ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍ମୁକ୍ତ ପେଟ୍ରୋଲ
ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ ବୈଷୟିକ ଭାବେ ଉନ୍ନତମାନର ଜାଳେଣି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ସଂସଦରେ ସ୍ପଷ୍ଟ କରିଛନ୍ତି। ସରକାର ପୁଣିଥରେ E0(ବିନା ଇଥାନଲ୍ ପେଟ୍ରୋଲ୍) କିମ୍ବା E10 ପେଟ୍ରୋଲ୍ ବ୍ୟବସ୍ଥାକୁ ଫେରିବାର କୌଣସି ଯୋଜନା ରଖି ନାହାନ୍ତି ଏବଂ ସରକାରୀ ନୀତି କୌଣସି ନମ୍ବର ମାନକକୁ ଖସାଇବା ପରିବର୍ତ୍ତେ ଏକ ଉନ୍ନତ ଓ ଶ୍ରେଷ୍ଠ ବୈଷୟିକ ଜ୍ଞାନକୌଶଳ ଆଡ଼କୁ ଆଗେଇବା ପାଇଁ ଉଦ୍ଦିଷ୍ଟ ବୋଲି ସେ ମତ ଦେଇଛନ୍ତି।
ସଂସଦରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଭାରତ ନିଜର ନିର୍ଦ୍ଧାରିତ ସମୟଠାରୁ ପାଞ୍ଚ ବର୍ଷ ପୂର୍ବରୁ ୨୦% ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ହାସଲ କରିଛି। ବର୍ଷ ୨୦୨୨-୨୩ରେ ଇଥାନଲ୍ ମିଶ୍ରଣ ହାରାହାରି ୧୨% ଥିବାବେଳେ, ୨୦୨୩-୨୪ରେ ୧୪.୬%, ୨୦୨୪-୨୫ରେ ୧୯.୨% ଏବଂ ୨୦୨୫-୨୬ ମଧ୍ୟରେ ଏହା ୨୦%ରେ ପହଞ୍ଚିଛି। ବର୍ତ୍ତମାନ ପାଇଁ ୨୦%ରୁ ଅଧିକ ମିଶ୍ରଣ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ଏବଂ ଫ୍ଲେକ୍ସ-ଫୁଏଲ୍ ଯାନଗୁଡ଼ିକ ପାଇଁ ଅଣାଯାଇଥିବା E85 ଜାଳେଣି କେବଳ ସେହି ବର୍ଗର ଗାଡ଼ିଗୁଡ଼ିକ ପାଇଁ ପ୍ରମାଣିତ ହୋଇଥିବାବେଳେ ଏହା ସାଧାରଣ ପେଟ୍ରୋଲ୍ ଯାବତୀୟ ବଣ୍ଟନରେ ସାମିଲ ନାହିଁ।
ସୋସିଆଲ ମିଡିଆ ଏବଂ ବିଭିନ୍ନ ଗଣମାଧ୍ୟମରେ ଇଞ୍ଜିନ ନଷ୍ଟ ହେବା କିମ୍ବା ମାଇଲେଜ୍ କମିବା ନେଇ ଆସୁଥିବା ଖବରକୁ ସରକାର ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ନୀତି ଆୟୋଗ, ଆଇଓସିଏଲ୍, ଏଆରଏଆଇ, ଆଇଆଇପି ଏବଂ ଏସଆଇଏଏମ ଦ୍ୱାରା ପରିଚାଳିତ ବ୍ୟାପକ ପରୀକ୍ଷାଗାର ପରୀକ୍ଷଣ ଏବଂ ପ୍ରକୃତ ବ୍ୟବହାରର ତଥ୍ୟରୁ ଏହା ପ୍ରମାଣିତ ହୋଇଛି ଯେ E20 ଜାଳେଣି ଦ୍ୱାରା ଯାନବାହନ କିମ୍ବା ଇଞ୍ଜିନର କୌଣସି ଅସ୍ୱାଭାବିକ କ୍ଷତି ହୁଏ ନାହିଁ। ଦେଶର ଜଣେ ପ୍ରମୁଖ ଯାନ ନିର୍ମାତା ୨୦୨୫-୨୬ ଆର୍ଥିକ ବର୍ଷରେ ୨.