ଝରାଫୁଲ ହତ୍ୟା ଘଟଣା: ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଏମିତି ଦଣ୍ଡ

Jun 29, 2026 - 17:18
ଝରାଫୁଲ ହତ୍ୟା ଘଟଣା: ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଏମିତି ଦଣ୍ଡ

ଭୁବନେଶ୍ୱର,୨୯।୬: ବହୁଚର୍ଚ୍ଚିତ ଝରାଫୁଲ ହତ୍ୟାକାଣ୍ଡ ଘଟଣାର ରାୟ ଆସିଛି। ଦୋଷୀ ରାକେଶ ସ୍ବାଇଁଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହାସହ ରାକେଶଙ୍କ ସହଯୋଗୀ ଅମରେଶ ରାଉତକୁ ୫ ବର୍ଷ ଜେଲ୍‌ ଦଣ୍ଡ ଦିଆଯାଇଛି। ଏହି ରାୟ ଶୁଣାଇଛନ୍ତି ଯାଜପୁର ଅତିରିକ୍ତ ଜିଲା ଜଜ।

ସୂଚନାଯୋଗ୍ୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ଭୁବନେଶ୍ୱରରେ ହତ୍ୟା କରିବା ପରେ ସ୍କୁଟିରେ ନେଇ ଯାଜପୁରରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁକୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିବା ପରେ ଝରାଫୁଲଙ୍କ ମର୍ଡର ମିଷ୍ଟ୍ରି ଉପରୁ ଧୀରେ ଧୀରେ ପରଦା ହଟିଥିଲା। ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଓ ମୃତଦେହକୁ ଫୋପାଡିବା ପାଇଁ ଅଭିଯୁକ୍ତ କରିଥିଲେ ଷଡଯନ୍ତ୍ର।

ତଦନ୍ତରୁ ଜଣାପଡିଛି, ରାକେଶ ଝରାଫୁଲଙ୍କ ପୁରୁଷ ବନ୍ଧୁ। ଯେଉଁ ସିସିଟିଭି ଫୁଟେଜ ମିଳିଥିଲା, ସେଥିରେ ସ୍କୁଟି ପଛପଟେ ବସିଥିଲେ ଅଭିଯୁକ୍ତ ରାକେଶ। ହତ୍ୟାକାଣ୍ଡ ପରେ ପୋଲିସକୁ ଭୁଆଁ ବୁଲାଇବା ପାଇଁ ଅଭିଯୁକ୍ତ ବଡ଼ ଷଡଯନ୍ତ୍ର ରଚିଥିଲେ। ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅନ୍ତର୍ଗତ ତରୁଣ୍ଡେଇପଶି ଗ୍ରାମର ରାମାକାନ୍ତ ନାୟକଙ୍କ ଝିଅ ଝରାଫୁଲ(୨୧) ରମାଦେବୀ ବିଶ୍ବବିଦ୍ୟାଳୟର ଦର୍ଶନ ବିଭାଗର ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ରୀ। ସେ ୨୦୨୧ ମସିହା ଜାନୁଆରୀ ୨୬ ତାରିଖ ଦିନ ନିଜ ଘରକୁ ଯିବା ପାଇଁ ଭୁବନେଶ୍ବରରୁ ଝାଡେଶ୍ୱର ବସ୍‌ରେ ବସିଥିଲେ। ମାତ୍ର ଘରେ ପହଞ୍ଚିବା ବଦଳରେ ଯାଜପୁର ଜିଲା କୁଆଖିଆ ଥାନା ଅଞ୍ଚଳରୁ ତାଙ୍କ ମୃତଦେହ ମିଳିଥିଲା।

 

Dharitri – Odisha’s No.1 Odia Daily