ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

Jul 09, 2026 - 10:23
ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା, ମନ୍ଦିର ଯାଇ ଶିବଲିଙ୍ଗରେ କ୍ଷୀର ଢାଳିବା କିମ୍ବା ଠାକୁରଙ୍କ ଆଗରେ ଦୀପ ଜାଳିବା ଆଜି ଏକପ୍ରକାର ବାହ୍ୟ ପ୍ରଦର୍ଶନ ବା ‘ଟ୍ରେଣ୍ଡ’ ପାଲଟିଯାଇଛି। କିନ୍ତୁ ଏହି ବାହ୍ୟ ଭକ୍ତି ପଛରେ ଲୁଚି ରହିଥିବା ମାନସିକତା ଅତ୍ୟନ୍ତ ଚିନ୍ତାଜନକ।
ଯେଉଁ ସମାଜରେ ଭଗବାନଙ୍କୁ ସର୍ବଶକ୍ତିମାନ ବୋଲି କୁହାଯାଏ, ସେହି ସମାଜରେ ଠାକୁରଙ୍କ ସମ୍ପତ୍ତି, ଗହଣା ଏବଂ ସ୍ବୟଂ ମୂର୍ତ୍ତି ଚୋରି ହେବା ଆମର ଧାର୍ମିକ ଓ ନୈତିକ ସ୍ଖଳନକୁ ସ୍ପଷ୍ଟ କରୁଛି ।
ଆମେ ନିଜକୁ ‘ଭକ୍ତ’ ବୋଲି ପରିଚୟ ଦେବାକୁ ଭଲପାଉ, କିନ୍ତୁ ଆମ କର୍ମରେ ସେହି ଭକ୍ତିର କୌଣସି ପ୍ରଭାବ ନଥାଏ । ଉଦାହରଣ ସ୍ବରୂପ – କିଛିଦିନ ତଳେ ଭୁବନେଶ୍ୱରର ଏକ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ହେବା, ଅଯୋଧ୍ୟାର ରାମମନ୍ଦିର କିମ୍ବା ଶ୍ରୀକୃଷ୍ଣ ଜନ୍ମସ୍ଥଳୀର ଦାନବାକ୍ସରୁ ଅର୍ଥ ଲୁଟ୍‌ ହେବା ଦର୍ଶାଏ ଯେ ମଣିଷ ମନରୁ ପାପବୋଧ ଓ ସଦ୍‌ବୁଦ୍ଧି ଲୋପ ପାଇଗଲାଣି।
ଯେଉଁ ମହାଶକ୍ତିକୁ ଆମେ ସୃଷ୍ଟିକର୍ତ୍ତା ବୋଲି ମାନୁ, ତାଙ୍କରି ମନ୍ଦିରରେ ଲୁଟ୍‌ କରୁଛୁ। ମଣିଷ ନିଜେ ପଥର କିମ୍ବା ଧାତୁରେ ମୂର୍ତ୍ତି ଗଢ଼ୁଛି, ତାଙ୍କୁ ସୁନା-ଗହଣାରେ ସଜାଉଛି ଏବଂ ନିଜର ଅହଙ୍କାର ପ୍ରଦର୍ଶନ କରୁଛି। ଧର୍ମ ନାମରେ ସାଧାରଣ ଲୋକଙ୍କଠାରୁ ବିପୁଳ ପରିମାଣର ଦାନ ଆଦାୟ କରାଯାଉଛି, ଯାହା ଶେଷରେ ଚୋର ଏବଂ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ପାଲଟୁଛି।
ଆଜି ମନ୍ଦିରଗୁଡ଼ିକ ଆଧ୍ୟାତ୍ମିକ ଚେତନାର କେନ୍ଦ୍ର ହେବା ଅପେକ୍ଷା ଆର୍ଥିକ କାରବାରର ପେଣ୍ଠସ୍ଥଳ ପାଲଟିଯାଇଛନ୍ତି।
ସମୟ ଆସିଛି, ଆମର ଆଧ୍ୟାତ୍ମିକ ଦୃଷ୍ଟିକୋଣ ବଦଳାଇବାକୁ ପଡ଼ିବ। ଭଗବାନଙ୍କୁ ମନ୍ଦିରର ସୁନାଗହଣା କିମ୍ବା ଦାନବାକ୍ସର ଅର୍ଥରେ ସୀମିତ ନ ରଖି, ନିଜର ଚରିତ୍ର ଏବଂ କର୍ମରେ ସ୍ଥାନ ଦେବାକୁ ହେବ। ମନ୍ଦିରର ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଇବା ଏକ ବାହ୍ୟ ବ୍ୟବସ୍ଥା ହୋଇପାରେ, କିନ୍ତୁ ସବୁଠାରୁ ବଡ଼ ସୁରକ୍ଷା ହେଉଛି ମଣିଷର ‘ବିବେକ’। ଯେ ପର୍ଯ୍ୟନ୍ତ ମଣିଷ ନିଜ ଭିତରର ଲୋଭ ଓ କପଟତାକୁ ଚୋରି ନ କରିଛି, ସେ ପର୍ଯ୍ୟନ୍ତ ସେ ଭକ୍ତିର ମୁଖା ପିନ୍ଧିଥିବା ଏକ ଅପରାଧୀ ମାତ୍ର।
