ଉପାନ୍ତରେ ବିକାଶର ବାଟ ହୁଡ଼ିଛି, ୨ କିମି ଖଟିଆରେ ବୁହା ହେଉଛନ୍ତି ରୋଗୀ; ରାସ୍ତା ନହେଲେ ଭୋଟ୍ ବର୍ଜନ ଚେତାବନୀ
ନନ୍ଦିଘୋଷ ବ୍ୟୁରୋ : ଉପାନ୍ତରେ ବାଟ ହୁଡ଼ିଛି ବିକାଶ । ଆଜି ଯାଏଁ ପହଞ୍ଚିପାରିନି ବିକାଶର ପଦଚିହ୍ନ । ଆବଡ଼ାଖାବଡ଼ା ରାସ୍ତା ଦେଇ ଯାଆସ କରୁଛନ୍ତି ଲୋକେ । ନିଘୋଡ଼ ନିଦରେ ପ୍ରଶାସନ । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଚନ୍ଦକା ପଞ୍ଚାୟତର ତୋଳଖରାଡ଼ବା ଗାଁକୁ ଆଜି ଯାଏଁ ରାସ୍ତା ଖଣ୍ଡିଏ ନାହିଁ । ଫଳରେ ଗାଁ ଲୋକେ ଯାତାୟାତରେ ନାନା ସମସ୍ୟା ଭୋଗୁଛନ୍ତି ।
ସବୁଠୁ ବଡ଼ ସମସ୍ୟା ହେଉଛି ଜରୁରୀ ସମୟରେ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରୁନାହିଁ । ରୋଗୀଙ୍କୁ ଖଟିଆରେ ପ୍ରାୟ ୨ କିଲୋମିଟର ବୋହି ନେବାକୁ ପଡ଼ୁଛି । ବର୍ଷା ଦିନେ ସ୍ଥିତି ଆହୁରି ଦୟନୀୟ ହୋଇପଡ଼ୁଛି । ରାସ୍ତା ନଥିବାରୁ ଗାଁ ଲୋକଙ୍କ ଦୁର୍ଦ୍ଦଶା ଦ୍ୱିଗୁଣିତ ହୋଇଯାଉଛି ।
ଗାଁକୁ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । କେବଳ ମିଳୁଛି ଫମ୍ପା ପ୍ରତିଶ୍ରୁତି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆଗାମୀ ଦିନରେ ଗାଁକୁ ରାସ୍ତା ନିର୍ମାଣ ନହେଲେ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଅନ୍ୟପଟେ, ଯଥାଶୀଘ୍ର ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବ୍ଲକ୍ ଅଧ୍ୟକ୍ଷା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

