ଏମିତି ଏ ବଡ଼ଦାଣ୍ଡେ

Jul 16, 2026 - 08:47
ଏମିତି ଏ ବଡ଼ଦାଣ୍ଡେ

ପିଲାଦିନରୁ ଶ୍ରୀଜଗନ୍ନାଥଙ୍କର ଅନେକ ଜଣାଣ ଓ ଭଜନ ମୋର ମନେରହିଛି। ସ୍କୁଲ ଓ କଲେଜରେ ପଢ଼ୁଥିଲା ବେଳେ ମୁଁ ଗୀତ ଗାଉଥିଲି। ଜଗନ୍ନାଥ ଜଣାଣ ଗାଇ ଖୁସି ହେଉଥିଲି। ସତେ ଅବା ମହାପ୍ରଭୁଙ୍କୁ ପାଖରେ ପାଉଥିଲି। ଏବେ ଗୀତ ଗାଉନାହିଁ। କିନ୍ତୁ ସଞ୍ଜେ ସକାଳେ ମହାପ୍ରଭୁଙ୍କୁ ସ୍ମରଣ କରି ଗୁଣୁଗୁଣୁ ହୋଇ ତାଙ୍କ ଭଜନ ଗାଉଛି। ମୋର ମନେହୁଏ ମହାପ୍ରଭୁ ସବୁବେଳେ ମୋ ପାଖରେ ଅଛନ୍ତି। ବିପଦଆପଦରେ ମୋ ସାହା ହେଉଛନ୍ତି। ଭକ୍ତକବି ମଧୁସୂଦନ ରାଓଙ୍କ ଗୀତ ଆଜି ମଧ୍ୟ ମୁଁ ମନେମନେ ଗାଏ : ମୋ ପାସେ ଅଛନ୍ତି ଦିବସ ରଜନୀ ମହାପ୍ରଭୁ ପରାତ୍ପର, ଏ କଥା ସୁମରି ହୃଦୟେ ତାହାଙ୍କୁ ପୂଜିବି ମୁଁ ନିରନ୍ତର।
ମୁଁ କିଛି ବୁଝିବା ଶୁଝିବା ବୟସରେ ପହଞ୍ଚତ୍ୱା ବେଳକୁ ଜଗନ୍ନାଥଙ୍କୁ ଜାଣିଥିଲି। ଆମ ଘରେ ଜଗନ୍ନାଥଙ୍କ କଥା ପଡ଼େ। ସାହି ସାହିରେ ତାଙ୍କ ମହିମା ବିଷୟରେ ଆଲୋଚନା ହୁଏ। ମୁଁ ଗାଁ ସ୍କୁଲରେ ପଢ଼ିଲାବେଳେ ଭକ୍ତ ସାଲବେଗଙ୍କ ‘ଆହେ ନୀଳ ଶଇଳ’ ପ୍ରାର୍ଥନା ବୋଲାଯାଉଥିଲା। ସ୍କୁଲର ସାର୍‌ମାନେ ଜଗନ୍ନାଥଙ୍କ ବିଷୟରେ ନାନା କଥା କହନ୍ତି। ପୁରୀରେ ବଡ଼ଦେଉଳ ଅଛି, ଏତେବଡ଼ ଦେଉଳ ଆଉ କେଉଁଠି କୁଆଡ଼େ ନାହିଁ ! ଦେଉଳ ଭିତରେ ଶ୍ରୀଜଗନ୍ନାଥ ତାଙ୍କ ଭଉଣୀ ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ରଙ୍କ ସହିତ ପୂଜା ପାଉଛନ୍ତି। ଜଗନ୍ନାଥ ରଙ୍ଗରେ କଳା, ତାଙ୍କ ଆଖି ଚକା ଚକା। ସୁଭଦ୍ରାଙ୍କ ରଙ୍ଗ ହଳଦିଆ, ବଳଭଦ୍ର ଟଗର ଫୁଲ ପରି ଧଳା। ସେ ଛବି ଥରେ ଦେଖିଲା ପରେ କେବେ ଭୁଲି ହୁଏନାହିଁ। ସାର୍‌ ଆହୁରି କହୁଥିଲେ, ଜଗନ୍ନାଥ ହେଉଛନ୍ତି ‘ମହାପ୍ରଭୁ’, ତାଙ୍କ ପ୍ରସାଦ ‘ମହାପ୍ରସାଦ’, ତାଙ୍କ ଦେଉଳ ‘ବଡ଼ଦେଉଳ’, ତାଙ୍କ ଦାଣ୍ଡ ‘ବଡ଼ଦାଣ୍ଡ’, ପୁଣି ତାଙ୍କ ସମୁଦ୍ର ‘ମହୋଦଧି’। ମୟୂରଭଞ୍ଜର ଉପରବେଡ଼ା ଗାଁ ଆଉ ପୁରସ୍ତମ କ୍ଷେତ୍ର – କାହିଁ କେତେ ଦୂର ! ମୁଁ ଦେଖିବାର ସୁଯୋଗ କାହୁଁ ବା ପାଇଥା’ନ୍ତି! କିନ୍ତୁ ମୁଁ ଭୁବନେଶ୍ୱର ଆସି ୟୁନିଟ୍‌-୨ ଗାଲର୍‌ସ ହାଇସ୍କୁଲରେ ନାମ ଲେଖାଇଲି ଏବଂ ହଷ୍ଟେଲରେ ରହିଲି। ତା’ପରେ ଯାଇ ପୁରୀ, ଭୁବନେଶ୍ୱର ଓ କୋଣାର୍କ ଦେଖିଲି। ପହିଲି ଜଗନ୍ନାଥ ଦର୍ଶନର ସ୍ମୃତି ମୋ ମନରୁ ଲିଭିନାହିଁ। କେଡ଼େ ବଡ଼ ମନ୍ଦିର, କେଡ଼େ ବଡ଼ ବଡ଼ ଦିଅଁ! ସେସବୁ କ’ଣ କେବେ ଭୁଲିହୁଏ ?
ଭୁଲିହୁଏ କି ତାଙ୍କ ରଥଯାତ୍ରା ? ବାର ମାସରେ ତେର ଯାତ ଲାଗିରହିଥାଏ ଶ୍ରୀକ୍ଷେତ୍ରରେ। ରଥଯାତ୍ରା କିନ୍ତୁ ନିଆରା। ବର୍ଷସାରା ଭକ୍ତମାନେ ଆସି ମହାପ୍ରଭୁଙ୍କୁ ଦର୍ଶନ କରନ୍ତି ଦେଉଳ ଭିତରେ। କିନ୍ତୁ ବର୍ଷକରେ ଥରେ ସେ ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଆସନ୍ତି। ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ତିନି ରଥରେ ତିନି ଠାକୁର ବିଜେ କରି ଚକ୍ରରାଜ ସୁଦର୍ଶନଙ୍କ ସହିତ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି। ସେଠାରେ ସାତ ଦିନ ରହି ବାହୁଡ଼ନ୍ତି। ମହାପ୍ରଭୁଙ୍କ ଏହି ମହାପର୍ୱର ପଟାନ୍ତର ନାହିଁ।
ପିଲାବେଳୁ ମୁଁ ଜଗନ୍ନାଥଙ୍କର ଭକ୍ତ। ସେ ସର୍ୱଦା ମୋର ପରମ ଆରାଧ୍ୟ। ମୋ ଜୀବନର ଉତ୍ଥାନ ଓ ପତନର ସେ ନିୟନ୍ତା। ମୋ ଦୁଃଖସୁଖର ହର୍ତ୍ତାକର୍ତ୍ତା। ଜୀବନରେ ମୁଁ ଅନେକ କଷଣ ପାଇଛି। ସେସବୁ ଦାରୁଣ ଦୁଃଖରୁ ମୋତେ ଉଦ୍ଧରିଛନ୍ତି ମହାବାହୁ। ମୁଁ ତାଙ୍କ ଝିଅ କି ନା !
