କୁକୁର କରୁଛି ସର୍ଫିଂ
ସମୁଦ୍ର ଲହଡ଼ିରେ ମଣିଷଙ୍କୁ ସର୍ଫିଂ କରୁଥିବାର ତ ପ୍ରାୟତଃ ଦେଖିବାକୁ ମିଳେ, କିନ୍ତୁ ନିକଟରେ ଅନୁଷ୍ଠିତ 'ୱାର୍ଲ୍ଡ ଡଗ୍ ସର୍ଫିଂ ଚାମ୍ପିଅନସିପ୍'ରେ କୁକୁରମାନେ ସର୍ଫବୋର୍ଡ ଉପରେ ଛିଡ଼ା ହୋଇ ଚମତ୍କାର ସର୍ଫିଂ କରୁଥିବାର ନଜର ଆସିଛନ୍ତି । ଏହି ପ୍ରତିଯୋଗିତାରେ କୁକୁରମାନେ ରଙ୍ଗବେରଙ୍ଗର ଏବଂ ଶାର୍କ ଡିଜାଇନ୍ ଥିବା ଲାଇଫ୍ ଜ୍ୟାକେଟ୍ ପିନ୍ଧି ସମୁଦ୍ରକୁ ଓହ୍ଲାଇଥିଲେ । ସେମାନଙ୍କୁ ଦେଖି କୂଳରେ ଥିବା ଲୋକମାନେ ତାଳି ମାରି ଉତ୍ସାହିତ କରିଥିଲେ । ଏଥିରେ ସାନ, ମଧ୍ୟମ ଓ ବଡ଼ କୁକୁରଙ୍କ ପାଇଁ ଅଲଗା ଅଲଗା ବର୍ଗ ରହିଥିଲା । ଯେଉଁଥିରେ ସର୍ଫବୋର୍ଡରେ ବେଶି ସମୟ ତିଷ୍ଠି ରହିବା, ବଡ଼ ଲହଡ଼ିର ସାମ୍ନା କରିବା ଏବଂ କୁକୁରର ଆତ୍ମବିଶ୍ୱାସ ଆଧାରରେ ନମ୍ବର ଦିଆଯାଇଥିଲା । ଏହି ଚାମ୍ପିଅନସିପ୍ରେ 'ରଷ୍ଟି' ନାମକ ଏକ କୁକୁର ବିଶେଷ ଆକର୍ଷଣ ସାଜିଥିଲା । ତା' ମାଲିକାଣୀଙ୍କ କହିବା ଅନୁସାରେ, ମାତ୍ର ୪ ମାସ ବୟସରେ ଫଟୋ ଉଠାଇବା ପାଇଁ ରଷ୍ଟିକୁ ପ୍ରଥମ ଥର ସର୍ଫବୋର୍ଡରେ ଛିଡ଼ା କରାଯାଇଥିଲା । ସେବେଠାରୁ ସେ ପ୍ରତିବର୍ଷ ଏହି ପ୍ରତିଯୋଗିତାରେ ଭାଗ ନେଉଛି । ବିଶେଷ କଥା ହେଉଛି, ରଷ୍ଟି ଏବଂ ତା' ମାଲିକାଣୀ ଦୁହେଁ କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ହରାଇ ଜୀବନ ଜିତିସାରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।