ଆରୋଗ୍ୟ ସେତୁ ୨.୦ ଆପ୍‌ର ଶୁଭାରମ୍ଭ କଲେ ଜେ.ପି. ନଡ୍ଡା

Jun 29, 2026 - 23:25
ଆରୋଗ୍ୟ ସେତୁ ୨.୦ ଆପ୍‌ର ଶୁଭାରମ୍ଭ କଲେ ଜେ.ପି. ନଡ୍ଡା

ନୂଆଦିଲ୍ଲୀ,୨୯ା୬: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ସୋମବାର ଆରୋଗ୍ୟ ସେତୁ ୨.୦ ଆପ୍‌ ଏବଂ ୟୁନିଫାଏଡ୍‌ ହେଲ୍‌ଥ ଇଣ୍ଟରଫେସ୍‌ (ୟୁଏଚ୍‌ଆଇ) ଲଞ୍ଚ୍‌ କରିଛନ୍ତି। କୋଭିଡ୍‌ ସମୟରୁ ଆରମ୍ଭ ହୋଇଥିବା ଆରୋଗ୍ୟ ସେତୁ ଆପ୍‌ର ଉନ୍ନତ ସଂସ୍କରଣ ଆରୋଗ୍ୟ ସେତୁ ୨.୦ ଲୋକଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ରେକର୍ଡ ରଖିବାରେ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଭାବେ କାର୍ଯ୍ୟ କରିବ।

ଏହି ସୁବିଧା ଜରିଆରେ ହିତାଧିକାରୀ କରିଥିବା ସ୍ବାସ୍ଥ୍ୟ ବୀମା ଓ ଚିକିତ୍ସା ଖର୍ଚ୍ଚ ପାଇଁ କରିଥିବା ଦାବିର ସ୍ଥିତିକୁ ସହଜରେ ଅନ୍‌ଲାଇନରେ ଦେଖିପାରିବେ। ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଆକାଉଣ୍ଟ ଆଇଡି, ସ୍ବାସ୍ଥ୍ୟ ରେକର୍ଡ ପରିଚାଳନା, ହସ୍ପିଟାଲରେ ଡିଜିଟାଲ ପଞ୍ଜୀକରଣ ସମେତ ସମସ୍ତ ସ୍ବାସ୍ଥ୍ୟସେବା ବିବରଣୀ ପାଇଁ ଏହା ନାଗରିକଙ୍କ ନିମନ୍ତେ ଏକକ ଡିଜିଟାଲ ଗେଟ୍‌ଓ୍ବେ ହେବ।

ଏଥିସହିତ ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍‌) ଅଧୀନରେ ଏକ ସହକାର୍ଯ୍ୟକ୍ଷମ ଡିଜିଟାଲ ନେଟ୍‌ଓ୍ବର୍କ ୟୁନିଫାଏଡ୍‌ ହେଲ୍‌ଥ ଇଣ୍ଟରଫେସ୍‌ (ୟୁଏଚ୍‌ଆଇ)ର ଶୁଭାରମ୍ଭ କରିଛନ୍ତି। ଏହା ରୋଗୀମାନଙ୍କୁ ଗୋଟିଏ ଆପ୍‌ ଉପରେ ନିର୍ଭର ନ କରି ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ସ୍ବାସ୍ଥ୍ୟସେବାଗୁଡ଼ିକୁ ଖୋଜିବା, ବୁକ୍‌ କରିବା ଓ ସୁବିଧା ପାଇବା ପାଇଁ ଅନୁମତି ଦେବ।