ରାଷ୍ଟ୍ରପତି ପଦ ପାଇଁ ମୋର ପ୍ରାର୍ଥିତ୍ୱ ଘୋଷଣା କରାଗଲା କ୍ଷଣି ମୁଁ ମହାପ୍ରଭୁଙ୍କୁ ସୁମରଣା କଲି। ଏତେ ଉଚ୍ଚକୁ ମୋତେ ନେଉଛ ପ୍ରଭୁ, ମୋର ପ୍ରତି ପାଦରେ ସାହା ହୁଅ, ମୋ ପାଖରେ ସଦା ଠିଆ ହୁଅ – ଏହା ମୋର ପ୍ରାର୍ଥନା ଥିଲା। ସେ ମୋ ପ୍ରାର୍ଥନା ଶୁଣିଛନ୍ତି, ଶୁଣୁଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଦିଲ୍ଲୀ ଆସିବା ଭିତରେ ରଥଯାତ୍ରା ପଡ଼ିଲା। କିନ୍ତୁ ପୁରୀ ଯିବା ସମ୍ଭବ ନ ଥିଲା। ରଥଯାତ୍ରା ଦିନ ବଡ଼ି ଭୋରରୁ ଯାଇ ଦିଲ୍ଲୀ ହୌଜ୍‌ଖାସ୍‌ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲି। ଆନନ୍ଦରେ ଭରିଗଲା ମନ। ତାଙ୍କ ଆଶିଷ ମୋ ଉପରେ ବରଷିଗଲା। ପ୍ରଚୁର ଆତ୍ମବିଶ୍ୱାସ ସହିତ ମୁଁ ପ୍ରାର୍ଥିପତ୍ର ଦାଖଲ କଲି। ଅତି ଉତ୍ସାହର ସହିତ ନିର୍ୱାଚନ କ୍ୟାମ୍ପେନ୍‌ରେ ଭାଗନେଲି। ୨୦୨୨ ମସିହା ଜୁଲାଇ ୨୫ ତାରିଖରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ୍‌ ହଲ୍‌କୁ ଶପଥ ନେବା ପାଇଁ ଗଲାବେଳେ ମୁଁ ଜଗନ୍ନାଥଙ୍କୁ ପ୍ରାର୍ଥନା କରି କରି ଯାଉଥାଏ। ତାଙ୍କ ଆଶୀର୍ୱାଦରେ ମୋ ଶପଥପାଠ ଉତ୍ସବ ଖୁବ୍‌ ଭଲରେ ଭଲରେ ହୋଇଗଲା। ରାଷ୍ଟ୍ରପତି ଭାବରେ ମୋର ପ୍ରଥମ ଭାଷଣ ବେଳେ ସେ ଯେମିତି ମୋ ପାଖେପାଖେ ଥିଲେ।
ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମୋ ମନ ଉଚ୍ଚାଟ ହେଲା। ଅଥଚ ଦିନ ଗଡ଼ିଚାଲିଲା, ମୁଁ ପୁରୀ ଯାଇପାରିଲି ନାହିଁ। ମୋର ହୃଦ୍‌ବୋଧ ହେଲା ଯେ ସେ ନ ଡାକିଲେ ତାଙ୍କ ପାଖକୁ କିଏ ବା ଯାଇପାରିବ ! ମୁଁ ମନେମନେ ତାଙ୍କୁ କହିଲି, ମୋର ଦୋଷ ଥିଲେ କ୍ଷମା କର ପ୍ରଭୁ, ମୋତେ ପୁରୀ ଡକାଅ, ଦର୍ଶନ ଦିଅ। ସେ ‘ଭାବ’ର ଠାକୁର। ମୋ ‘ଭାବ’କୁ ନ ବୁଝନ୍ତେ କିପରି ? ପୁରୀ ଯିବା କାର୍ଯ୍ୟକ୍ରମ ଅଚିରେ ସ୍ଥିର ହେଲା। ସେଦିନ ଥିଲା ୨୦୨୨ ମସିହା ନଭେମ୍ୱର ୧୦ ତାରିଖ। ପୁରୀରେ ଅବତରଣ କଲାପରେ କାର୍କେଡ୍‌ ଚାଲିଲା ଶ୍ରୀମନ୍ଦିର ଅଭିମୁଖେ। କାର୍କେଡ୍‌ ବଡ଼ଦାଣ୍ଡରେ ପହଞ୍ଚିଲା କ୍ଷଣି ମୋ ଭିତରେ ଗୋଟେ ଅପୂର୍ୱ ଅନୁଭବ ସଞ୍ଚରିଗଲା। ବଡ଼ଦାଣ୍ଡ କାଳିଆ ସାଆନ୍ତଙ୍କର। ଏଠାରେ କି ଆବଶ୍ୟକ ପ୍ରୋଟୋକଲ୍‌ର ? ପୁରୀ ଯେ କ୍ଷେତ୍ରରାଜ ଭାବରେ ବିଖ୍ୟାତ। ମହାପ୍ରଭୁ ଦେବାଧିଦେବ। ମୁଁ ଆଉ ଅଧିକ କିଛି ଭାବିବା ପୂର୍ୱରୁ ଗାଡ଼ି ଅଟକାଇଲି। ମୋ ଗାଡ଼ି ବନ୍ଦ ହେବା ପରେ ପଛକୁ ପଛ ହୋଇ ଆସୁଥିବା ଗାଡ଼ିସବୁ ଚାଲିବା ବନ୍ଦ କରିଦେଲେ। କେହି କିଛି ବୁଝିବା ପୂର୍ୱରୁ ମୁଁ ବଡ଼ଦାଣ୍ଡରେ ଖାଲିପାଦରେ ଚାଲିବା ଆରମ୍ଭ କରିଦେଲି। ଶ୍ରୀମନ୍ଦିର ପ୍ରାୟ ଦୁଇ କିଲୋମିଟର ଦୂରରେ ଥାଏ। ମନ୍ଦିର ଚୂଡ଼ା ଓ ପତିତପାବନ ବାନାକୁ ଚାହିଁ ମୁଁ ଆଗେଇ ଚାଲିଲି।
ଦୁଇପାଖରେ ଠିଆ ହୋଇଥିବା ଶିଶୁ, ମହିଳା, ଯୁବଛାତ୍ର ଓ ବୟୋଜ୍ୟେଷ୍ଠଙ୍କୁ ନମସ୍କାର ବି କରୁଥାଏ। ମୋ ଧ୍ୟାନ ଥାଏ ଜଗନ୍ନାଥଙ୍କ ପାଖରେ। ସିଂହଦ୍ୱାର ପାଖରେ ପହଞ୍ଚତ୍ଲା କ୍ଷଣି ମୁଁ ଆଉ ସ୍ଥିର ହୋଇ ରହିପାରିଲି ନାହିଁ। ସେତେବେଳକୁ ମୁଁ ନିଜକୁ ପାସୋରି ସାରିଥିଲି। ମୁଁ ବଡ଼ଦାଣ୍ଡ ଧୂଳିରେ ନିଜକୁ ଲୋଟାଇଦେଇ ମହାପ୍ରଭୁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲି। ତା’ପରେ ଯାଇ ମନ୍ଦିର ଭିତରେ ପ୍ରବେଶ କଲି। ଗର୍ଭଗୃହରେ ପହଞ୍ଚତ୍ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ମାତ୍ରେ ମୁଁ ଆନନ୍ଦରେ ଅଭିଭୂତ ହୋଇଗଲି। ମହାପ୍ରଭୁ ଜଗତର ନାଥ, ଅନାଥର ନାଥ। ଜଗତଜନଙ୍କ ଦୁଃଖ ଫେଡ଼ିବା ପାଇଁ ସେ ସର୍ୱଦା ତତ୍ପର। ତେଣୁ ତାଙ୍କ ଚକାଆଖିରେ କେବେ ପଲକ ପଡ଼େନାହିଁ। ତାଙ୍କ ଆଗରେ ସାନବଡ଼ ବୋଲି କିଛି ନାହିଁ। ସମସ୍ତଙ୍କୁ ସେ ସମଦୃଷ୍ଟିରେ ଦେଖନ୍ତି, ସମତାର ମନ୍ତ୍ରରେ ସମସ୍ତଙ୍କୁ ଅଭିମନ୍ତ୍ରିତ କରନ୍ତି। ତାଙ୍କ କରୁଣା ଲାଭ କରି ସିନା ସମାଜର ସବୁ ବର୍ଗର ଲୋକଙ୍କ ସେବାରେ ମୁଁ ନିଜକୁ ସମର୍ପଣ କରିଛି। ଚକାନୟନଙ୍କୁ ଚାହିଁ ଯୋଡ଼ ହସ୍ତରେ କହିଲି, ଆପଣଙ୍କ ଆଶୀର୍ୱାଦରୁ ଏହି ସମର୍ପଣ ଭାବ ମୋ ଠାରେ ସଦା ରହିଥାଉ ହେ ମହାବାହୁ! ଦେଶଦୁନିଆକୁ ଆପଣେ ଘଣ୍ଟ ଘୋଡ଼ାଇ ରଖନ୍ତୁ ହେ କୃପାନିଧି! ଏପରି କହୁ କହୁ ମୁଁ ଭକ୍ତିଭାବରେ ବିହ୍ୱଳ ହୋଇପଡ଼ିଲି।
ଭାରତର ରାଷ୍ଟ୍ରପତି,
ନୂଆଦିଲ୍ଲୀ


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।