କାଦୁଅ ପାଇଁ ହନ୍ତସନ୍ତ ରୋଗୀ, ଥୁଆମୂଳ ରାମପୁର CHC ରାସ୍ତାରେ ଅଟକୁଛି ଆମ୍ବୁଲାନ୍ସ
ଥୁଆମୂଳ ରାମପୁର,୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଓ ଗେଟ୍ ସମ୍ମୁଖରେ ଏବେ ସ୍ଥିତି ଶୋଚନୀୟ ହୋଇପଡିଛି । ବର୍ଷା ଏବଂ ଅପରିକଳ୍ପିତ ନିର୍ମାଣ କାର୍ଯ୍ୟ ଯୋଗୁଁ ହସ୍ପିଟାଲର ପ୍ରବେଶ ପଥ ସମ୍ପୂର୍ଣ୍ଣ କାଦୁଅରେ ପଚପଚ ହୋଇପଡ଼ିଛି । ଫଳରେ ଆମ୍ବୁଲାନ୍ସ ଏବଂ ରୋଗୀମାନଙ୍କୁ ହସ୍ପିଟାଲ ଯିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।ଠିକାସଂସ୍ଥାର ଦାୟିତ୍ୱହୀନତା ଯୋଗୁଁ ରୋଗୀଙ୍କୁ କାଦୁଅରେ ବୋହି ନେବାକୁ ପଡ଼ୁଥିବା ବେଳେ କାର୍ଯ୍ୟସ୍ଥଳରେ ସଂସ୍ଥାର କୌଣସି କର୍ମଚାରୀ ଦେଖାଯାଉନାହାନ୍ତି ।
ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟକେନ୍ଦ୍ରରେ ସରକାରୀ ନିୟମକୁ ଫୁ’ କରି ବିନା ସୂଚନା ଫଳକରେ କୋଟି କୋଟି ଟଙ୍କାର କୋଠା ନିର୍ମାଣ ଓ ନବୀକରଣ କାମ ଚାଲିଛି । କେଉଁ ବିଭାଗ ଓ ଯୋଜନାରେ କାମ ହେଉଛି, ସେ ନେଇ ପିଡ଼ବ୍ଲୁ ଓ ଆର୍ ଆଣ୍ଡ ବି ବିଭାଗ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ବିସ୍ମୟର ବିଷୟ ହେଉଛି, କ୍ୟାମ୍ପସରେ ଚାଲିଥିବା କାର୍ଯ୍ୟ ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନ ଥିବା ମେଡିକାଲ ଇଞ୍ଚାର୍ଜ ଡାକ୍ତର ପ୍ରଦୀପ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ସୂଚନା ଫଳକ ନ ଥିବାରୁ ଠିକାସଂସ୍ଥା ମନଇଚ୍ଛା ନିମ୍ନମାନର ସିମେଣ୍ଟ, ବାଲି, ଇଲେକ୍ଟ୍ରି ସରଞ୍ଜାମ, ଅସୁରକ୍ଷିତ ଟିଣ ସେଡ୍ ଓ ଦୁର୍ବଳ ପେଭର ବ୍ଲକ୍ ବ୍ୟବହାର କରି ସରକାରୀ ଅର୍ଥ ହରିଲୁଟ୍ କରୁଥିବା ଅଭିଯୋଗ ହୋଇଛି।
ହସ୍ପିଟାଲ ପାଇଁ ଆସୁଥିବା ନିର୍ମାଣ ସାମଗ୍ରୀ ଅନ୍ୟତ୍ର ଚାଲାଣ ହେଉଥିବା ବେଳେ କିଛି ଦଲାଲ ଗୋଷ୍ଠୀ ମଧ୍ୟ ଏଥିରୁ ଫାଇଦା ଉଠାଉଥିବା ସୂଚନା ମିଳିଛି। ତୁରନ୍ତ ମୁଖ୍ୟ ରାସ୍ତାରୁ କାଦୁଅ ହଟାଇବା ସହ ଏହି ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।