ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି
ଭୁବନେଶ୍ୱର : ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ଏକ ବଡ ଓ ଦୁଃଖଦ ଖବର ସୋମବାର ସାମ୍ନାକୁ ଆସିଛି। ଏଥିରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ମୃତକମାନେ ହେଲେ ଜିମାନୀ ଜୁଆଙ୍ଗ, ଗୀତା ଜୁଆଙ୍ଗ, ଭୂମିଆ ଜୁଆଙ୍ଗ, ଶିବାନୀ ଓ ଫୁଲମଣି ଜୁଆଙ୍ଗଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି। ସମସ୍ତ ମୃତକ ମହିଳା ଓ କେନ୍ଦୁଝର ଜିଲାର। ତିରିଭଲୁର ଜିଲା ପେରିୟାପାଲିଆମରେ ସି ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ହୋଇଥିଲା। ଗତକାଲି ଏଠାରେ ଏମୋନିଆ ଗ୍ୟାସ୍ ଲିକ୍ ଯୋଗୁଁଁ ଓଡିଆ ଶ୍ରମିକ ମୃତାହତ ହୋଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ୩ ଜଣିଆ ଟିମ୍ ତାମିଲନାଡୁ ଗସ୍ତ କରିଛନ୍ତି। ମୃତଦେହ ଓଡିଶା ଆଣିବାକୁ ସରକାର ବ୍ୟବସ୍ଥା କରୁଛନ୍ତି।
ସୂଚନାନୁଯାୟୀ,ତାମିଲନାଡୁର ତିରୁଭଲ୍ଲୁର ଜିଲା ଅନ୍ତର୍ଗତ ପେରିୟାପାଲାୟମ୍ ଠାରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ରପ୍ତାନି (ସି-ଫୁଡ୍) କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୭ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୬୦ ଜଣ ଅସୁସ୍ଥ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହା ସହିତ ଅସୁସ୍ଥଙ୍କ ମଧ୍ୟରେ ଅନେକ ଓଡିଆ ରହିଛନ୍ତି। ରିପୋର୍ଟ ଅନୁଯାୟୀ ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ ଏକ୍ସପୋର୍ଟ କମ୍ପାନୀରେ ଏହି ଅଘଟଣ ଘଟିଛି। ଏନଡିଆରଏଫ୍ ବାହିନୀ ସ୍ବତନ୍ତ୍ର ସୁରକ୍ଷା ପୋଷାକ ସହିତ କମ୍ପାନୀ ପରିସରରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। କମ୍ପାନୀ ପରିସରରେ ଓଡ଼ିଶା, ଆସାମ ଓ ଝାଡଖଣ୍ଡର ପ୍ରାୟ ୧୨୦ଜଣ ଶ୍ରମିକ ରହି କାମ କରୁଥିଲେ। ରବିବାର ଛୁଟି ଦିନ ସତ୍ତ୍ବେ କର୍ମଚାରୀମାନେ କମ୍ପାନୀ ପରିସରରେ ରହିଥିଲେ। ତେଣୁ ଗ୍ୟାସ୍ ଲିକ୍ ପ୍ରଭାବରେ କର୍ମଚାରୀମାନେ ପ୍ରାଣ ହରାଇଛନ୍ତି। ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ରୁ ଆମୋନିଆ ଗ୍ରାସ୍ ଲିକ୍ ହୋଇ ଚାରିଆଡକୁ ବ୍ୟାପୀ ଯାଇଥିଲା।