Welcome!

Unlock your personalized experience.
Sign Up

Thalapathy Vijay: କାବେରୀ ଜଳ ବିବାଦ ମଧ୍ୟରେ କର୍ଣ୍ଣାଟକରେ ‘ଜନ ନାୟକନ’ର ସ୍କ୍ରିନିଂ କ୍ୟାନସେଲ୍

Jul 31, 2026 - 21:08
Thalapathy Vijay:  କାବେରୀ ଜଳ ବିବାଦ ମଧ୍ୟରେ କର୍ଣ୍ଣାଟକରେ ‘ଜନ ନାୟକନ’ର ସ୍କ୍ରିନିଂ କ୍ୟାନସେଲ୍

ନୂଆଦିଲ୍ଲୀ : ଅଭିନେତାରୁ ନେତା ଓ ପୁଣି ସିଏମ୍ ହୋଇଥିବା ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟକନ’କୁ କର୍ଣ୍ଣାଟକରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ପୂରା ବିବାଦ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ବର୍ଷ ବର୍ଷ ଧରି ଚାଲି ଆସିଥିବା କାବେରୀ ନଦୀ ଜଳ ବିବାଦକୁ ନେଇ ହୋଇଛି। ଗତ ସପ୍ତାହରେ ଫିଲ୍ମ ହଲରେ ରିଲିଜ ହୋଇଥିବା ଥଲାପତି ବିଜୟଙ୍କ ଉକ୍ତ ଫିଲ୍ମର କର୍ଣ୍ଣାଟକରେ କିଛି କନ୍ନଡ଼ ଗ୍ରୁପ୍ ବିରୋଧ କରିଛନ୍ତି। ଏହାପରେ ଫିଲ୍ମ ହଲ୍ ଗୁଡ଼ିକ ଫିଲ୍ମର ସ୍କ୍ରିନିଂକୁ ବାତିଲ କରି ଦେଇଛନ୍ତି।

କନ୍ନଡର ଅନେକ ମିଡିଆ ରିପୋର୍ଟ ଅନୁସାରେ, ମେକେଡାଟୁ ନଦୀବନ୍ଧ ପ୍ରକଳ୍ପ ଉପରେ ତାମିଲନାଡୁ ସିଏମଙ୍କ ଆଭିମୁଖ୍ୟକୁ ଦେଖିବା ପରେ କର୍ଣ୍ଣାଟକର ଅନେକ ଅଞ୍ଚଳରେ ତାଙ୍କର ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି। ଅନେକ ଗ୍ରୁପ୍ ଫିଲ୍ମ ହଲ୍ ବାହାରେ ଲାଗିଥିବା ପୋଷ୍ଟର ଗୁଡ଼ିକୁ ବାହାର କରି ଚିରି ଦେଇଛନ୍ତି। ଏହାପରେ ଫିଲ୍ମ ହଲ୍ ମାଲିକମାନେ ମଧ୍ୟ ସ୍ୱେଚ୍ଛା ଓ ଭୟ ଯୋଗୁଁ ଫିଲ୍ମର ସ୍କ୍ରିନିଂକୁ ରୋକି ଦେଇଛନ୍ତି।

କହି ରଖୁଛୁ କି , ୨୩ ଜୁଲାଇରେ ରିଲିଜ ହୋଇଥିବା ବିଜୟଙ୍କ ଫିଲ୍ମ ‘ଜନ ନାୟକନ’ କୁ କର୍ଣ୍ଣାଟକରେ ପ୍ରାୟ ୧୫୦ରୁ ଅଧିକ ଫିଲ୍ମ ହଲରେ ରିଲିଜ କରାଯାଇ ଥିଲା। କିନ୍ତୁ ଏବେ କାବେରୀ ଜଳ ବିବାଦ ଜୋର ଧରିବା ପରେ ଫିଲ୍ମ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ନଜର ଆସୁଛି।

ଅନେକ ରିପୋର୍ଟ ମୁତାବିକ , ବେଙ୍ଗାଲୁରୁର 'ଉର୍ବଶୀ' ଥିଏଟରରେ ବିଜୟଙ୍କ ଫିଲ୍ମ ଚାଲି ଥିଲା। କିନ୍ତୁ ବିବାଦ ଓ କନ୍ନଡ ଗୋଷ୍ଠୀଙ୍କ ବିରୋଧକୁ ଦେଖି ପୁଲିସ ହିଂସାକାଣ୍ଡ ହେବାର ଆଡଭାଇଜରୀ ଜାରି କରି ଥିଲା। ଏହାପରେ ବିଜୟଙ୍କ ଫିଲ୍ମ ବଦଳରେ ଥିଏଟର କନ୍ନଡ ଫିଲ୍ମ 'କାରାବଳୀ'ର ସ୍କ୍ରିନିଂ ଆରମ୍ଭ କରି ଥିଲା। ହେଲେ ଏହା ପରେ ମଧ୍ୟ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।

କାବେରୀ ଜଳ ବିବାଦ ଓ ଥଲାପତି ବିଜୟ –

ପ୍ରଦେଶର ରାଜନୀତିରେ ବଡ଼ ବଡ଼ ନେତାଙ୍କୁ ହରାଇବା ପରେ ମୁଖ୍ୟମନ୍ତ୍ରୀର ଆସନରେ ବସି ଥିବା ଥଲାପତି ବିଜୟଙ୍କ ପାଇଁ କାବେରୀ ଜଳ ବିବାଦ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଉଭୟ ରାଜ୍ୟ ମଧ୍ୟରେ ଏହି ବିବାଦ ଅନେକ ଦଶକରୁ ଜାରି ରହିଛି। କର୍ଣ୍ଣାଟକରୁ ପ୍ରବାହିତ ହୋଇ ତାମିଲନାଡୁକୁ ଆସୁଥିବା କାବେରୀର ଜଳ ଉପରେ ଏହି ଦୁଇ ରାଜ୍ୟ ନିଜର ଦାବି କରୁଛନ୍ତି। ଏମିତି ତ ଏହି ନଦୀର ଜଳ ବଣ୍ଟନକୁ ନେଇ ସର୍ତ୍ତ ରହିଛି। କିନ୍ତୁ ମୌସୁମୀର ଅଭାବରୁ ଚଳିତ ଥର କର୍ଣ୍ଣାଟକ ନିର୍ଦ୍ଦିଷ୍ଟ ମାତ୍ରାରୁ କମ୍ ଜଳ ଛାଡ଼ିଛି। ଏହି କାରଣରୁ ତାମିଲନାଡୁରେ ଆହୁରି ଅଧିକ ଜଳର ଅଭାବ ଦେଖା ଦେଇଛି।

ଆହୁରି ମଧ୍ୟ ପଢନ୍ତୁ - ରାଜେଶ ଖାନ୍ନାଙ୍କ 'ଆଶୀର୍ବାଦ' ବଙ୍ଗଳା , ଏହାକୁ 'ଭୂତକୋଠି' କହିବା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।