କାଳୀଦାସ ବୁଦ୍ଧି

Jul 09, 2026 - 10:23
କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ ଆମ ରାଷ୍ଟ୍ରନେତାଙ୍କ ମଧ୍ୟରେ ଅନୁରୂପ ଆଚରଣ ଲକ୍ଷ୍ୟ କରାଯାଉଛି। ତଥାକଥିତ ବିକାଶର ନିଶା ବା ପାଶ୍ଚାତ୍ୟ ଓ ପୁଞ୍ଜିବାଦୀ ଦେଶଗୁଡ଼ିକ ସହିତ ସମକକ୍ଷ ହେବାର ଆକାଂକ୍ଷା ସେମାନଙ୍କୁ ଏଭଳି ପାଗଳ କରିଦେଇଛି ଯେ ଦେଶବ୍ୟାପୀ ପାଣି, ପବନ ଏବଂ ମୃତ୍ତିକାର ଉତ୍କଟ ପ୍ରଦୂଷଣର ଚିତ୍ର ଦେଖି ମଧ୍ୟ ସେମାନଙ୍କର ଚେତନା ଜାଗ୍ରତ ହେଉନାହିଁ। ସମ୍ପ୍ରତି ବିଶ୍ୱର ୧୦୦ଟି ସର୍ବାଧିକ ଉତ୍ତପ୍ତ ସହର ମଧ୍ୟରୁ ୯୫ଟି ଭାରତରେ ଅଛି ଏବଂ ପୃଥିବୀର ସର୍ବାଧିକ ପ୍ରଦୂଷିତ ଦେଶଗୁଡ଼ିକ ମଧ୍ୟରୁ ଭାରତ ୬ଷ୍ଠ ସ୍ଥାନରେ ରହିଛି। ଏହାର ମୁଖ୍ୟ କାରଣ ହେଲା ଅତ୍ୟଧିକ ଜଙ୍ଗଲ କ୍ଷୟ, ଦ୍ରୁତ ସହରୀକରଣ ଏବଂ ଶିଳ୍ପାୟନ ମୋହ। ଯେଉଁ ବିଶାଳ ଭୂଖଣ୍ଡ ଯୁଗ ଯୁଗ ଧରି କୋଟି କୋଟି ମଣିଷ ତଥା ଜୀବଜନ୍ତୁୁଙ୍କୁ ଖାଦ୍ୟ-ପାନୀୟ-ବାସସ୍ଥାନ ଯୋଗାଇ ଦେଇ ନିଜସ୍ବ ପ୍ରାକୃତିକ ଐଶ୍ୱର୍ଯ୍ୟରେ ଭରପୂର ହୋଇରହିଥିଲା, ସେହି ପୁଣ୍ୟଭୂମି କଂକ୍ରିଟ ଜଙ୍ଗଲପୂର୍ଣ୍ଣ ବିଷାକ୍ତ ମରୁଭୂମିରେ ପରିଣତ ହେବାକୁ ଯାଉଛି। ବିକାଶର ପ୍ରୟୋଜନ ଅବଶ୍ୟ ଅଛି। କିନ୍ତୁ ଯାହା ଉପରେ ଛିଡ଼ାହୋଇ ଆମେ ବିକାଶକୁ ଆମନ୍ତ୍ରଣ କରିବା ସେହି ପାଣି-ପବନ-ମାଟି ଯଦି କଳୁଷିତ ହୋଇଯାଏ, ବିଷାକ୍ତ ହୋଇଉଠେ- ତାହାର ଗୁଣବତ୍ତା ରକ୍ଷା କରିବା ପାଇଁ ଯଦି ଆମେ ସଚେତନ ନ ହେଉ ତେବେ ଆମର ବିକାଶର ମୋହ ଭବିଷ୍ୟତରେ ବିନାଶକୁ ଆମନ୍ତ୍ରଣ କରିବ। ଆମର ଭବିଷ୍ୟତ ବଂଶଧରଙ୍କ ବଞ୍ଚତ୍ବା ପାଇଁ ଆମେ କ’ଣ ପାଣି-ପବନ-ମାଟି ଟିକେ ସଂରକ୍ଷିତ କରିପାରିବା ନାହିଁ?
