କାହିଁକି ନଥାଏ ଏସି

ୟୁରୋପରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି, ଯେଉଁଠି ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ପାର୍ କରିଛି । ଏହି ପ୍ରଚଣ୍ଡ ଗରମ ଯୋଗୁଁ ସେଠାକାର ରାସ୍ତାଘାଟ ତରଳିବା ସହ ରେଳ ସେବା ବାଧିତ ହୋଇଛି ଏବଂ ହସ୍ପିଟାଲଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ, ପୃଥିବୀର ଅନ୍ୟତମ ବିକଶିତ ଅଞ୍ଚଳ ହୋଇ ମଧ୍ୟ ୟୁରୋପର ଲକ୍ଷ ଲକ୍ଷ ଘର, ସ୍କୁଲ ଏବଂ ହସ୍ପିଟାଲରେ ଏୟାର କଣ୍ଡିସନର ବା ଏସି କାହିଁକି ନାହିଁ । ଏହାର ମୁଖ୍ୟ କାରଣ ହେଉଛି ୟୁରୋପର ପାରମ୍ପରିକ ପାଣିପାଗ, ଯେଉଁଠି ପୂର୍ବରୁ ଗରମ ଦିନେ ଏତେ ତାପମାତ୍ରା କେବେ ଦେଖିବାକୁ ମିଳୁନଥିଲା ଏବଂ ଅଧିକାଂଶ କୋଠାବାଡ଼ି ଶୀତଦିନେ ଘରକୁ ଉଷୁମ ରଖିବା ପାଇଁ ତିଆରି କରାଯାଇଥିଲା । କେବଳ ସେତିକି ନୁହେଁ, ପ୍ୟାରିସ୍ ଭଳି ଐତିହାସିକ ସହରଗୁଡ଼ିକରେ ପୁରୁଣା କୋଠାର ବାହାର ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଐତିହ୍ୟ ବଜାୟ ରଖିବା ପାଇଁ ବାହାରେ ଏସି ମେସିନ୍ ଲଗାଇବା ଉପରେ କଠୋର ଆଇନଗତ କଟକଣା ରହିଛି । ଯାହାଫଳରେ ସେଠାକାର ପ୍ରଶାସନ ସହଜରେ ଏସି ଲଗାଇବାକୁ ଅନୁମତି ଦିଏନାହିଁ । ଏହା ସହିତ ଏସି ମେସିନରୁ ବାହାରୁଥିବା ଶବ୍ଦ ପାଇଁ ପଡ଼ୋଶୀ ଏବଂ ହାଉସିଂ ସୋସାଇଟିରୁ ମଧ୍ୟ ଅନୁମତି ନେବା ଜରୁରୀ ହୋଇଥାଏ, ଯାହା ନିୟମ ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନର କାରଣ ସାଜିଥାଏ । ପରିବେଶ ଏବଂ ଜଳବାୟୁ ନୀତି ଅନୁସାରେ ୟୁରୋପୀୟ ସରକାରମାନେ ଏସିକୁ ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା ଏବଂ କାର୍ବନ ନିର୍ଗମନ ବଢ଼ାଉଥିବା ଏକ ମାଧ୍ୟମ ଭାବେ ଗଣିଥାଆନ୍ତି । ସେମାନେ ଏହା ବଦଳରେ ପ୍ରାକୃତିକ ପବନ, ଗଛଲତା ଏବଂ ଉତ୍ତମ ଇନସୁଲେସନ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି । ବର୍ତ୍ତମାନର ପରିସଂଖ୍ୟାନ ଅନୁଯାୟୀ, ବ୍ରିଟେନରେ ମାତ୍ର ୫ ପ୍ରତିଶତ ଏବଂ ଫ୍ରାନ୍ସରେ ପ୍ରାୟ ୨୫ ପ୍ରତିଶତ ଘରେ ଏସି ରହିଛି । ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗ୍ରୀଷ୍ମ ପ୍ରବାହର ସମୟ ଏବଂ ତୀବ୍ରତା ବଢ଼ୁଥିବାରୁ କେବଳ ପ୍ରାକୃତିକ ଉପାୟ ଏବେ ଯଥେଷ୍ଟ ହେଉନାହିଁ, ଯାହାଫଳରେ ବିଶେଷଜ୍ଞ ଏବଂ ସାଧାରଣ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସୁଛି । ଏସି ଏବେ କେବଳ ଏକ ସୁବିଧା ନୁହେଁ, ବରଂ ସେଠାରେ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଏକ ପ୍ରମୁଖ ଜରୁରୀ ଆବଶ୍ୟକତା ପାଲଟିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।