କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ
ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।
କେନ୍ଦ୍ର ସରକାର ଯଦି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଅନ୍ତି, ତେବେ ରସ୍ତୋଗୀ ଜୁନ୍ ୨୦୨୭ ପର୍ଯ୍ୟନ୍ତ ନିଜ ପଦବୀରେ ରହିବେ। ସେତେବେଳକୁ ଗ୍ରେଡେଶନ ତାଲିକାରେ ତାଙ୍କଠାରୁ ବରିଷ୍ଠ ୧୯୯୦-ବ୍ୟାଚର ଦୁଇ ସହକର୍ମୀ ସୁଧୀର ରାଜପାଲ ଏବଂ ସୁମିତା ମିଶ୍ର ଅବସର ନେଇସାରିଥିବେ। ଫଳରେ ପୂର୍ବରୁ ସେମାନଙ୍କୁ ଅଣଦେଖା କରି ରସ୍ତୋଗୀଙ୍କୁ ନିଯୁକ୍ତିଦେବା ଯୋଗୁ ଯେଉଁ ବିବାଦ ସୃଷ୍ଟି ହୋଇଥିଲା, ତାହା ସମାଧାନ ହୋଇପାରିବ ନାହିଁ। ରସ୍ତୋଗୀଙ୍କ କାର୍ଯ୍ୟକାଳ ପୁଣି ବଢ଼ାଇବା ଦ୍ୱାରା ଏକ ଧାରଣା ସୃଷ୍ଟି ହୋଇପାରେ ଯେ, କୌଣସି ନିଷ୍ପତ୍ତି ନେବା ଅପେକ୍ଷା ତାହାକୁ ବିଳମ୍ବ କରିବା ଅଧିକ ସହଜ । ହରିୟାଣାର ଏହି ଘଟଣା ଏକ ବ୍ୟାପକ ପ୍ରବୃତ୍ତିକୁ ପ୍ରତିଫଳିତ କରୁଛି। ସାରା ଦେଶରେ ସରକାରମାନେ ନିରନ୍ତରତା ନାମରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ କ୍ରମାଗତ ଭାବେ ବୃଦ୍ଧି କରୁଛନ୍ତି। ନିୟମ ଅନୁଯାୟୀ କେବଳ ବିଶେଷ ପରିସ୍ଥିତିରେ ହିଁ କାର୍ଯ୍ୟକାଳ ବୃଦ୍ଧି ପାଇଁ ଅନୁମତି ରହିଛି, କିନ୍ତୁ ଏବେ ଏଥିରେ ବ୍ୟତିକ୍ରମ ହେଉଛି ଓ ତାହା ଏକ ସାଧାରଣ ନିୟମ ହୋଇଗଲାଣି। ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହା ସୂଚାଇଥାଏ ଯେ ପ୍ରଶାସନିକ ସୁବିଧା ପାଇଁ ଉତ୍ତରାଧିକାରୀ ବାଛିବାର ଯୋଜନାକୁ ପଛକୁ ରଖାଯାଉଛି। ଯଦି ସରକାରମାନେ ନିଜର ବିଶ୍ୱସ୍ତ ଅଧିକାରୀଙ୍କୁ ପଦବୀରେ ରଖିବା ପାଇଁ ବାରମ୍ବାର କାର୍ଯ୍ୟକାଳ ବୃଦ୍ଧି କରିବା ଉପରେ ଅଧିକ ନିର୍ଭର କରନ୍ତି, ତେବେ ତାହା ଏହି ବାର୍ତ୍ତା ଦେଇପାରେ ଯେ, ନିୟମଗୁଡ଼ିକ କେବଳ କ୍ଷମତାଧାରୀଙ୍କ ସୁବିଧା ଅନୁଯାୟୀ ହୋଇଥାଏ।
ବଦଳିର ପ୍ରକୃତ ପରୀକ୍ଷା
