ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ
ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ ଜଙ୍ଗଲ ଜମିରେ ଚାଷ ସହ ଘର ଦ୍ୱାରକରି ରହୁଛନ୍ତିି। ଏହି ଜମିରେ ବନ ବିଭାଗ ପକ୍ଷରୁ ବୁଧବାର ରୋପଣ କରିବା ପାଇଁ ବନ କର୍ମଚାରୀ, ପୋଲିସ ଓ ତହସିଲର କେତେକ କର୍ମଚାରୀ ଯାଇଥିଲେ।
କିନ୍ତୁ ଏହାକୁ ସେଠାରେ ଦୀର୍ଘଦିନ ଧରି ବାସ କରୁଥିବା କଣ୍ଡରାପାଟିଆ ଗ୍ରାମବାସୀ ତୀବ୍ର ବିରୋଧ କରିବା ସହିତ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ସହ ମାରପିଟ୍ ହୋଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଚାରାରୋପଣକୁ ବିରୋଧକରି ଗଁାମୁଣ୍ଡ ମୁଖ୍ୟ ରାସ୍ତାରେ ଧାରଣା ଦେଇଥିଲେ। ଫଳରେ ବନ ବିଭାଗ ପକ୍ଷରୁ ଉକ୍ତ ଜମିର ସୀମା ନିର୍ଦ୍ଧାରଣ ପାଇଁ ପିଲର ତିଆରି କରିବାକୁ ନେଇ ଯାଉଥିବା ବାଲି, ସିମେଣ୍ଟ ଓ ଗୋଡ଼ି ଗାଡିକୁ ଗ୍ରାମବାସୀ ଅଟକାଇ ଗୋ ବ୍ୟାକ ନାରା ଦେଇଥିଲେ। ପରେ ବନ ବିଭାଗ କର୍ମଚାରୀମାନେ ଫେରି ଆସିଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ପକ୍ଷ ଆହତ ହୋଇଥିଲେ ମଧ୍ୟ ଥାନାରେ ଅଭିଯୋଗ ହୋଇନି। ସୁରକ୍ଷା କର୍ମୀମାନେ ଘଟଣାସ୍ଥଳରେ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଏହି ସମସ୍ୟାର ସମାଧାନ ବାଟ ଫିଟିବା ପାଇଁ ଏକ ସତନ୍ତ୍ର ବୈଠକ ବସିବ ବୋଲି ତହସିଲ ପ୍ରଶାସନ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ ସରପଞ୍ଚ ବିଶ୍ୱଜିତ ବସୁ କହିଛନ୍ତି, ଦୀର୍ଘ ପ୍ରାୟ ୭୫ ବର୍ଷ ଧରି ଗ୍ରାମବାସୀ ଏହି ପତିତ ଜମିରେ ଚାଷବାସ କରି ପରିବାର ପୋଷଣ କରୁଛନ୍ତି। ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ହସ୍ତକ୍ଷେପ ପରେ ଚାରାରୋପଣ ସ୍ଥଗିତ ରହିଛି। ଏହି ଘଟଣାର ଶାନ୍ତିପୂର୍ଣ୍ଣ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ଲୋକେ ଦାବି କରିଛନ୍ତି। ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର, ଏସିଏଫ ଗଗନ ବିହାରୀ ମଲିକ ଓ ରେଞ୍ଜ ଅଧିକାରୀ ଶାନ୍ତନୁ କୁମାର ଦଳାଇଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ସହିତ ଜମ୍ବୁ ସାମୁଦ୍ରିକ ଥାନା ଓ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିକାରୀ ଭରଦ୍ୱାଜ ଗାଁଓଙ୍କରଙ୍କ ମତାମତ ନେବାରେ ଗ୍ରାମବାସୀଙ୍କ ବିରୋଧ ଯୋଗୁ ସାମୟିକ ଭାବେ ଚାରାରୋପଣ ସ୍ଥଗିତ ରହିଛି। ଆଗାମୀ ଦିନରେ ଧାରାବାହିକ ଭାବରେ ଚାରା ରୋପଣ ସହ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।