୬୧ ଦିନରେ ପହଞ୍ଚିଛି ରଥ ନିର୍ମାଣ
ପୁରୀ: ୬୧ ଦିନରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ। ତିନିରଥର ପାରା ଭାଡ଼ି ନିର୍ମାଣ ଶେଷ ହୋଇଛି। ୪ଟି ଲେଖାଏଁ ଚନ୍ଦ୍ରଶାଳିର ନିର୍ମାଣ କାର୍ଯ୍ୟ ସରିବା ପରେ ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ କରାଯାଉଛି। କଳସ ପାଖୁଡ଼ା କାର୍ଯ୍ୟ ଚାଲିଛି। ରଥରେ ଲାଗୁଥିବା ୧୩ ପରସ୍ତ ପୋଟଳ ମଧ୍ୟରୁ ୬ ଓ ୭ ପରସ୍ତରେ ଲାଗୁଥିବା ପାରାଭାଡ଼ିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।
ବଡ଼ କଳସ ପେଣ୍ଡିର ନିର୍ମାଣ ଶେଷ ହୋଇଥିବା ବେଳେ ଚାରି କୋଣକୁ ଛାଡ଼ି ରଥ ବେଦି ଚାରି ପାର୍ଶ୍ୱରେ ପାରୁସ ପଟା ବାଡ଼ିଆ କାର୍ଯ୍ୟ ଜାରି ରହିଛି। ରୂପକାର ସେବକମାନେ ୨୪ଟି ନାଟ ଗୋଡ଼ରୁ ୧୨ଟି ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରିଛନ୍ତି। ବାକି ୧୨ଟି ନାଟ ଗୋଡରେ କନ୍ଦର୍ପ ରୂପ ଖୋଦେଇ ଜାରି ରଖିଛନ୍ତି। ଆଜି ପଟାଗୁଜ ଅନୁକୂଳ କରାଯାଇଛି। ଆଶା ବାଡ଼ି କାର୍ଯ୍ୟ କରାଯାଉଛି। ଏହା ପରେ ପ୍ରଭା କାମ କରାଯିବ। ସେପଟେ ଚିତ୍ରକାର ସେବକମାନେ ଠେକେରା ବାଡ, ଅଁଳା, ପାରାଭାଡ଼ି ଶିଖର ଡ଼ମ୍ବରୁ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ପାର୍ଶ୍ୱ ଦେବାଦେବୀ ମୂର୍ତ୍ତିଗୁଡ଼ିକର ରଙ୍ଗ କାର୍ଯ୍ୟ ସହ ହଂସପଟା, ଦେବଦେବୀ ଆସ୍ଥାନ ଫ୍ରେମ, କଳସ, ଓଲଟ ଶୁଆର ରଙ୍ଗ ଚାଲିଛି।