ଦିଲ୍ଲୀରେ ୫୦ରୁ ଅଧିକ ଆଇଏଏସ୍ ଏବଂ ଡିଏଏନ୍ଆଇସିଏସ୍ ଅଧିକାରୀଙ୍କ ବ୍ୟାପକ ବଦଳି ପ୍ରକ୍ରିୟା ଆରମ୍ଭ ହୋଇଛି। କାଗଜପତ୍ରରେ ଏହା ଏକ ପ୍ରଶାସନିକ ପଦକ୍ଷେପ ହୋଇପାରେ, ହେଲେ ବାସ୍ତବରେ ଏହା କ୍ଷମତା ପ୍ରଦର୍ଶନର ଏକ ସଙ୍କେତ। ବଦଳିକୁ ରାଜନେତାମାନେ ସେମାନଙ୍କ ପସନ୍ଦର ପ୍ରଶାସନିକ ଅସ୍ତ୍ର କରିଆସିଛନ୍ତି। ସାମ୍ପ୍ରତିକ ଅଦଳବଦଳରେ ଅନେକ ବିଭାଗର ସଚିବ ଏବଂ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ଅଧିକାରୀମାନେ ପ୍ରଭାବିତ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଦୀର୍ଘଦିନ ଧରି ସମାଲୋଚନାର ସମ୍ମୁଖୀନ ହେଉଛି ଏବଂ ନାଗରିକ ସେବାର ଦୁର୍ବଳତା ଦିଲ୍ଲୀବାସୀଙ୍କୁ ହତାଶ କରୁଛି। ସମସ୍ୟା ହେଉଛି, ବାରମ୍ବାର ବଦଳିରେ କ୍ଷତି ହୁଏ। ଏହାଦ୍ୱାରା ଦୀର୍ଘକାଳୀନ ଯୋଜନା ବାଧାପ୍ରାପ୍ତ ହୋଇଥାଏ, ଉତ୍ତରଦାୟିତ୍ୱ ରହେ ନାହିଁ ଏବଂ ସଂସ୍ଥାଗତ ଅଭିଜ୍ଞତା ହ୍ରାସ ପାଏ। ଏହା କେବଳ ଦିଲ୍ଲୀର ସମସ୍ୟା ନୁହେଁ। ପ୍ରତ୍ୟେକ ରାଜନୈତିକ ଦଳ କ୍ଷମତାକୁ ଆସିବା ପରେ ବଦଳି ଫାଇଲ ଖୋଲିଦିଅନ୍ତି। ସୁପ୍ରିମକୋର୍ଟ ସିଭିଲ ସର୍ଭାଣ୍ଟଙ୍କୁ ସରକାରଙ୍କ ମନମୁଖି ନିଯୁକ୍ତିରୁ ରକ୍ଷା କରିବା ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ସ୍ଥିର କରିବା ମତ ରଖିଥିଲେ, ତାହା ଅଧିକାଂଶ କ୍ଷେତ୍ରରେ କାଗଜପତ୍ରରେ ସୀମିତ ରହିଯାଇଛି। କାରଣ ସରକାରମାନେ ଏବେ ମଧ୍ୟ ଆନୁଗତ୍ୟକୁ ପୁରସ୍କୃତ କରିବା, ଅମାନୁଷିକତା କିମ୍ବା ଅସହମତିକୁ ଦଣ୍ଡିତ କରିବା ଏବଂ ରାଜନୈତିକ ନିୟନ୍ତ୍ରଣକୁ ମଜଭୁତ କରିବା ବଦଳିକୁ ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ପସନ୍ଦ କରୁଛନ୍ତି। ତେଣୁ ଏହି ବଦଳି ପ୍ରକ୍ରିୟାର ସଫଳତା କେତେ ସଂଖ୍ୟକ ବାବୁ ଅଫିସ୍ ବଦଳାଇଲେ ସେଥିରୁ ମପାଯିବ ନାହିଁ। ଏହା ସେତେବେଳେ ମପାଯିବ ଯେତେବେଳେ ଦିଲ୍ଲୀର ବାସିନ୍ଦାମାନେ ସ୍ବଚ୍ଛ ହସ୍ପିଟାଲ, ଉନ୍ନତ ପୌରସେବା ଏବଂ ଦ୍ରୁତ ଗତିରେ କାର୍ଯ୍ୟ କରୁଥିବା ଏକ ସରକାର ଦେଖିବାକୁ ପାଇବେ।
ଅମରିନ୍ଦରଙ୍କ ପ୍ରଭାବ
ପଞ୍ଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଅମଲାତନ୍ତ୍ରର ଗୁରୁତ୍ୱ ସେତେ ବଢ଼ୁଛି। ସେଥିପାଇଁ ଭଗଓ୍ବନ୍ତ ମାନ୍ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପ୍ରଭାବକୁ ସହଜରେ ଅଣଦେଖା କରିପାରିବେ ନାହିଁ। ଅମରିନ୍ଦର ୨୦୨୧ରୁ କ୍ଷମତାରୁ ବାହାରେ ଅଛନ୍ତି। ତାଙ୍କ ଦଳ ଭାଜପା ସହ ମିଶିସାରିଛି ଏବଂ ସେ ଆଉ ପଞ୍ଜାବର ନିର୍ବାଚନ ରାଜନୀତିର କେନ୍ଦ୍ରବିନ୍ଦୁରେ ନାହାନ୍ତି। ତଥାପି ଚଣ୍ଡିଗଡ଼ର ବାବୁ ମହଲରେ ବିଶ୍ୱାସ ରହିଛି ଯେ, କ୍ୟାପଟେନଙ୍କ ପ୍ରତି ଅନେକ ବରିଷ୍ଠ ଅଧିକାରୀଙ୍କ ସମ୍ମାନ ଏବଂ ସମର୍ଥନ ଅଛି। ଦୁଇଥର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅମରିନ୍ଦର ଏପରି ଏକ ଅଧିକାରୀ ନେଟୱର୍କ ଗଢ଼ିଥିଲେ, ଯେଉଁମାନେ ତାଙ୍କ କାର୍ଯ୍ୟଶୈଳୀକୁ ଜାଣନ୍ତି ଏବଂ ତାଙ୍କ ବିଚାର ଉପରେ ଆସ୍ଥା ରଖିଛନ୍ତି। ସରକାର ବଦଳିଗଲା ବୋଲି ସେହି ସମ୍ପର୍କଗୁଡ଼ିକ ଶେଷ ହେବ ନାହିଁ। ନିର୍ବାଚନ ପାଖେଇ ଆସିଲେ ଅଧିକାରୀମାନଙ୍କର ହେଉଥିବା ବାରମ୍ବାର ବଦଳିରୁ ଏହା ଜଣାପଡ଼ିଥାଏ। ସରକାରୀ ସ୍ତରରେ ଏହାକୁ ପ୍ରଶାସନିକ ଦକ୍ଷତା କୁହାଯାଏ। କିନ୍ତୁ ବାସ୍ତବରେ ଏହା ନୀତି କାର୍ଯ୍ୟକାରୀ କରିବା ସହ ନିର୍ବାଚନ ପରିଚାଳନା କରୁଥିବା ପ୍ରଶାସନିକ ବ୍ୟବସ୍ଥା ଉପରେ ସରକାରଙ୍କ ନିୟନ୍ତ୍ରଣକୁ ସୂଚିତ କରେ। ପଞ୍ଜାବ ପାଞ୍ଚ ବର୍ଷ ମଧ୍ୟରେ ତିନୋଟି ସରକାର ଦେଖିଛି-ଅମରିନ୍ଦର ସିଂହଙ୍କଠାରୁ ଚରଣଜିତ ସିଂହ ଚନ୍ନୀ ଏବଂ ତା’ପରେ ଭଗଓ୍ବନ୍ତ ମାନ୍। ପ୍ରତ୍ୟେକ ସରକାର ପରିବର୍ତ୍ତନ ପରେ ବ୍ୟାପକ ବଦଳି କରାଯାଇଛି। ଏହା ଦର୍ଶାଏ ଯେ, ଅମଲାତନ୍ତ୍ର ଉପରେ ନିୟନ୍ତ୍ରଣ ଗୁରୁତ୍ୱପୂର୍ଣ୍ଣ। ସାଧାରଣ ଜୀବନରେ ପ୍ରଭାବ ସବୁବେଳେ କେବଳ ପଦବୀ ସହିତ ଆସେନାହିଁ। ଏହା ପ୍ରାୟତଃ ସଂସ୍ଥାଗତ ଅଭିଜ୍ଞତା, ବ୍ୟକ୍ତିଗତ ବିଶ୍ୱସନୀୟତା ଏବଂ ଦୀର୍ଘ ଦିନର ସମ୍ପର୍କ ଦ୍ୱାରା ବଞ୍ଚିରହେ। ପଞ୍ଜାବ ପରବର୍ତ୍ତୀ ନିର୍ବାଚନ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଅମରିନ୍ଦରଙ୍କ ପ୍ରଭାବ ମାନ୍ ଓ ତାଙ୍କ ସହଯୋଗୀଙ୍କୁ ସତର୍କ ରହିବାକୁ ବାଧ୍ୟ କରୁଛି।
ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍
Email: dilipcherian@gmail.com
Dharitri – Odisha’s No.1 Odia Daily
The post କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ appeared first on Dharitri Odia News.