ଅଯୋଧ୍ୟାର ଶ୍ରୀରାମ ମନ୍ଦିର ଭାରତୀୟ ସଂସ୍କୃତିର ଏକ ମହାନ୍‌ ପ୍ରତୀକ ଭାବେ ପରିଗଣିତ।
ଏପରି ଏକ ତୀର୍ଥକ୍ଷେତ୍ରରେ ଭକ୍ତମାନଙ୍କ ଦାନ ଅର୍ଥ ଚୋରି ହେବାର ଅଭିଯୋଗ କେବଳ ଏକ ଆର୍ଥିକ ଅନିୟମିତତା ନୁହେଁ, ଏହା ଭକ୍ତି, ବିଶ୍ୱାସ ଓ ନୈତିକତା ଉପରେ ଏକ ନିର୍ଲଜ୍ଜ ଆଘାତ।
ଭକ୍ତ ଯେତେବେଳେ ମନ୍ଦିରର ଦାନପାତ୍ରରେ ଅର୍ଥ ଅର୍ପଣ କରେ, ସେ କେବଳ ଟଙ୍କା ଦିଏ ନାହିଁ, ସେ ନିଜର ଶ୍ରଦ୍ଧା, ଆଶା ଓ ଅନ୍ତରର ବିଶ୍ୱାସକୁ ସମର୍ପଣ କରେ । ସେହି ଦାନ ଅର୍ଥ ଯଦି ମନ୍ଦିରର ଦାୟିତ୍ୱପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଚୋରି ହୁଏ, ତେବେ ଏହା ସାଧାରଣ ଚୋରିଠାରୁ ଅଧିକ ଗୁରୁତର ଅପରାଧ। କାରଣ ଏଠାରେ କେବଳ ଧନ ହରଣ ହୋଇନାହିଁ, ହରଣ ହୋଇଛି ଲକ୍ଷ ଲକ୍ଷ ଭକ୍ତଙ୍କ ବିଶ୍ୱାସ।
ବାସ୍ତବରେ ଧାର୍ମିକ ସଂସ୍ଥାଗୁଡ଼ିକ ସମାଜର ନୈତିକ ଶିକ୍ଷାର କେନ୍ଦ୍ରସ୍ଥଳ। ଲୋକମାନେ ଆଶାକରନ୍ତି ଯେ, ଏଠାରେ ସତ୍ୟ, ସତ୍ୟନିଷ୍ଠା ଓ ପବିତ୍ରତାର ସର୍ବୋଚ୍ଚ ମାନଦଣ୍ଡ ପାଳନ କରାଯିବ । କିନ୍ତୁ ଯେତେବେଳେ ମନ୍ଦିର ପରିସର ଭିତରେ ହିଁ ଲୋଭ, ଅସାଧୁତା ଓ ଦୁର୍ନୀତି ପ୍ରବେଶ କରେ, ସେତେବେଳେ ସାଧାରଣ ଲୋକଙ୍କ ମନରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠେ – ଯଦି ଈଶ୍ୱରଙ୍କ ଘରେ ମଧ୍ୟ ସତ୍ୟନିଷ୍ଠା ସୁରକ୍ଷିତ ନୁହେଁ, ତେବେ ସମାଜର ଅନ୍ୟ କ୍ଷେତ୍ରରୁ ଆମେ କ’ଣ ଆଶା କରିବା?
ଏହି ଘଟଣାର ସବୁଠାରୁ ଦୁଃଖଦ ଦିଗ ହେଉଛି, ଏହା ଅନେକ ଭକ୍ତଙ୍କ ମନରେ ଆସ୍ଥାର ସଙ୍କଟ ସୃଷ୍ଟି କରିଛି। କେତେକ ଲୋକ ଧର୍ମ ଓ ଧାର୍ମିକ ଅନୁଷ୍ଠାନ ପ୍ରତି ନିରାଶ ହୋଇପଡିବା ସ୍ବାଭାବିକ। ମନ୍ଦିର ଯେତେ ପବିତ୍ର ହେଉ ନା କାହିଁକି, ତାହାର ପରିଚାଳନା ମନୁଷ୍ୟଙ୍କ ହାତରେ ଥାଏ। ଆଉ ମନୁଷ୍ୟ ଯେତେବେଳେ ନୈତିକତା ହରାଏ, ସେତେବେଳେ ପବିତ୍ରତମ ସ୍ଥାନ ଅପବିତ୍ର ହୋଇଯାଏ।

ପ୍ରଶାନ୍ତ ବେଉରିଆ

ମୋ: ୯୪୩୭୦୪୬୮୪୯

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।