ତାମିଲ ରାମାୟଣ

Jul 16, 2026 - 08:47
ତାମିଲ ରାମାୟଣ

କମ୍ୱରାମାୟଣମ୍‌ (କମ୍ୱ ରାମାୟଣ) ତାମିଲ ସାହିତ୍ୟର ସବୁଠାରୁ ପ୍ରସିଦ୍ଧ ରଚନାଗୁଡ଼ିକ ମଧ୍ୟରୁ ଅନ୍ୟତମ। ନବମ ଶତାବ୍ଦୀ ପାଖାପାଖିରେ ଚୋଳ ରାଜାମାନଙ୍କ ସମୟରେ ତାମିଲନାଡୁର କବି କମ୍ୱନ ଏହାକୁ ରଚନା କରିଥିଲେ। ଏହା ରାମାୟଣର ଏକ କାବ୍ୟମୟ ପୁନର୍କଥନ, ଯେଉଁଥିରେ ସୁନ୍ଦର କାବ୍ୟଭାଷା, ସମୃଦ୍ଧ ଉପମା ଏବଂ ଗଭୀର ନୈତିକ ଚିନ୍ତନର ସମନ୍ୱୟ ଦେଖିବାକୁ ମିଳେ ।
ଯଦିଓ ଏହା ବାଲ୍ମୀକିଙ୍କ ସଂସ୍କୃତ ରାମାୟଣ ଦ୍ୱାରା ଅନୁପ୍ରାଣିତ, ତଥାପି କମ୍ୱନଙ୍କ ଏହି ରଚାନା କେବଳ ଏକ ଅନୁବାଦ ନୁହେଁ ବରଂ ଏକ ସ୍ୱତନ୍ତ୍ର ମହାକାବ୍ୟ। ଏହା ବାଲ୍ମୀକିଙ୍କ ମୂଳ ରାମାୟଣ କଥାକୁ ଅନୁସରଣ କରିବା ସହିତ ତାମିଲ ସଂସ୍କୃତି, ଭକ୍ତି ଭାବନା ଏବଂ ନୈତିକ ମୂଲ୍ୟବୋଧକୁ ପ୍ରତିଫଳିତ କରିବା ପାଇଁ କାହାଣୀକୁ ନୂଆ ରୂପ ଦେଇଛି। କିମ୍ୱଦନ୍ତୀ ଅନୁଯାୟୀ, ଏହା ପ୍ରଥମେ କାବେରୀ ନଦୀର ଏକ ଦ୍ୱୀପାଞ୍ଚଳରେ ଅବସ୍ଥିତ ଶ୍ରୀରଙ୍ଗମ୍‌ ମନ୍ଦିରରେ ପାଠ କରାଯାଇଥିଲା।
ରାମଙ୍କୁ ମୁଖ୍ୟତଃ ଜଣେ ଅସାଧାରଣ ମାନବ ଭାବରେ ବାଲ୍ମୀକି ଉପସ୍ଥାପନ କରିଛନ୍ତି – ଯିଏ ଜଣେ ରାଜକୁମାର ଭାବେ ପୁତ୍ର, ସ୍ୱାମୀ, ଯୋଦ୍ଧା ଏବଂ ରାଜା ଭାବରେ ସଙ୍କଟକୁ ସାମ୍ନା କରିବା ସମୟରେ ଅନୁଶାସନ, ସମ୍ମାନ ଏବଂ ନୈତିକ ଶକ୍ତିର ପ୍ରତୀକ ସାଜିଛନ୍ତି। ତାଙ୍କର ଆଚରଣ ସମାଜ ପାଇଁ ଏକ ଆଦର୍ଶ ପାଲଟିଯାଇଛି। ହେଲେ କମ୍ୱନ ଏହି ମାନବ ଦେହଧାରୀ ପୁରୁଷଙ୍କୁ ଧୀରେ ଧୀରେ ଏକ ଦୈବୀ ପୁରୁଷ ସ୍ତରକୁ ନେଇଯାଇଛନ୍ତି। କମ୍ୱରାମାୟଣମ୍‌ରେ, ରାମ ଜଣେ ସାଧାରଣ ମଣିଷ ପରି ବଞ୍ଚନ୍ତି, ଅନୁଭବ କରନ୍ତି ଏବଂ କାର୍ଯ୍ୟ କରନ୍ତି; ତଥାପି ତାଙ୍କର କରୁଣା, ସଂଯମତା ଏବଂ ନୈତିକ ସ୍ପଷ୍ଟତା ସଦାସର୍ୱଦା ଏକ ଗଭୀର ଦୈବୀ ଶକ୍ତିର ସଙ୍କେତ ଦେଇଥାଏ। ବିଶେଷ କଥା ହେଉଛି, ରାମ ନିଜେ କେବେ ବି ଘୋଷଣା କରିନାହାନ୍ତି ଯେ ସେ ବିଷ୍ଣୁଙ୍କ ଅବତାର। ଅନ୍ୟମାନେ ତାଙ୍କୁ ଭଗବାନ ବୋଲି ଚିହ୍ନିଲେ ମଧ୍ୟ ସେ ଏହାକୁ ସ୍ୱୀକାର କିମ୍ୱା ଅସ୍ୱୀକାର ବି କରିନାହାନ୍ତି। ମାନବିକତା ଏବଂ ଦିବ୍ୟତା ମଧ୍ୟରେ ଏହି ସୂକ୍ଷ୍ମ ସନ୍ତୁଳନ କମ୍ୱନଙ୍କ ରଚିତ ରାମଙ୍କୁ ଚିରସ୍ମରଣୀୟ କରିରଖିଛି।
