କଥାଟିଏ କହୁଁ
କଥା ଶୁଣିବା ପାଇଁ ମଣିଷ ଏତେ ଆଗ୍ରହୀ କାହିଁକି? ଏ ପ୍ରଶ୍ନର କୌଣସି ଉତ୍ତର ଦେବା ଅନୁଚିତ, କାରଣ କଥା ଶୁଣିବା ଛଡ଼ା ମଣିଷର ଅନ୍ୟ ଉପାୟ ନାହିଁ । ପ୍ରତିଦିନ ବିଶ୍ୱର ସବୁ ଭାଷାରେ ଲୋକେ କଥା କୁହନ୍ତି । କିଛିଲୋକ ଲେଖନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କଥା ଶବ୍ଦ, ସ୍ୱର, ଛନ୍ଦ, ସହିତ କୁହାଯାଏ । ସରାଗରେ, ବିରାଗରେ, ଅନୁରାଗରେ, କ୍ରୋଧରେ, ଦୁଃଖରେ ମଣିଷ କଥା ହିଁ କୁହେ । ପ୍ରତ୍ୟେକ ବାକ୍ୟ ପ୍ରତ୍ୟେକ ଛନ୍ଦ ଜୀବନ ଏକକର କିଛି ସାଙ୍କେତିକ କାହାଣୀ କୁହେ । ମୁଁ ଆଈମାଆ କାହାଣୀ, ଡାଆଣୀ-ଭୂତ କଥା କହୁନାହିଁ କି କାହ୍ନୁଚରଣ ମହାନ୍ତିଙ୍କ ‘କଥାଟିଏ କହୁଁ’ର ଗଳ୍ପଭିତ୍ତିକ ଆଲୋଚନା କରୁନାହିଁ । ପ୍ରତ୍ୟେକ ଶବ୍ଦ କିପରି ଗୋଟିଏ ଗୋଟିଏ କାହାଣୀର ଇଙ୍ଗିତ କରେ ତାର କିଛି ତାତ୍ପର୍ଯ୍ୟ ଦେଖାଇଦେବା । ମଣିଷ ସାଧାରଣ ଦିନଚର୍ଯ୍ୟାର କିଛି ଭାବିଚିନ୍ତି କହେନାହିଁ । ନିତିଦିନିଆ କଥାରେ ମଧ୍ୟ ଜୀବନର ବ୍ୟଥା, ପ୍ରେମ, ଆଶଙ୍କା କିପରି କାହାଣୀ ପରି ସଙ୍କେତ ଦିଏ ତାକୁ ଟିକିଏ ଦେଖିବା ଆସନ୍ତୁ ।
ପ୍ରଥମେ ସେକ୍ସପିଅରଙ୍କ ନାଟକରୁ ଉଦାହରଣଟିଏ ନେବି । ଆପଣ ଅବଶ୍ୟ ପଚାରିବେ ନାଟକରେ ଭାବିଚିନ୍ତି ଲେଖାଯାଏ । ତେଣୁ ତାହା କିପରି ସ୍ୱତଃ ପ୍ରକାଶ ହେଇପାରେ? ପ୍ରଶ୍ନ ଠିକ୍, କିନ୍ତୁ ନାଟକରେ ଯେଉଁ ପାତ୍ରପାତ୍ରୀ ଚରିତ୍ରମାନେ ସଂଳାପ କହନ୍ତି ସେ ସଂଳାପର ପାତ୍ରଟା ଚରିତ୍ର ଲେଖେନାହିଁ । ନାଟ୍ୟକାର ଜୀବନର ବାସ୍ତବରେ କ’ଣ ଘଟେ ଓ କିପରି ଘଟେ ତାହା କୁହେ । ମୁଁ ସେକ୍ସପିଅରଙ୍କ ଉଦାହରଣ ନେଉଛି, ଯେହେତୁ ମଣିଷ ଓ ବିଶ୍ୱ ମଧ୍ୟରେ ସଂପର୍କ ଯେମିତି-ସେମିତି ଏକ ପୂର୍ଣ୍ଣତାର କଥା ମଧ୍ୟ କୁହେ । କିନ୍ତୁ ଏ କଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୁଏ ଯେତେବେଳେ ଆମେ ପକ୍ୱ ଶବ୍ଦଟି ଶୁଣୁ । ଜନ୍ମ-ମୃତ୍ୟୁର ଜୀବନରେ ଏହି ପରିପକ୍ୱତାର ଅର୍ଥ କ’ଣ? ଫଳ ପାଚିଲେ ଝଡ଼ିଯାଏ । ଗଛ ବୁଢ଼ା ହେଲେ ଫଳକୁ ଧରି ରଖିପାରେନାହିଁ ମଧ୍ୟ । ଗଛ ବି ପାଚେ । କିନ୍ତୁ ଜୀବନ ଧାରାର ପରିପକ୍ୱତା କ’ଣ ବୁଢ଼ା ବୟସ କଥା କୁହେ? ସେକ୍ସପିଅର ମଣିଷର ବୁଢ଼ା ବୟସକୁ ପରିପକ୍ୱତା କହନ୍ତି ନାହିଁ । ପରିପକ୍ୱତା ମଣିଷର ବିଜ୍ଞତାର ଅଭିବ୍ୟକ୍ତି । ଏହି ବିଜ୍ଞତା କିପରି ବୁଝିବା ଏହାର ଅର୍ଥ କ’ଣ ଯେ ସମସ୍ତେ ବୁଢ଼ା ହେଲେ ମରନ୍ତି । ତେଣୁ ମଣିଷ ଏହି ପରିପକ୍ୱତା ଗ୍ରହଣ କରିବାକୁ ହେବ । ମୁଁ ଭାବେ ସେକ୍ସପିଅର ଏପରି ନିମ୍ନଭାବର ପରିପକ୍ୱତା କଥା କହିନାହାଁନ୍ତି । ମଣିଷ କେତେବେଳେ ହେଲେ ମରିବ, ତେଣୁ ସବୁବେଳେ ପ୍ରସ୍ତୁତ ରହିବାଟା ଏକ ପରିପକ୍ୱତା? ଏହା ମଧ୍ୟ ଠିକ୍ କଥା ନୁହେଁ । ଯଦି ମଣିଷ ତାର ସୀମିତ ଜୀବନ ଭିତରେ ବୁଝିପାରେ ଯେ, ସେ କେତେବର୍ଷ ବଞ୍ଚିବ ବଡ଼ କଥା ନୁହେଁ, କିନ୍ତୁ କଣ କରିବ ବା କରୁଛି ତାହା ହିଁ ପରିପକ୍ୱତାର ଲକ୍ଷଣ । ମଣିଷ ଏକ ସହନଶୀଳ ଜୀବ, ତେଣୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ନିହାତି ଗୁରୁତ୍ୱପୂର୍ଣ୍ଣ । ତେଣୁ କର୍ମ କରିବାକୁ ହେବ । କର୍ମ ମାନେ ଚାକିରି ବା ପ୍ରଫୁଲ୍ଲ କୁମାର ମହାନ୍ତି ମୋ: ୮୨୪୯୨୮୭୦୩୭ କେତେ ପ୍ରକାର ରହସ୍ୟମୟ ବା ଶାନ୍ତ-ଅଶାନ୍ତ ହେଇପାରେ ତାହା ସେକ୍ସପିଅର ବ୍ୟତୀତ କେହି ବିଶେଷ ଜାଣେନାହିଁ । ଗୋଟିଏ ଉଦାହରଣ ନେଉଛି ତାଙ୍କର ରାଜା ଲିୟର ନାଟକରୁ: We must bear our coming within or going hence: Ripeness is all ଅର୍ଥାତ୍- ଆମେ ଏଠାକୁ ଯେମିତି ଆସିଚୁ ସେମିତି ଯିବା, ପରିପକ୍ୱତା ହିଁ ସବୁ । ଅବଶ୍ୟ ସାଧାରଣ ମଣିଷ ଏପରି କଥା କହେନାହିଁ, କହିପାରିବ କି ନାହିଁ । ଦେଖନ୍ତୁ ଏଠାକୁ- ଏଠୁ ଏବଂ ଆସିବା ଯିବା ବହୁତ ସହଜ ହୁଏ । ମଣିଷ ଏ ପୃଥିବୀକୁ ଯେମିତି ଆସିଚି ସେମିତି ଯିବ । ଏଇଠୁ କଥା ଆରମ୍ଭ ହୁଏ । ମଣିଷ କେମିତି ଆସିଚି ଓ କେଉଁଠିକୁ? ମଣିଷ ମାତୃଗର୍ଭରୁ ରକ୍ତମଖା ହୋଇ ଛିଟିକି ପଡ଼ିଛି ଏହି ମାଟି ଉପରେ । ପୃଥିବୀର ନିଶ୍ୱାସ ପ୍ରଶ୍ୱାସ ଗ୍ରହଣ କରିବା ମାତ୍ରେ କାନ୍ଦିଉଠିଛି । ମଣିଷର ପ୍ରଥମ କଥା ହେଲା ରକ୍ତ-କାନ୍ଦଣାର କଥା ଯାହା ସମସ୍ତେ ବୁଝିପାରନ୍ତି । କିନ୍ତୁ ଏହି ରକ୍ତ ଯନ୍ତ୍ରଣାର କାନ୍ଦ ଅନେକ ଲୋକଙ୍କୁ ହସାଏ । ପିତାମାତା, ବନ୍ଧୁ, ସଂପର୍କୀୟ ସମସ୍ତେ ଖୁସି ହୁଅନ୍ତି ଓ ମଣିଷ ଉତ୍ସବ କରେ । ମଣିଷର ବାହୁଡ଼ା ଯାତ୍ରା ମଧ୍ୟ ସେହିପରି ଯନ୍ତ୍ରଣାମୟ । ଯଦି ଦୁର୍ଘଟଣାରେ ଯାଏ ତାହାହେଲେ ଯନ୍ତ୍ରଣା ଆହୁରି ମର୍ମନ୍ତୁଦ । ଯଦି ଜନ୍ମ ହେଉ ହେଉ ମରିଯାଏ କିମ୍ବା ବଡ଼ ହେଲାପରେ ସେ ଆତ୍ମହତ୍ୟା କରେ ବା ଯୁଦ୍ଧରେ ମରେ କିମ୍ବା ବିନା ଚିକିତ୍ସାରେ । ଗରିବ କୁଡ଼ିଆରେ ସଢ଼ି ସଢ଼ି ମରେ । ଅର୍ଥାତ୍ ଜନ୍ମ ଓ ମୃତ୍ୟୁ ଉଭୟ ଯନ୍ତ୍ରଣାସିକ୍ତ । ଜନ୍ମ ହେଲାବେଳେ ମାଆର ଯନ୍ତ୍ରଣାର କଥା ମଧ୍ୟ ଏହି ଯନ୍ତ୍ରଣା ଭିତରେ ସାମିଲ ହୁଏ । ସେକ୍ସପିଅର ଯନ୍ତ୍ରଣା କଥା କହିନାହାନ୍ତି । ଜନ୍ମ ମୃତ୍ୟୁକୁ ସେ ଏକ ଛନ୍ଦ କରିଦେଇଚନ୍ତି- ଯେମିତି ଆସିଚୁ, ସେମିତି ଯିବୁ । ଏହି ରୋଜଗାର କେବଳ ନୁହେଁ । କର୍ମର ପ୍ରକୃତ ଅର୍ଥ ହେଲା, ଯେଉଁ କର୍ମ ମଣିଷର ଓ ବ୍ୟକ୍ତିର ମରଣଶୀଳ ଜୀବନକୁ ଏକ ବଡ଼ପଣର ସରସତ୍ତା ଦିଏ । କର୍ମଟା କେବଳ ମୋର ନୁହେଁ । ଏ କର୍ମଟା ମଣିଷର । ମାନବ ଜାତିର । ମରଣଶୀଳ ମଣିଷ ମନରେ ଯଦି ସାଧନାର ଅମରତ୍ୱବୋଧ ଆସେ ତାହା ହିଁ ପରିପକ୍ୱତା । ଏହି ପରିପକ୍ୱତା ଜୀବନକୁ ସାର୍ଥକ କରେ । ଦୁଇ ଧାଡ଼ିରୁ ସାରାଜୀବନ କଥା କହିବାରେ ସେକ୍ସପିଅରଙ୍କଠାରୁ ଆଉ କେହି ନାହିଁ ।
ପ୍ରତ୍ୟେକ ମଣିଷ ଘରେ, ବାହାରେ, ଖେଳପଡ଼ିଆରେ, ସଭାରେ, ଅଫିସରେ, ସ୍ୱପ୍ନରେ ବିଳିବିଳେଇବାରେ କଥା କୁହେ । ଏହି କଥା କୌଣସି ନାଟ୍ୟକାରର ସଂଳାପ ନୁହେଁ । ଏହା ପ୍ରତ୍ୟେକ ବ୍ୟକ୍ତିର ଜୀବନ ସଂଳାପ । ମୋର ବି.ଏ. ପାଠପଢ଼ା ପରେ ମୁଁ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଏମ.ଏ. ପାଇଁ ଦରଖାସ୍ତ କଲାବେଳେ ସାର୍ଟିଫିକେଟର କପିମାନଙ୍କରେ ଜଣେ ଗେଜେଟେଡ ଅଫିସରଙ୍କ ଅନୁମୋଦନର ଆବଶ୍ୟକତା ପଡ଼ୁଥିଲା । ବ୍ରହ୍ମପୁରରେ ବହୁତ କମ୍ ଅଫିସ୍ ଥିଲା । ଜିରକ୍ସ ନଥିଲା, ପଇସା ଦେଇ ଟାଇପକରା କପିକୁ ନେଇ ମତେ ଜଣେ ବନ୍ଧୁଙ୍କ ନିର୍ଦ୍ଦେଶରେ ଯିବାକୁହେଲା ଜଣେ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସକୁ । ଖୋସାମତ କରି ସାହେବଙ୍କ ପାଖେ ନେହୁରା ହେଲି- ସାର୍, ମୋର ଏ କପିଗୁଡ଼ିକ ଅନୁମୋଦନ କରନ୍ତୁ । ସାହେବ କହିଲେ- Why don’t you go to some low paid officer ? ଅର୍ଥାତ୍, କମ୍ ଦରମା ପାଉଥିବା ତଳିଆ ଅଧିକାରୀଙ୍କ ପାଖକୁ କାହିଁକି ଯାଉନାହଁ? ଏହି ବାକ୍ୟ ଦେଖନ୍ତୁ- ଏଥିରେ ଅହଂକାର ସ୍ପଷ୍ଟ ହେଇପଡ଼େ । ସେ ଯେ ଜଣେ ଅଧିକା ଦରମା ପାଉଥିବା ଉଚ୍ଚ ପଦବିରେ ଆସୀନ ଅଫିସର, ଏକଥା ଜଣେ ୧୯ବର୍ଷର ପିଲାକୁ କହିବାରେ ତାଙ୍କର ସଙ୍କୋଚ ନାହିଁ । ଅହଂକାର, ଘୃଣା, ଅନ୍ୟକୁ ଛୋଟ କରିବାର ମନୋବୃତ୍ତି, ଗୋଟିଏ ଛୋଟ ପିଲାକୁ ସାହାଯ୍ୟ ନକରିବାର ନୀଚମନ ଓ ସାହେବ ଗଲାପରେ ସାହେବ ଡାକ ନିତି ଶୁଣିବାର ହୀନମନ୍ୟତା- ସବୁ ବାହାରି ଆସିଥିଲା ସେହି ଭଦ୍ରଲୋକଙ୍କ ଘୃଣାତିକ୍ତ ଆଖିରୁ ଓ ଶବ୍ଦ ମଧ୍ୟ ସେହି ଭାବେ ଉଚ୍ଚାରିତ ହୋଇଥିଲା ଏହା ତାଙ୍କର ପରିବାରର ସଂସ୍କୃତି, ଶିକ୍ଷାର ଫମ୍ପାପଣ ଓ ବ୍ୟକ୍ତିତ୍ୱର ଅନନ୍ୟ ତଥା ସାମାଜିକତା ଶୂନ୍ୟତାର କଥା କହେ । ଯେହେତୁ ସେ ଏକ ଅଫିସ୍ରେ ବଡ଼ ଅଫିସର, ସେ ତାଙ୍କ ଆଖିରେ ଏକ ମହାନ ବ୍ୟକ୍ତି । ସେ ଏତେ କର୍ମବ୍ୟସ୍ତ ଯେ ଗୋଟିଏ ପିଲାକୁ ଦୁଇ ମିନିଟ ଦେଇ ତା’ର ମନରେ କୃତଜ୍ଞତା ସୃଷ୍ଟି କରିବାର ମହାନୁଭବତା ନାହିଁ । ଅର୍ଥାତ୍ ଏହି କଥା ତାଙ୍କ ଶିକ୍ଷା ସଂସ୍କୃତିର ବିଶାଳତାର କଥା କହିଥିଲା ଯାହା ପ୍ରାୟ ୭୦ବର୍ଷ ପରେ ମଧ୍ୟ ମୋର ମନେଅଛି । ଏଇ ତ ‘ଗୋଟିଏ କହୁଁ’ର ଚମତ୍କାରିତା । ଗୋଟିଏ ବାକ୍ୟର କାହାଣୀ କେତେ ପ୍ରଭାବଶାଳୀ ଆପଣ ଲକ୍ଷ୍ୟ କରିପାରୁଥିବେ ।
ସବୁ କଥାରୁ ଯେ କାହାଣୀ, ଏଥିରେ ସନ୍ଦେହ ନାହିଁ । କାରଣ, କହିବା ଲୋକ କହିବାର ପରିପ୍ରେକ୍ଷୀ ଓ ଉଚ୍ଚାରଣର ଭାବମୟତାକୁ ନେଇ କାହାଣୀ କରାଯାଏ । ମାଆ ଝିଅକୁ ପଚାରେ ତୁ କାହିଁକି ବାହା ହେବୁନାହିଁ କହୁଚୁ? ଝିଅ ଉତ୍ତର ଦିଏ- ତମେ ବାହା ହୋଇ କଣଟା କରି ପକାଇଲ ଯେ ମୁଁ ବାହା ହେବି । ଏହି ଝିଅ କେବଳ ବାହା ହେବା ପାଇଁ ମନା କରୁନାହିଁ, ସେ ବରଂ ଆକ୍ଷେପ କରୁଛି ଯେ ତାର ମାଆ ବିବାହ ପରେ ସୁସ୍ଥ ବା ଆନନ୍ଦମୟ ଜୀବନ ବଞ୍ଚିନାହିଁ । ମାଆ ବି କାହିଁକି ପଚାରୁଛି? ମାଆ ପଚାରୁଛି କାରଣ, ବଢ଼ିଲା ଝିଅକୁ ବାହା କରିଦେଲେ ଏକରେ ଦାୟିତ୍ୱ ସରିଯିବ, ଦୁଇରେ ସମାଜରେ କେହି ପଚାରିବେ ନାହିଁ- ତୁମ ଝିଅ କ’ଣ ବାହା ହେଇନି? ଝିଅ ମନା କରୁଛି, କାରଣ ସେ ଦେଖିଛି ତାର ମାଆ ଦାମ୍ପତ୍ୟ ଜୀବନର ସୁଖ ପାଇନାହିଁ । ବୋଧହୁଏ ଅନେକ ଝଗଡ଼ା ହୁଏ ବାପା ମାଆଙ୍କ ଭିତରେ । ଏହାର କାରଣ ଦାରିଦ୍ର୍ୟ ମଧ୍ୟ ହେଇପାରେ । ଦରିଦ୍ର ଦମ୍ପତି ଝଗଡ଼ା କରନ୍ତି । ଧନୀମାନେ ଝଗଡ଼ା କରନ୍ତି । କିନ୍ତୁ ତାଙ୍କପାଖେ ବିକଳ୍ପ ବିଳାସର ଅବସର ଥାଏ, ତେଣୁ ଝଗଡ଼ା କରିବା ପାଇଁ ସମୟ ମିଳେନାହିଁ । ଦ୍ୱିତୀୟରେ ଝିଅ ହୁଏତ ଯାହାକୁ ଭଲପାଏ, ପିତାମାତା ରାଜି ନୁହନ୍ତି, ତେଣୁ ସେ ମାଆ ପ୍ରତି ସମ୍ମାନ ରଖେନାହିଁ, ବା ନିଜର କ୍ୟାରିୟର ପାଇଁ ସେ ବାହା ହେବାକୁ ଚାହେଁନାହିଁ । ତାର ମାଆ ଯଦି ଗାୟିକା ବା ନର୍ତ୍ତକୀ ହେବାର ସମ୍ଭାବନା ଥିଲା କିନ୍ତୁ ବାପାଙ୍କ ବିରୋଧ ଯୋଗୁଁ ହେଲାନାହିଁ । ତେବେ ଝିଅର ବାକ୍ୟ ଭିନ୍ନ ଅର୍ଥ ବହନ କରିବ ଓ କଥାଟି ଅଲଗା ବାଟରେ କୁହାଯିବ । କିନ୍ତୁ ଗୋଟିଏ ବାକ୍ୟରୁ କଥାଟିଏ ନିଶ୍ଚୟ ସୃଷ୍ଟି ହେଇପାରେ । ଜଣେ ଏକା ରହୁଥିବା ବ୍ୟକ୍ତି ଦିନେ ତାଙ୍କ ବନ୍ଧୁଙ୍କ ପ୍ରଶ୍ନର ଉତ୍ତର ଦେଲେ ଏହିପରି- ପ୍ରଶ୍ନ: କ’ଣ କେହି ନାହାନ୍ତି ଏତେ ବଡ଼ ଘରେ? ଦିନ ୪ଟାରେ ତୁମ ରାତି ଖାଇବା ଥୁଆ ହୋଇଛି ଖାଇବା ଟେବୁଲରେ । ଉତ୍ତର: ଆଜି ରୋଷେୟାର ଛୁଟି । ପ୍ରଶ୍ନ: ଛୁଟି ଠିକ୍, କିନ୍ତୁ ସେ ତୁମର ଖାଇବା ପର୍ଯ୍ୟନ୍ତ ଅପେକ୍ଷା କରିପାରିଲା ନାହିଁ? ଉତ୍ତର: ମୁଁ ତାକୁ ରୋଷେଇ ପାଇଁ ଦରମା ଦିଏ, ପ୍ରେମ କରିବା ପାଇଁ ନୁହେଁ । ଏତିକି କଥାରେ ସଚେତନ ପାଠକ ମନରେ ଏକ ଉପନ୍ୟାସ ମଧ୍ୟ ସୃଷ୍ଟି ହୋଇପାରେ । ମୁଁ ଏହାର ଅନୁଶୀଳନ କରୁନାହିଁ । ପ୍ରେମ ନଥିଲେ ରୋଷେୟା କାହିଁକି ମାଲିକର ଖାଇବା ପାଇଁ ଅପେକ୍ଷା କରିବ । ସେ ତା’ର କାମ କରି ଚାଲିଗଲା । ଏହି ସଂପର୍କ ଏକ ଯାନ୍ତ୍ରିକ ସଂପର୍କ । ଏଠି କୌଣସି ମାନବିକତା ନାହିଁ । ତା’ଛଡ଼ା ଏତେ ବଡ଼ ଘରେ ଜଣେ କିପରି ଏକା ରହିଛି? ପିଲା ସ୍ତ୍ରୀ କୁଆଡ଼େ ଗଲେ? ଏହି ପ୍ରଶ୍ନରେ କଥାଟା ଏକ ଉପନ୍ୟାସ ପାଲଟିଯିବ ।
ଆଉ ଗୋଟିଏ କଥା ଶୁଣାଇବି । ପ୍ରାୟ ୪୮ବର୍ଷ ପୂର୍ବେ ମୁଁ ପ୍ରଖ୍ୟାତ ଲେଖକ ଅଖିଳ ମୋହନ ପଟ୍ଟନାୟକଙ୍କ ଘରକୁ ଆସିଥିଲି ତାଙ୍କରି ନିମନ୍ତ୍ରଣରେ । ମତେ ତାଙ୍କ ଡ୍ରଇଂରୁମ୍ରେ ଅପେକ୍ଷା କରାଇ ସେ ୨ ମିନିଟ୍ ଭିତରକୁ ଯାଇ ସାର୍ଟ ପିନ୍ଧି ଆସି ତାଙ୍କ ଓକିଲାତି ବିଚାର ଚଉକିରେ ବସିଲେ । ଜଣେ ନୂଆ ଲୋକ କିଛି କେସ୍ କଥା ହେବାଲାଗି ଆସିଲା । କମ୍ ନେବାପାଇଁ ଅଖିଳ ମୋହନ ରାଜି ହେଲେ । ସେ ଲୋକ ପଚାରିଲେ- ଆପଣଙ୍କର ଫିସ୍ କେତେ? ଓକିଲ କହିଲେ- ହଜାରେ ଟଙ୍କା । ସେ ଲୋକ କହିଲା- ସେ ଓକିଲ ୫୦୦ରେ କରିବେ କହୁଛନ୍ତି (ନାମ ଆଉ ମନେ ନାହିଁ) ।