ବିଗତ ଦଶବର୍ଷ ମଧ୍ୟରେ ଦେଶର ୨୩,୩୦୦ ବର୍ଗ କିଲୋମିଟର ଜଙ୍ଗଲ କ୍ଷୟ ଘଟିଛି। ତାପନ ନିୟନ୍ତ୍ରଣ ନିମନ୍ତେ ସାମାଜିକ ଜଙ୍ଗଲ ବା ପରିବେଶର ଗଛପତ୍ର ଗୁଡ଼ିକର ଉପାଦେୟତା ସର୍ବାଧିକ। ମାତ୍ର ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ତଥା କୋଠାବାଡ଼ି ଏବଂ ରାସ୍ତା ନିର୍ମାଣ ପାଇଁ କ୍ରମାଗତ ଭାବରେ ଖୋଦ୍‌ ସରକାରଙ୍କ ତରଫରୁ ଲକ୍ଷ ଲକ୍ଷ ବର, ଅଶ୍ୱତ୍ଥ, ଆମ୍ବ, ପଣସ ପ୍ରଭୃତି ମୂଲ୍ୟବାନ ବୃକ୍ଷଗୁଡ଼ିକ କଟାଯାଉଛି। ଯଦି ରାସ୍ତା ନିର୍ମାଣ ନିମନ୍ତେ ଶହ ଶହ ଗଛ କାଟିବାର ପ୍ରୟୋଜନ ହୁଏ ତେବେ ଗଛର ଲାଇନ ବାଦଦେଇ ରାସ୍ତାକୁ କିଛିଟା ଦୂରେଇ ନିଆଯାଇ ପାରିବ, ସେହିପରି କୌଣସି ଶିଳ୍ପ ଅଥବା କୋଠାବାଡ଼ି ନିର୍ମାଣ ପାଇଁ ଅଧିକ ସଂଖ୍ୟକ ଗଛ କାଟିବାର ପ୍ରୟୋଜନ ହେଲେ ତାହା ଅନ୍ୟ କୌଣସି ବୃକ୍ଷ-ରହିତ ସ୍ଥାନରେ କରିବାକୁ ପଡ଼ିବ। ଏହାଦ୍ୱାରା ସାମୟିକ କିଛିଟା ଅସୁବିଧା ହେଲେ ମଧ୍ୟ ଭବିଷ୍ୟତ ବିନାଶକୁ ଏଡ଼ାଇ ଦିଆଯାଇପାରିବ। ପ୍ରତିବର୍ଷ ରାସ୍ତାରେ କାର୍‌, ବସ୍‌, ଟ୍ରକ୍‌ ଅଟୋ ପ୍ରଭୃତି ଯାନର ସଂଖ୍ୟା ପ୍ରବଳ ଭାବରେ ବୃଦ୍ଧି ପାଇଚାଲିଛି। ସାମ୍ପ୍ରତିକ ଖବରରୁ ଜଣାଯାଏ ବେବଳ ଏପ୍ରିଲ ୨୦୨୬ ମାସକ ମଧ୍ୟରେ ଦେଶର ୨୦ଲକ୍ଷ୧୦ହଜାର ମୋଟର କାର ବିକ୍ରି ହୋଇଛି। ଏହା ଉପରେ ରୋକ ନ ଲାଗିଲେ ପ୍ରଦୂଷଣର ମାତ୍ରା ବୃଦ୍ଧିପାଇ ଚାଲିବ। ଏହାର ବିକଳ୍ପ ଭାବରେ ଯେଉଁ ବୈଦ୍ୟୁତିକ ଗାଡ଼ିଗୁଡ଼ିକର ପ୍ରଚଳନ କରାଯାଉଛି ତାହା ସମ୍ପୂର୍ଣ୍ଣ ନିରାପଦ ନୁହେଁ। କାରଣ ସେଥିପାଇଁ ଅଧିକ ବୈଦ୍ୟୁତିକ ଶକ୍ତିର ଉପତ୍ାଦନ ନିମନ୍ତେ ଯେଉଁ ବିପୁଳ ପରିମାଣର ଡିଜେଲ ଏବଂ କୋଇଲା ଇନ୍ଧନ ବ୍ୟବହାର ହେବ ତାହାଦ୍ୱାରା ପରିବେଶର ତାପ ଏବଂ ପ୍ରଦୂଷଣ ବୃଦ୍ଧି ପାଇବ। ଏହାର ଏକ ସମ୍ଭାବ୍ୟ ବିକଳ୍ପ ହେଲା-ଉନ୍ନତ ଜ୍ଞାନକୌଶଳର ଉପଯୋଗ କରି ସୌର ଏବଂ ବାୟୁ ଶକ୍ତିରୁ ବିଦ୍ୟୁତ ଉପତ୍ାଦନ ପ୍ରକ୍ରିୟାକୁ ଅଧିକ ବ୍ୟାପକ ଏବଂ ଫଳପ୍ରଦ କରି ତୋଳିବା।
