‘ଆମେ କଟକିଆ’ ସମାବେଶରେ ସମ୍ମିଳିତ ଦାବି: ଶୈଳବାଳା କଲେଜକୁ ତୁରନ୍ତ ମିଳୁ ବିଶ୍ବବିଦ୍ୟାଳୟ ମାନ୍ୟତା
କଟକ: ୧୧୩ ବର୍ଷର ଶିକ୍ଷାନୁଷ୍ଠାନ। ଓଡ଼ିଶାର ପ୍ରଥମ ଏବଂ ଦେଶର ଦ୍ବିତୀୟ ମହିଳା ମହାବିଦ୍ୟାଳୟ। ଏଭଳି ଏକ ଐତିହାସିକ ଶିକ୍ଷାନୁଷ୍ଠାନର ନାତି, ନାତୁଣୀ ମାନ୍ୟତାର ଅନୁଷ୍ଠାନ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇ ସାରିଲେଣି। କିନ୍ତୁ ବାରମ୍ବାର ଦାବି ପରେ ବି କଟକର ଐତିହାସିକ ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିପାରୁ ନାହିଁ। ‘ସମ୍ବାଦ-କନକ ନ୍ୟୁଜ୍’ ପକ୍ଷରୁ ଆୟୋଜିତ ‘ଆମେ କଟକିଆ-ଆମେ କହିବା କଟକ କଥା’ କାର୍ଯ୍ୟକ୍ରମରେ ଯୋଗ ଦେଇ କଟକର ବହୁ ବିଶିଷ୍ଟ ବ୍ୟକ୍ତି କ୍ଷୋଭ ପ୍ରକାଶ କରିବା ସହିତ ଏହି ପ୍ରସଙ୍ଗକୁ ଏକ ନିର୍ଣ୍ଣାୟକସ୍ତରରେ ପହଞ୍ଚାଇବାକୁ ସଙ୍କଳ୍ପ ନେଇଛନ୍ତି।
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆବାହକତ୍ବରେ ଏବଂ ସମ୍ବାଦ-କନକ ନ୍ୟୁଜ୍ର ସଂପାଦକ ତନୟା ପଟ୍ଟନାୟକଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମତ ରଖି ଓଡ଼ିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସତ୍ୟକାମ ମିଶ୍ର ଅତ୍ୟନ୍ତ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ୨୦୨୨ରେ କଲେଜର ଜମିକୁ ରାସ୍ତା ପାଇଁ ସରକାର ନେଇଗଲେ। କଲେଜକୁ ପ୍ରତିଶ୍ରୁତି ମୁତାବକ ବିକଳ୍ପ ଜମି ତ ଦେଲେ ନାହିଁ; ଏବେ କଲେଜ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଘରକୁ ବି ନେଇଯିବାକୁ ବସିଛନ୍ତି। ବିଶ୍ବବିଦ୍ୟାଳୟ ଦାବି ପ୍ରସଙ୍ଗକୁ ସଂପୂର୍ଣ୍ଣ ଅଣଦେଖା କରୁଛନ୍ତି।
NDA: ଆଜି ଏନ୍ଡିଏ ସଂସଦୀୟ ଦଳ ବୈଠକ, ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ଆଲୋଚନାରେ ଭାଗ ନେବେ ବିଜେପି ଯୁବ ନେତା
ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏଭଳି ପ୍ରସଙ୍ଗରେ ମତ ରଖି ବିଶିଷ୍ଟ ଅଭିନେତା ସତ୍ୟବ୍ରତ ତ୍ରିପାଠୀ (କୁନା) କହିଥିଲେ ଯେ କଟକିଆ ଜିଦ୍ ଧରିଲେ କୌଣସି କାମ ବିଫଳ ହେବ ନାହିଁ। ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପାଇଁ ସବୁ କଟକିଆ ଏକଜୁଟ ହୁଅନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ। ସେହିଭଳି କଲେଜର ପୂର୍ବତନ ଅଧ୍ୟକ୍ଷା ଡକ୍ଟର ଗୋପା ଦାସ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ହୁଏତ କଲେଜରେ କୌଣସି ଆଇଏଏସ୍ ଅଧିକାରୀଙ୍କ ସଂପର୍କୀୟ ଚାକିରି କରୁ ନଥିବାରୁ ଶୈଳବାଳା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳି ପାରୁ ନାହିଁ। ନଚେତ୍ ଶୈଳବାଳା କଲେଜର ଦାବିକୁ ଉପେକ୍ଷା କରି ରମାଦେବୀ କଲେଜକୁ କିଭଳି ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଥାନ୍ତା?
ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଦାବି ପହଞ୍ଚାଇବାକୁ ନିଷ୍ପତ୍ତି
ଏ ପ୍ରସଙ୍ଗରେ ମତ ରଖି ଶିକ୍ଷାବିତ ତଥା ବରିଷ୍ଠ ବିଜେପି ନେତା ବିନୋଦ ଦାସ କହିଥିଲେ ଯେ ରାଜନୈତିକ ଇଚ୍ଛାଶକ୍ତି ରହିଲେ ସବୁ କିଛି ସମ୍ଭବ ହେବ। କଲେଜର ଜମି ନଥିବାରୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳି ପାରୁ ନାହିଁ ବୋଲି ଯିଏ କହୁଛନ୍ତି ତାହା ସଂପୂର୍ଣ୍ଣ ଅମୂଳକ। ଶୈଳବାଳା ମହିଳା ମହାବିଦ୍ୟାଳୟ ନିଶ୍ଚିତ ଭାବେ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବାକୁ ହକଦାର। ଏ ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ବେଦନଶୀଳ ଅଛନ୍ତି। ତେଣୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିକୁ ସରକାର ଖୁବଶୀଘ୍ର ବିଚାର କରିବେ ବୋଲି ଆଶା କରାଯାଉଛି। ମହାବିଦ୍ୟାଳୟର ପୁରାତନ ଛାତ୍ରୀ, କଟକ ପୌର ନିଗମର ପୂର୍ବତନ ଉପାଧ୍ୟକ୍ଷା ପୁଷ୍ପା ସାମଲ କହିଥିଲେ ଯେ ଏ ପ୍ରସଙ୍ଗରେ କଟକିଆ ଏଯାଏଁ ଏକାଠି ନହେବା ଯେତିକି କ୍ଷୋଭର ବିଷୟ ଆଜି ଏଭଳି ଏକ ପ୍ରସଙ୍ଗକୁ କଟକିଆମାନେ ଏତେ ଗୁରୁତ୍ବର ସହ ଗ୍ରହଣ କରି ଆଲୋଚନା କରିବା ସେତିକି ପ୍ରଶଂସନୀୟ। ତେଣୁ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବାକୁ ଶ୍ରୀମତୀ ସାମଲ ଆହ୍ବାନ ଦେଇଥିଲେ। ବିଭିନ୍ନ ସମୟରେ ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ଫୋରମରେ ଦାବି ଉଠାଇ ଆସିଥିବା ବିଶିଷ୍ଟ ଶିକ୍ଷାବିତ ଡକ୍ଟର ନଟବର ଶତପଥୀ, ଯୁବ ସମାଜସେବୀ ସନ୍ତୋଷ ମହାରଣା ପ୍ରମୁଖ ଏହି ଦାବି ଅଧିକ ପ୍ରଭାବଶାଳୀ ଢଙ୍ଗରେ ଆଗକୁ ନେବାକୁ ପ୍ରସ୍ତାବ ଦେଇଥିