କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ
ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ ଜଣେ ରୋଗୀଙ୍କ ଜୀବନ। ବର୍ତ୍ତମାନ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ମେଡିକାଲ ପରିସର। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୁସୁମପୁଟ ଗାଁରେ।
ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲା କୁସୁମପୁଟ ଗାଁର ବସନ୍ତ ଖିଲ ଆମ୍ୱ ତୋଳିବା ପାଇଁ ଗଛ ଉପରେ ଚଢି ଥିଲେ। ହେଲେ କୌଣସି କାରଣକୁ ନେଇ ସେ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଏକ ବାଇକ୍ ଯୋଗେ ଡାକ୍ତରଖାନା ଆଣୁଥିଲେ। ହେଲେ ଅଧା ବାଟରେ ବାଇକ୍ରୁ ପେଟ୍ରୋଲ ସରିଯାଇଥିଲା। ନିକଟରେ ପେଟ୍ରୋଲ କିଣିବା ପାଇ ସମ୍ପର୍କିୟ ଖୋଜାଖୋଜି କରିଥିଲେ ମଧ୍ୟ ପେଟ୍ରୋଲ ମିଳି ନ ଥିଲା। କୌଣସି ଉପାୟ ନ ପାଇ ସେମାନେ ଅଧା ରାସ୍ତାରେ ଆମ୍ୱଲାନ୍ସକୁ ଫୋନ କରିଥିଲେ।
ପୋନ କଲ୍ ପାଇବାର କିଛି ସମୟ ପରେ ଆମ୍ୱୁଲାନ୍ସ ପହଞ୍ଚି ଗୁରୁତର ଅବସ୍ଥାରେ ବସନ୍ତଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଅତି ସଙ୍କଟାପନ୍ନ ଥବାରୁ ମାଥିଲି ଡାକ୍ତର ତାଙ୍କୁ ସେଠାରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ହେଲେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷେ ବାଟରେ ବାଇକ୍ର ପେଟ୍ରୋଲ ସରି ଯିବାରୁ ବସନ୍ତଙ୍କୁ ହସ୍ପିଟାଲ ପହଞ୍ଚାଇବାରେ ବହୁ ବିଳମ୍ୱ ହୋଇଥିଲା। ପେଟ୍ରୋଲ ଥିଲେ ହୁଏତ ତାଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଇ ଥିଲେ ସେ କାଳେ ବଞ୍ଚିଯାଇଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି। ପେଟ୍ରୋଲ ନ ମିଳିବାରୁ ବସନ୍ତଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଗୁରୁତର ଅଭିଯୋଗ କରିଛନ୍ତି।
ସେହିପରି ମାଲକାନଗିରି ଜିଲାରେ ଡିଜେଲ ଅଭାବ ଯୋଗୁ ଜେନେରେଟର ଚାଲି ନ ପାରି ଏକ ଫାର୍ମରେ ୫ ହଜାର ୩ ଶହ କୁକୁଡ଼ାଙ୍କ ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଛି।
The post କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।