ସଞ୍ଚିତ ଖଣିଜ ସମ୍ପଦ ଲୁହା, କୋଇଲା ଆଲୁମିନିୟମ ଇତ୍ୟାଦିର ନିରନ୍ତର ଉତ୍ତୋଳନ ହୋଇଚାଲିଛି। ସ୍ମରଣ ରଖିବାକୁ ହେବ ଏ ସମସ୍ତର ପରିମାଣ ଅସୀମ ନୁହେଁ। ଲଗାମଛଡ଼ା ଖଣି ଖନନ ଚାଲିଲେ ଭବିଷ୍ୟତ ପାଇଁ କିଛିବି ଅବଶିଷ୍ଟ ରହିବ ନାହିଁ। ପୁଞ୍ଜି ନିବେଶ ନିମନ୍ତେ ଯେଉଁ ଦେଶୀ-ବିଦେଶୀ କମ୍ପାନୀଗୁଡ଼ିକୁ ଆମେ ଆମନ୍ତ୍ରଣ କରି ଆଣୁଛେ ସେମାନେ ଆମର ଖଣିଜ ସମ୍ପଦର ବ୍ୟବହାର କରି ଦେଶର ପାଣି-ପବନ-ମୃତ୍ତିକାକୁ ପ୍ରଦୂଷିତ କରି ଲାଭତକ ନିଜ ଦେଶକୁ ବୋହି ନେଉଛନ୍ତି। ସହରୀକରଣର ନିଶାରେ ପଥର କାଟି କାଟି ଦେଶର ପାହାଡ଼ଗୁଡ଼ିକ ନିଶ୍ଚିହ୍ନ ହେବାକୁ ବସିଲାଣି । ମଣିଷର ଲୋଭ ପୃଥିବୀକୁ ବିବର୍ଣ୍ଣ, ପ୍ରାଣହୀନ କରିତୋଳୁଛି। ଦେଶର ପ୍ରକୃତ ଉନ୍ନତି ପାଇଁ ସମ୍ପଦର ବିନିଯୋଗ ଏବଂ ବିକାଶ ଯେପରି ଗୁରୁତ୍ୱପୂର୍ଣ୍ଣ, ସଂଯମ ଏବଂ ସଂରକ୍ଷଣର ମଧ୍ୟ ସେହିପରି ଗୁରୁତ୍ୱ ରହିଛି।
ପୁରାଣ ବର୍ଣ୍ଣତ ଯମୁନା ନଦୀର ଦୁର୍ଦ୍ଦଶା ଏପରି ହୋଇଛି ଯେ ପାଣି ଦେହରେ ଲାଗିଲେ ନାନା ରୋଗ ସୃଷ୍ଟି ହେଉଛି। ଡମ୍ପିଂୟାର୍ଡ ଗୁଡ଼ିକରେ ଆବର୍ଜନା ପାହାଡ଼କୁ ଦେଖିଲେ ମନରେ ଭୟର ସଞ୍ଚାର ହେଉଛି। ତଦ୍ଦ୍ବାରା ଦୁର୍ଗନ୍ଧରେ ନିକଟସ୍ଥ ପରିବେଶ ଅସ୍ବାସ୍ଥ୍ୟକର ହୋଇ ଉଠୁଛି। ତେଣୁ ସହରାଞ୍ଚଳର ଡ୍ରେନପାଣି ତଥା ବର୍ଜ୍ୟବସ୍ତୁର ପରିଚାଳନା ଏକ ବିରାଟ ଆହ୍ବାନ ଭାବରେ ଦେଖାଦେଇଛି। ଉନ୍ନତ ଜ୍ଞନକୌଶଳର ପ୍ରୟୋଗ କରି ବର୍ଜ୍ୟବସ୍ତୁ ତଥା ମଇଳାପାଣିର ରିସାଇକ୍ଲିଂକୁ ତ୍ୱରାନ୍ବିତ ନକଲେ ପରିସ୍ଥିତି ଅସମ୍ଭାଳ ହେବ।
ଅଳ୍ପ କେତେକ ନଦୀବନ୍ଧ ଯୋଜନାକୁ ଛାଡ଼ିଦେଲେ କୃଷି, ଶିଳ୍ପ ତଥା ନିତ୍ୟ ବ୍ୟବହାର ନିମନ୍ତେ ଦେଶର ସର୍ବତ୍ର ହଜାର ହଜାର ନଳକୂପ ଖନନ କରି ଅବାଧରେ ଭୂତଳ ଜଳର ଶୋଷଣ ଚାଲିଛି। ଫଳରେ ସର୍ବତ୍ର ଭୂତଳ ଜଳସ୍ତର ଦ୍ରୁତ ନିମ୍ନଗାମୀ ହେବାରେ ଲାଗିଛି। ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି, ଏହା ଫଳରେ ଦେଶର ଅଧିକାଂଶ ଅଞ୍ଚଳ ମରୁଭୂମିରେ ପରିଣତ ହୋଇଯାଇପାରେ। ଏହାର ଏକ ସମ୍ଭାବ୍ୟ ସମାଧାନ ହେଉଛି-ବର୍ଷାଦିନେ ଯେଉଁ ବିପୁଳ ପରିମାଣର ବନ୍ୟାଜଳ ନଦୀଗୁଡ଼ିକରେ ପ୍ରବାହିତ ହୋଇ ସମୁଦ୍ରକୁ ଚାଲିଯାଉଛି, ତାହାକୁ ଆୟତ୍ତ, ସଂରକ୍ଷିତ ଏବଂ ବିଶୋଧିତ କରି ବ୍ୟବହାର ଉପଯୋଗୀ କରିତୋଳିବା। ଏ ଯୁଗରେ କିଛିବି କରିବା ଅସମ୍ଭବ ନୁହେଁ। ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଯଦି ସମୁଦ୍ର ପାଣିକୁ ବିଶୋଧିତ କରି ବ୍ୟବହାର କରି ପାରୁଛନ୍ତିି, ଆମେ କାହିଁକି ନଦୀର ବନ୍ୟାଜଳକୁ ଆୟତ୍ତ କରି ନ ପାରିବା? ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ବିଭିନ୍ନ ନଦୀଗୁଡ଼ିକୁ ସଂଯୋଗୀକରଣର ଏକ ଯୁଗୋପଯୋଗୀ ଯୋଜନା ପ୍ରସ୍ତୁତ କରିଥିଲେ। ଜଳ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଏହା ସବୁଠାରୁ ନିର୍ଭରଯୋଗ୍ୟ ଏବଂ ଉପାଦେୟ ଯୋଜନା। ବ୍ୟୟବହୁଳ ଏବଂ କଷ୍ଟସାଧ୍ୟ ହେଲେ ମଧ୍ୟ ଦେଶକୁ ବଞ୍ଚାଇବାକୁ ହେଲେ ସର୍ବପ୍ରଥମେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଉଚିତ।
କୃଷି କ୍ଷେତ୍ରରେ ଆମର ଉପତ୍ାଦନ କ୍ଷମତା ବହୁଗୁଣ ବୃଦ୍ଧି ପାଇଛି ନିଶ୍ଚୟ। ଭାରତବର୍ଷ ବର୍ତ୍ତମାନ ଖାଦ୍ୟରେ ଏକ ନିଅଣ୍ଟିଆ ଅବସ୍ଥାରୁ ବଳକା ରାଷ୍ଟ୍ରରେ ପରିଣତ ହୋଇଛି। ଏପରିକି ବଳକା ଧାନ ସଂଗ୍ରହ କରିବା ପାଇଁ ସରକାରଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । କୋବି, ଟମାଟୋ ପ୍ରଭୃତି ଋତୁକାଳୀନ ପନିପରିବା ଉପଯୁକ୍ତ ମୂଲ୍ୟ ଏବଂ ସଂରକ୍ଷଣ ସୁବିଧା ଅଭାବରୁ ଜମିରେ ପଚିଶଢ଼ି ନଷ୍ଟ ହେଉଛି। ଏହାଦ୍ୱାରା ଚାଷୀକୁଳ କ୍ଷତିର ସମ୍ମୁଖୀନ ହେବା ସହିତ କ୍ରମାଗତ ରାସାୟନିକ ସାର ତଥା କୀଟନାଶକର ପ୍ରୟୋଗ ହେତୁ ମାଟିର ଗୁଣବତ୍ତା ମାରାତ୍ମକ ଭାବରେ ହ୍ରାସ ପାଇ ଚାଲିଛି।କରିବାର ଅନେକ କିଛି ଅଛି। କେବଳ ବିକାଶର ନିଶାରେ ଅନ୍ଧ ଭଳି ଭାସି ନ ଯାଇ ଭବିଷ୍ୟତକୁ ସୁରକ୍ଷିତ ଏବଂ ସଂରକ୍ଷିତ କରିବାର ବ୍ୟବସ୍ଥା ଗ୍ରହଣ କରିବା ଏକାନ୍ତ ବାଞ୍ଛନୀୟ।

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ
ମୋ: ୯୪୩୭୨୮୭୯୬୪


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।