ଅଖିଳ ମୋହନ କହିଲେ- ସେ ପାଣି ପିଏ, ମୁଁ ମଦ ପିଏ, ତେଣୁ ୧୦୦୦ ଟଙ୍କା । ମୁଁ ମୋଟେ ଆଶ୍ଚର୍ଯ୍ୟ ହେଇନଥିଲି । କାରଣ, ଅଖିଳ ମୋହନ ପଟ୍ଟନାୟକଙ୍କ ଓକିଲ ଚେହେରା ଭିତରେ ମୁଁ ଏକ ସ୍ପର୍ଦ୍ଧିତ ବ୍ୟକ୍ତିତ୍ୱ ଦେଖିଛି, ଯାହା ସାଧାରଣ ନୁହେଁ । ଏହି ପଦେ କଥାରେ ଆମେ ଲକ୍ଷ୍ୟ କରୁ ଅନେକ କଥା- ମଦ ପିଇଲେ ତା’ ପାଟିରୁ ଅସଂଲଗ୍ନ କଥା ବାହାରେ । କିନ୍ତୁ ମୁଁ ନିଜେ ଜାଣେ ଅଖିଳ ମୋହନ ମଦ ପିଇଲେ ବାହାରେ ସାହିତ୍ୟ, ଦର୍ଶନ ଏବଂ ମହାନାୟକର ଜୀବନ ସଂଳାପ । ତେଣୁ ମଦ ଏକ ଆଭିଜାତ୍ୟର ଲକ୍ଷଣ । ସେ କହିଲେ ଯେ ପାଣିିପିଆ ଓକିଲ ଠାରୁ ମୁଁ ଉଚ୍ଚମାନର, ଯେହେତୁ ମୁଁ ମଦ ପିଏ, ତେଣୁ ମୋର ଫିସ୍ ୧୦୦୦ ଟଙ୍କା । ଏଇ ପଦକ କଥାରୁ ଅଖିଳ ମୋହନଙ୍କୁ ବୁଝିହୁଏ ଯଦି ଲୋକର ବୁଝିବା ଶକ୍ତି ଅଛି ଏଥିରେ ଅହଂକାର ନାହିଁ । ଅଛି ଦମ୍ଭୋକ୍ତି । ଆତ୍ମବିଶ୍ୱାସ ଏବଂ ନିଜ ଯୋଗ୍ୟତା, ଦକ୍ଷତା ଉପରେ ଆସ୍ଥା ।
‘କଥାଟିଏ କହୁଁ’ ପାଠକ ବା ଶ୍ରୋତା ପାଇଁ ଯେହେତୁ ଉଦ୍ଦିଷ୍ଟ ସେବା ହିଁ କାହାଣୀର ଲକ୍ଷ୍ୟ । ଶବ୍ଦର ଗଭୀରତା ବୁଝିବାର ଶକ୍ତି ଯା’ପାଖରେ ନାହିଁ, ସେ କେବଳ ଘଟଣାର କ୍ରମ ଓ ଶେଷରେ କ’ଣ ଘଟିଲା ପଢ଼େ ବା ଶୁଣେ । ତା’ ବାହାରେ ସେ ଜୀବନ ଦେଖିନାହିଁ ଯେପରି ପାଠକ । ଆହାର ନିଦ୍ରା ମୈଥୁନ ଜୀବନରେ ଭବ୍ୟ କାବ୍ୟ ଦର୍ଶନରେ ପ୍ରାପ୍ତି ନାହିଁ । ତେଣୁ ପାଠକ ପଚାରେ- ପ୍ରେମ କରିବାକୁ କ’ଣ କିଏ ପଇସା ଦିଏ? ମଦ ପିଇବା ଓକିଲ କ’ଣ ବେଶି ଦାମିକା? ଏ ଏଠି ସେଠି କଣ? ରିପ୍ କହିଲେ ତ ପାଚିଲା, ତାହେଲେ ସେକ୍ସପିଅର ଯେ ବୁଢ଼ା ହୋଇ ମରିବା କଥା କହନ୍ତି, ବରଂ କଥା ନ କହିବା ଭଲ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।