ଇରାନ ସହ ଆର୍ଥିକ କାରବାରକୁ ନେଇ ଟ୍ରମ୍ପଙ୍କ ଚେତାବନୀ, ଚିନ୍ତାରେ ଭାରତୀୟ ରପ୍ତାନିକାରୀ
ନନ୍ଦିଘୋଷ ବ୍ୟୁରୋ: ଇରାନ ସହିତ ଆର୍ଥିକ କାରବାର କରୁଥିବା ଦେଶ ଓ ସଂସ୍ଥାଗୁଡ଼ିକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଇରାନ ସହ ବାଣିଜ୍ୟିକ କିମ୍ବା ଆର୍ଥିକ ସମ୍ପର୍କ ରଖୁଥିବା ଦେଶ ଓ ସଂସ୍ଥା ବିରୋଧରେ କଡ଼ା ପଦକ୍ଷେପ ନିଆଯାଇପାରେ ବୋଲି ଟ୍ରମ୍ପଙ୍କ ଚେତାବନୀ ପରେ ବିଭିନ୍ନ ଦେଶରେ ଚିନ୍ତା ବଢ଼ିଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି। ଇରାନ ସହ ଭାରତର ଦୀର୍ଘଦିନର ବାଣିଜ୍ୟିକ ସମ୍ପର୍କ ରହିଛି। ୨୦୨୫-୨୬ ମସିହାରେ ଭାରତ ଇରାନକୁ ପ୍ରାୟ ୧.୨୫ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଛି। ଏଥିରେ ବାସମତୀ ଚାଉଳ, ଚା’, ଚିନି, ଫଳ, ମସଲା, ଔଷଧ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରହିଛି।
ଆମେରିକା ଇରାନ ଉପରେ ଚାପ ବଢ଼ାଇଲେ ଭାରତୀୟ ରପ୍ତାନିକାରୀଙ୍କ ପାଇଁ ପେମେଣ୍ଟ, ଜାହାଜ ପରିବହନ ଓ ବୀମା ଖର୍ଚ୍ଚ ବଢ଼ିପାରେ। ତେବେ ଭାରତ-ଇରାନ ବାଣିଜ୍ୟ ଗତ କିଛି ବର୍ଷରେ ହ୍ରାସ ପାଇଥିବାରୁ ଭାରତ ଉପରେ ବଡ଼ ଆର୍ଥିକ ଝଟକାର ସମ୍ଭାବନା କମ୍ ରହିଛି। ଏହାସହ ଭାରତ ଏସିଆ, ଆଫ୍ରିକା ସମେତ ବିଭିନ୍ନ ଅନ୍ତର୍ଜାତୀୟ ବଜାରରେ ରପ୍ତାନି ବଢ଼ାଇବାକୁ ଉଦ୍ୟମ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
