାଣନ୍ତୁ ଭାରତୀୟ ଗ୍ରାହକଙ୍କ ପକେଟ୍ ଉପରେ କିଭଳି ପଡୁଛି ବୋଝ

ସରକାର କହିଛନ୍ତି ଯେ, ଆଇଏସ୍‌ଏମ୍‌ ୨.୦ ସେମିକଣ୍ଡକ୍ଟର ଉପକରଣ ଉତ୍ପାଦନ, କଞ୍ଚାମାଲ, ସ୍ୱଦେଶୀ ବୌଦ୍ଧିକ ସମ୍ପତ୍ତି ଏବଂ ଚିପ୍‌ ଡିଜାଇନ୍‌କୁ ପ୍ରୋତ୍ସାହନ ଦେଇ ମଜଭୁତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ ତିଆରି କରିବା ଦିଗରେ ଭାରତର ସଂକଳ୍ପକୁ ଦର୍ଶାଉଛି । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବରୁ କହିଥିଲେ ଯେ, ମିଶନ୍‌ର ଦ୍ୱିତୀୟ ପର୍ଯ୍ୟାୟ ସ୍ୱଦେଶୀ ଚିପ୍‌ ଡିଜାଇନ, ଉତ୍ପାଦ ପ୍ରସ୍ତୁତି, ଇକୋସିଷ୍ଟମ ସହଯୋଗୀଙ୍କୁ ଆକର୍ଷିତ କରିବା ଏବଂ ପ୍ରତିଭା ବିକାଶ ଉପରେ କେନ୍ଦ୍ରିତ ହେବ । ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଅଧୀନରେ ସରକାର ପାଖାପାଖି ୧.୬୪ ଲକ୍ଷ କୋଟି ଟଙ୍କାର ନିବେଶଯୁକ୍ତ ୧୨ ସେମିକଣ୍ଡକ୍ଟର ବିନିର୍ମାଣ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି । ଏଥିରେ ଏକ ସେମିକଣ୍ଡକ୍ଟର ଫାବ୍ରିକେଶନ ୟୁନିଟ୍‌, ଦୁଇଟି କମ୍ପାଉଣ୍ଡ୍‌ ସେମିକଣ୍ଡକ୍ଟର ଫ୍ୟାବ୍ରିକେଶନ ୟୁନିଟ୍‌ ଏବଂ ୯ଟି ସେମିକଣ୍ଡକ୍ଟର ପ୍ୟାକେଜିଂ ୟୁନିଟ୍‌ ରହିଛି । ଡିଜାଇନ କ୍ଷେତ୍ରରେ ‘ଡିଜାଇନ୍‌ ଲିଙ୍କ୍‌ଡ ଇନ୍‌ସେଣ୍ଟିଭ୍‌(ଡିଏଲ୍‌ଆଇ) ସ୍କିମ୍‌’ ଅଧୀନରେ ୨୪ଟି ପ୍ରକଳ୍ପକୁ ସହାୟତା ପ୍ରଦାନ କରାଯାଉଛି । ୧୦୫ କମ୍ପାନିଙ୍କୁ ଆଡ୍‌ଭାନ୍ସଡ ଚିପ୍‌ ଡିଜାଇନ୍‌ ଟୁଲ୍‌ର ଆକ୍ସେସ୍‌ ମିଳିଛି ।