ଏହା ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରିବାର ଆନ୍ଦୋଳନ : ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, ୨୩।୭: ଗତ କିଛି ଦିନ ହେବ ଦେଶରେ ଲଗାତାର ଭାବେ ଅରାଜକତା ସୃଷ୍ଟି କରାଯିବାର ପ୍ରୟାସ କରାଯାଉଛି । ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ରଖି ଛାତ୍ର ଆନ୍ଦୋଳନ କରାଯାଉଛି। ଆନ୍ଦୋଳନ କରିବାର କୌଣସି ପ୍ରୟୋଜନ ନାହିଁ । କେବଳ ଦେଶରେ ଅରାଜକତା ସୃଷ୍ଟି କରିବା ପାଇଁ ଆନ୍ଦୋଳନ କରାଯାଉଛି ବୋଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ହରିଚନ୍ଦନ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଆଳ କରି ଆନ୍ଦୋଳନକାରୀମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀଙ୍କ ନାମରେ ଖରାପ ପରଂପରା ସୃଷ୍ଟି କରୁଛନ୍ତି । ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରି ଡ୍ରାମାବାଜୀ ଆରମ୍ଭ କରିଦେଇ ନିଜ ରାଜନୈତିକ ପାମ୍ପଡ ସେକୁଛନ୍ତି । ତେଣୁ ଏଭଳି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଆନ୍ଦୋଳନରେ ବିଭ୍ରାନ୍ତ ନହେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିବା ସହ ନିଜ ନିଜ କ୍ୟାରିଅର ଗଢିବାରେ ଧ୍ୟାନ ଦିଅନ୍ତୁ ଏବଂ ବିକଶିତ ଭାରତ, ସମୃଦ୍ଧ ଓଡିଶା ଗଠନରେ ସାମିଲ ହେବା ପାଇଁ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସେ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନିଷ୍ପତ୍ତି ନେଉଛନ୍ତି । ଦେଶର ଯୁବବର୍ଗଙ୍କ ସ୍ୱାର୍ଥ ଏବଂ ସେମାନଙ୍କ ଭବିଷ୍ୟତ ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିବା ସହିତ ଯୁବକମାନଙ୍କ ଭବିଷ୍ୟତ ସହ ଖେଳୁଥିବା କୌଣସି ବି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ବୋଲି ସେ କହିଛନ୍ତି।
ୟୁପିଏ ସରକାର ସମୟରେ ଶିକ୍ଷା ବଜେଟ କେବଳ ୮,୨୨୫ କୋଟି ଟଙ୍କା ରଖିଥିଲେ, ଆଜି ଏହା ମୋଦି ସରକାରରେ ୧.୩୯ ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଛି । ଏମ୍ସ ହେଉ, ଆଇଟି ହେଉ, କଲେଜ ହେଉ କିମ୍ବା ସିଟ୍ ସଂଖ୍ୟା ହେଉ କଂଗ୍ରେସ ସରକାରଙ୍କ ତୁଳନାରେ ସବୁଥିରେ ବ୍ୟାପକ ବୃଦ୍ଧି ଘଟିଛି । ସ୍ୱଚ୍ଛତାର ସହ ଓଡିଶାରେ ଗତ ଦୁଇ ବର୍ଷରେ ପଚାଶ ହଜାରରୁ ଅଧିକ ସରକାରୀ ନିଯୁକ୍ତି ପ୍ରଦାନ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ ଆଦି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । କେଜିରୁ ପିଜି ସଂପୂର୍ଣ୍ଣ ମାଗଣା ଶିକ୍ଷା ପ୍ରଣୟନ କରାଯାଇଛି । କିନ୍ତୁ ଆମେ ଏହି ତୁଳନା ମଧ୍ୟରେ ପଡ଼ିବାକୁ ଚାହୁଁନାହୁଁ, ଆମେ ସମସ୍ୟାର ସ୍ଥାୟୀ ସମାଧାନ ଚାହୁଁଛୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିଷ୍ଣୁ ଦାଶ, ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ରାଜେନ୍ଦ୍ର ପଣ୍ଡା ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।