୮୪ କୋଟି ଗାଡ଼ିର ସର୍ଭିସିଂ କରିଛନ୍ତି, ଯେଉଁଥିରେ ପ୍ରାୟ ୧.୫ କୋଟି ପୁରୁଣା ଗାଡ଼ି ମଧ୍ୟ ସାମିଲ ଥିଲା, କିନ୍ତୁ ଏଥାନଲ୍ କାରଣରୁ ଇଞ୍ଜିନ ଖରାବ ହେବାର କୌଣସି ଅଭିଯୋଗ ଆସିନାହିଁ। ବର୍ତ୍ତମାନ ଦେଶରେ ୨୦ କୋଟିରୁ ଅଧିକ ଦୁଇଚକିଆ ଏବଂ ୩ କୋଟିରୁ ଅଧିକ ପେଟ୍ରୋଲ୍ କାର୍ କୌଣସି ବଡ଼ ସମସ୍ୟା ବିନା E15+ ଏବଂ E20 ବ୍ଲେଣ୍ଡରେ ଚାଲୁଛି।
ମାଇଲେଜ୍ ସମ୍ପର୍କରେ ସ୍ପଷ୍ଟ କରାଯାଇଛି ଯେ ଇନ୍ଧନ ଦକ୍ଷତା ଡ୍ରାଇଭିଂ ଅଭ୍ୟାସ, ଗାଡ଼ିର ରକ୍ଷଣାବେକ୍ଷଣ ଏବଂ ସ୍ଥାନୀୟ ରାସ୍ତା ପରିସ୍ଥିତି ଭଳି ବିଭିନ୍ନ କାରଣ ଉପରେ ନିର୍ଭର କରିଥାଏ। ପୁରୁଣା E10 ଡିଜାଇନ୍ ଯୁକ୍ତ ଯାନଗୁଡ଼ିକରେ E20 ବ୍ୟବହାର ହେଲେ ମାଇଲେଜ୍ରେ ସର୍ବାଧିକ ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ସାମାନ୍ୟ ହ୍ରାସ ଘଟିପାରେ, ମାତ୍ର E20 ଜାଳେଣିର ଅକ୍ଟେନ୍ ନମ୍ବର ଅଧିକ ଥିବାରୁ ଗାଡ଼ିର ପିକ-ଅପ୍, ରାଇଡ୍ କ୍ୱାଲିଟି ଏବଂ ଇଞ୍ଜିନର କାର୍ଯ୍ୟଦକ୍ଷତା ବେଶ୍ ଭଲ ରହିଥାଏ।
ଏହି ନୀତି ଦ୍ୱାରା ଦେଶକୁ ବଡ଼ ଆର୍ଥିକ ଲାଭ ମିଳିଥିବା ବେଳେ ଏପର୍ଯ୍ୟନ୍ତ ୧.୯୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ବିଦେଶୀ ମୁଦ୍ରା ସଞ୍ଚୟ ହୋଇଛି, ପ୍ରାୟ ୩୧୬ ଲକ୍ଷ ମେଟ୍ରିକ୍ ଟନ୍ କ୍ରୁଡ୍ ଅଏଲ୍ ଆମଦାନୀ କମିଛି ଏବଂ ପ୍ରାୟ ୯୫୨ ଲକ୍ଷ ମେଟ୍ରିକ୍ ଟନ୍ CO2 ନିର୍ଗମନ ହ୍ରାସ ପାଇବା ସହ ଦେଶର ଚାଷୀମାନଙ୍କୁ ୧.୬୬ ଲକ୍ଷ କୋଟି ଟଙ୍କାରୁ ଅଧିକ ପୈଠ କରାଯାଇଛି। ସର୍ବସାଧାରଣ ତେଲ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ E20 ଜାଳେଣି ସମ୍ପର୍କିତ ଅଭିଯୋଗ ଓ ପରାମର୍ଶର ସମାଧାନ ପାଇଁ ଏକ ଦୃଢ଼ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ପେଟ୍ରୋଲ୍ ପମ୍ପରେ ଥିବା ଅଭିଯୋଗ ପୁସ୍ତିକା, ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର, କମ୍ପାନୀର ୱେବସାଇଟ୍, ମୋବାଇଲ୍ ଆପ୍ ଏବଂ CPGRAMS ପୋର୍ଟାଲ୍ ମାଧ୍ୟମରେ ନିଜର ଅଭିଯୋଗ ଦାଖଲ କରି ନିର୍ଦ୍ଧାରିତ ସମୟସୀମା ଭୀତରେ ସମାଧାନ ପାଇପାରିବେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।