କାଳିଆର ଅଲୌକ ଲୀଳା: ‘ମହାପ୍ରଭୁଙ୍କ ବିଜେରେ ଚମକିଲା ବିଜୁଳି’, ଟାହିଆର ଗତିକୁ ତାଳ ଦେଇ ଆକାଶରେ ଝଟକୁଥିଲା ବିଜୁଳି
ପୁରୀ ୧୮/୦୬: ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର । ଆଡ଼ପ ପହଣ୍ଡି ଦେଖିବାକୁ ଅସଂଖ୍ୟ ଭକ୍ତଙ୍କ ଭିଡ଼ । ଗୁଣ୍ଡିଚାମନ୍ଦିର ଶରଧାବାଲିଠାରୁ ବଡ଼ଶଙ୍ଖ ପାର ପର୍ଯ୍ୟନ୍ତ କେବଳ ମୁଣ୍ଡମାଳ । ମେଘାଛନ୍ନ ଆକାଶ । କୁଣ୍ଡା ଝାଡ଼ିଲା ଭଳି ବର୍ଷାରେ ରଥାରୁଢ଼ ଭାଇଭଉଣୀ ଦୁହିଁଙ୍କ ପହଣ୍ଡି ସରିଲା । ମହାପ୍ରଭୁ ରଥ ଚକଡ଼ାରୁ ଧୀର ମନ୍ଥର ଗତିରେ ଓହ୍ଲାଇଲେ । ହଠାତ୍ କଳାହାଣ୍ଡିଆ ମାଡ଼ି ଆସିଲା । ଚତୁର୍ଦ୍ଦିଗ ଅନ୍ଧାର ହୋଇଗଲା । ମହାପ୍ରଭୁଙ୍କ ବିଜେରେ ଚମକିଲା ବିଜୁଳି । ଠାକୁରଙ୍କ ଦୋଳାୟମାନ ଟାହିଆର ଗତିକୁ ତାଳ ଦେଇ ଆକାଶରେ ଝଟକୁଥିଲା ବିଜୁଳି । ଅନର୍ଗଳ ଅଜାଡ଼ିଲା ବର୍ଷା । କାଳିଆ ଠାକୁରେ ସେହି ଘନଘଟା ଭିତରେ ଅଜ୍ଞାନୀ ଖେଳୁଆଡ଼ ଶିଶୁ ଭଳି ତିନ୍ତି ବୁଡ଼ି ଆଡ଼ପ ମଣ୍ଡପକୁ ବିଜେ କଲେ । ଭକ୍ତମାନେ ନିଜ ସୁରକ୍ଷା ଭୁଲି ଠାକୁରଙ୍କ ମହିମା ଦେଖି ଅଭିଭୂତ ହେଲେ ।
ଏହା ୧୮୮୪ ମସିହା ରଥ ଯାତ୍ରାର ଦୃଶ୍ୟ । ଏହି ଅବସରରେ ରଥ ଯାତ୍ରାଠାରୁ ୩ ଦିନ ପର୍ଯ୍ୟନ୍ତ ଇନ୍ଦ୍ରଦେବ କରୁଣା କରିଥିଲେ । ବର୍ଷା ନଥିବାରେ ତିନି ଦିନରେ ୩ ରଥ ଗୁଣ୍ଡିଚାଘର ସମ୍ମୁଖରେ ପହଞ୍ଚିଥିଲା । ସେ ବର୍ଷ ମାଜିଷ୍ଟ୍ରେଟ୍ ଜୋନ୍ସ ସାହେବ ଠାକୁରଙ୍କ ଶ୍ରୀମନ୍ଦିର ପହଣ୍ଡିଠାରୁ ରଥ ଚଳା ପର୍ଯ୍ୟନ୍ତ ବେଶ୍ ତତ୍ପର ଥିଲେ । ପୂର୍ବ ବର୍ଷଗୁଡ଼ିକ ତୁଳନାରେ ରଥ ଚାଳନା ବେଶ୍ ଶୃଙ୍ଖଳିତ ଥିଲା । ସେଥର ଏକ ନୂଆ ବ୍ୟବସ୍ଥା କରାଇଥିଲେ ବିଲାତି ଅଧିକାରୀ । ସାହେବ ପ୍ରଶଂସିତ ବଜାରୀ ପିଲାଙ୍କୁ ବାଛି ରଥ ଚାଳନାରେ ଭିଡ଼ ନିୟନ୍ତ୍ରଣ କାର୍ଯ୍ୟରେ ଲଗାଇଥିଲେ ।
ଅଧିକ ପଢ଼ନ୍ତୁ :- Rath Khala Update: ଭୂଇଁରେ ଲାଗିଲା କଇଁଚି ଓ ଅନ୍ଧାରିତାଗ, ଖଳାରେ ଇଶ କାର୍ଯ୍ୟ ଆରମ୍ଭ
ସେମାନଙ୍କ ହାତରେ ବେତ ଧରାଇ ଦେଇ ଲୋକଙ୍କ ଦ୍ୱାରା ରଥ ଟଣା କରାଇଲେ । ପୁଲିସ ସାହେବଙ୍କ ହୁକୁମ ପାଇ ବଜାରୀ ପିଲାମାନେ କିଛି ଅଂଶରେ ଲୋକଙ୍କ ଉପରେ ଜୁଲମ୍ ମଧ୍ୟ କରିଥିଲେ । ରଥ ଟଣା ଶେଷରେ ପୁଲିସ ବାବୁ ବଜାରୀ ପିଲାଙ୍କୁ ମିଠାଇ ବଣ୍ଟନ କରିଥିଲେ । ସେ ବର୍ଷ କଲେରାରେ ବହୁ ପୀଡ଼ ିତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବେଶ୍ କିଛି ଦିନ ପର୍ଯ୍ୟନ୍ତ ପୁରୀରେ କଲେରା ଲାଗି ରହିଥିବା ଲକ୍ଷ୍ୟ କରାଯାଇଥିଲା । ଉତ୍କଳ ଦୀପିକା ତଥ୍ୟ ଆଧାରରେ ଏହା ଲେଖିଛନ୍ତି ଗବେଷକ ଡ. ଭାସ୍କର ମିଶ୍ର ।