କମ୍ୱରାମାୟଣମ୍‌ ଆକାର ଦୃଷ୍ଟିରୁ ବହୁ ବଡ଼। ବାଲ୍ମୀକିଙ୍କ ରାମାୟଣରେ ପ୍ରାୟ ଛଅ ହଜାର ଶ୍ଳୋକ ଥିବାବେଳେ କମ୍ୱନଙ୍କ ରଚନାରେ ଦଶ ହଜାରରୁ ଅଧିକ ଶ୍ଳୋକ ରହିଛି, ଯାହାର ପ୍ରାୟ ଅଧା ଭାଗ କେବଳ ରାମ ଏବଂ ରାବଣଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ (ଯୁଦ୍ଧ କାଣ୍ଡମ୍‌) ପାଇଁ ଉଦ୍ଦିଷ୍ଟ। ଏହା ନାଟକୀୟ ସଂଘର୍ଷ, ବୀରତ୍ୱ ଏବଂ ଭାବପ୍ରବଣତାର ତୀବ୍ରତା ପ୍ରତି ତାମିଲ ସାହିତ୍ୟର ଆକର୍ଷଣକୁ ପ୍ରତିଫଳିତ କରେ। ତେବେ କମ୍ୱନଙ୍କ ସମୟ ବେଳକୁ ରାମ ତାମିଲ ସମାଜରେ ଜଣେ ପରିଚିତ ବ୍ୟକ୍ତିତ୍ୱ ହୋଇସାରିଥିଲେ। ସଙ୍ଗମ ସାହିତ୍ୟରେ, ଆଲଭାର ଏବଂ ନାୟନମାରମାନଙ୍କ ଭକ୍ତି ଗୀତରେ ଏବଂ ସିଲପ୍ପାଦିକାରମ୍‌ ଓ ମଣିମେକଲାଇ ପରି ମହାକାବ୍ୟରେ ରାମଙ୍କ ସମ୍ପର୍କରେ ବର୍ଣ୍ଣନା ଦେଖିବାକୁ ମିଳେ। କମ୍ୱନ ଏପରି ଏକ ସାଂସ୍କୃତିକ ପରିବେଶରେ କାର୍ଯ୍ୟ କରୁଥିଲେ ଯେଉଁଠାରେ ରାମଙ୍କୁ ବିଷ୍ଣୁଙ୍କ ଅବତାର ଭାବରେ ପୂଜା କରାଯାଉଥିଲା।
କମ୍ୱନ ତାମିଲ ସଂସ୍କୃତିର ମୂଲ୍ୟବୋଧ ଅନୁଯାୟୀ ଅନେକ ପ୍ରସଙ୍ଗକୁ ନୂଆ ରୂପ ଦେଇଛନ୍ତି। ଏଥିରେ ନାରୀ ଚରିତ୍ରଗୁଡ଼ିକୁ ଅଧିକ ମର୍ଯ୍ୟାଦା ଦିଆଯାଇଛି। ଅହଲ୍ୟାଙ୍କୁ ନୈତିକ ଦୃଷ୍ଟିରୁ ଦୋଷୀ ଭାବେ ଦର୍ଶା ନ ଯାଇ ବରଂ ଇନ୍ଦ୍ରଙ୍କ ଦ୍ୱାରା ପ୍ରତାରିତ ହୋଇଥିବା ଜଣେ ମହିଳା ଭାବରେ ଚିତ୍ରିତ କରାଯାଇଛି, ଯାହା ତାଙ୍କ ପ୍ରତି ସହାନୁଭୂତି ସୃଷ୍ଟି କରେ। ବାଳିଙ୍କ ସ୍ତ୍ରୀ ତାରା ସୁଗ୍ରୀବଙ୍କୁ ପୁନର୍ୱାର ବିବାହ କରିବା ପରିବର୍ତ୍ତେ ବିଧବା ଭାବରେ ଜୀବନ ବିତାଇଛନ୍ତିି, ଯାହା ତାମିଲ ସମାଜର ନିଷ୍ଠାର ଆଦର୍ଶର ଅନୁରୂପ। ଶୂର୍ପଣଖା ପ୍ରଥମେ କାମାନ୍ଧ ବିକୃତ ରାକ୍ଷସୀ ରୂପରେ ନୁହେଁ, ବରଂ ରାମଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଥିବା ଜଣେ ସୁନ୍ଦରୀ ମହିଳା ଭାବରେ ଦେଖାଯାଏ।
କମ୍ୱରାମାୟଣମ୍‌ର କାହାଣୀର ବର୍ଣ୍ଣନାଗତ ପରିବର୍ତ୍ତନ ବିଶେଷ ଭାବରେ ଆଶ୍ଚର୍ଯ୍ୟଜନକ । ବାଲ୍ମୀକି ରାମାୟଣରେ ରାବଣ ସୀତାଙ୍କୁ ଶାରୀରିକ ଭାବେ ଅପହରଣ କରି ନେଇଛନ୍ତି; କିନ୍ତୁ କମ୍ୱନଙ୍କ କାବ୍ୟରେ ସେ ସୀତାଙ୍କୁ ସ୍ପର୍ଶ ନ କରି ସମଗ୍ର ଆଶ୍ରମ କୁଟିରକୁ ଉଠାଇ ନେଇଯାଇଛନ୍ତି। ବ୍ୟାଧରାଜ ଗୁହକ କେବଳ ରାମଙ୍କ ବନ୍ଧୁ ନୁହନ୍ତି ବରଂ ତାଙ୍କ ଭାଇ ହୋଇଯାଇଛନ୍ତି ଏବଂ କମ୍ୱନ ଏହି ଭ୍ରାତୃଭାବକୁ ସୁଗ୍ରୀବ ଓ ବିଭୀଷଣଙ୍କ ଭଳି ସହଯୋଗୀଙ୍କ ପର୍ଯ୍ୟନ୍ତ ବିସ୍ତାର କରି ବୈଶ୍ୱିକ ଭାଇଚାରାର ବାର୍ତ୍ତା ଦେଇଛନ୍ତି। ଅହଂକାର ଉପରେ ଭକ୍ତିର ଶକ୍ତିକୁ ପ୍ରଦର୍ଶନ କରିବା ପାଇଁ ସେ ବିଭୀଷଣଙ୍କ ଦ୍ୱାରା ବର୍ଣ୍ଣିତ ହିରଣ୍ୟକଶିପୁ କାହାଣୀ ଭଳି ନୂତନ ପ୍ରସଙ୍ଗ ମଧ୍ୟ ସାମିଲ କରିଛନ୍ତି। ଏହି ସମସ୍ତ ପରିବର୍ତ୍ତନ ମାଧ୍ୟମରେ କମ୍ୱନ ରାମାୟଣକୁ ଅତିରିକ୍ତ ନୈତିକ ବିଷୟବସ୍ତୁ ଯଥା ଭକ୍ତି, ବନ୍ଧୁତା, ନୈତିକ ଯୁଦ୍ଧ, ଭାଇମାନଙ୍କ ମଧ୍ୟରେ ବିଶ୍ୱସ୍ତତା ଏବଂ ସାର୍ୱଜନୀନ ଭ୍ରାତୃଭାବରେ ସେ ସମୃଦ୍ଧ କରିଛନ୍ତି। ତାଙ୍କର କାବି୍ୟକ ପ୍ରତିଭା, ତାମିଲ ସଂସ୍କୃତି ପ୍ରତି ଗଭୀର ସମ୍ୱେଦନଶୀଳତା ମହାକାବ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।
ରାମାୟଣ କାହାଣୀକୁ ନେଇ କମ୍ୱନଙ୍କ ଏହି ପୁନଃରଚନା ଆଲଭାର ସନ୍ଥମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭକ୍ତି ଆନ୍ଦୋଳନର ଏକ ଅଂଶ ଥିଲା, ଯେଉଁମାନେ ରାମଙ୍କୁ ପୃଥିବୀରେ ଭଗବାନ, ଅର୍ଥାତ୍‌ ବିଷ୍ଣୁ-ନାରାୟଣଙ୍କ ଏକ ରୂପ ଭାବରେ ଦେଖୁଥିଲେ। ତାଙ୍କର ଏହି ଚିନ୍ତାଧାରା ତେଲୁଗୁ, ଓଡ଼ିଆ, ବଙ୍ଗଳା ଏବଂ ଅହମିୟା ଭାଷାରେ ରାମକାବ୍ୟ ରଚନା କରିବାକୁ ପ୍ରେରିତ କରିଥିଲା। ଏହାର ପ୍ରାୟ ୬୦୦ ବର୍ଷ ପରେ, ଆକବରଙ୍କ ଶାସନ କାଳରେ, ଗଙ୍ଗାନଦୀ କୂଳରେ ତୁଳସୀଦାସ ଅବଧୀ ଭାଷାରେ ତାଙ୍କର ଶ୍ରେଷ୍ଠ କୃତି ‘ରାମଚରିତମାନସ’ ରଚନା କରିଥିଲେ।
-devduttofficial@gmail.com


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।