ଆଇନଜୀବୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି

Jun 22, 2026 - 23:00

ଭୁବନେଶ୍ୱର : ଆଇନଜୀବୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି। ସହାୟତା ପରିମାଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେଇ ନିଷ୍ପତ୍ତି ନେଇଥିବା ନେଇ ସୋମବାର ଖବର ସାମ୍ନାକୁ ଆସିଛି। ଅବସର ନେଇଥିବା କିମ୍ବା ଦେହାନ୍ତ ହେବା କ୍ଷେତ୍ରରେ ସହାୟତା ରାଶିରେ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ।
ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀ ମାନଙ୍କ ସହାୟତା ପାଇଁ ଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ଆଇନଜୀବୀ ମାନଙ୍କୁ ଅବସର କିମ୍ବା ଦେହାନ୍ତ କ୍ଷେତ୍ରରେ ତାଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଉଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଇନଜୀବୀ ମାନଙ୍କ ପାଇଁ ଏହି ସହାୟତା ରାଶିର ପରିମାଣ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି।
ଏହାଦ୍ବାରା ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ହଜାର ହଜାର ଆଇନଜୀବୀ ମାନେ ଉପକୃତ ହୋଇପାରିବେ। ସୂଚନାଯୋଗ୍ୟ ଯେ, ଶେଷଥର ପାଇଁ ଆଇନଜୀବୀ ମାନଙ୍କର ଏହି ସହାୟତା ରାଶି ୨୦୨୧ ମସିହାରେ ବୃଦ୍ଧି ପାଇଥିଲା।
ଏହି ସହାୟତା ରାଶି ବୃଦ୍ଧିଦ୍ବାରା ୫ ବର୍ଷ ବା ଏଥିରୁ କମ୍ ସମୟ ପାଇଁ କାର୍ଯ୍ୟରତ ଆଇନଜୀବୀ ମାନଙ୍କୁ କେବଳ ଦେହାନ୍ତ କ୍ଷେତ୍ରରେ ପରିବାରର ନିକଟତମ ଆତ୍ମୀୟଙ୍କୁ ୧,୦୫,୦୦୦ ଟଙ୍କା ସହାୟତା ଦିଆଯିବ। ଏହାପରେ ପ୍ରତ୍ୟେକ ଅଧିକ ବର୍ଷର ଅଭିଜ୍ଞତା ପାଇଁ ସହାୟତା ରାଶି ପରିମାଣ ବୃଦ୍ଧି ପାଇବ। ଅବସର ଓ ଦେହାନ୍ତ କ୍ଷେତ୍ରରେ ଏହି ସହାୟତା ମିଳିବ। ୩୦ ବର୍ଷ କାର୍ଯ୍ୟରତ ଥିଲେ, ଅବସର କ୍ଷେତ୍ରରେ ସମ୍ପୃକ୍ତ ଆଇନଜୀବୀଙ୍କୁ କିମ୍ବା ଦେହାନ୍ତ କ୍ଷେତ୍ରରେ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୬,୩୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଏହା ସର୍ବାଧିକ ସହାୟତା ପରିମାଣ।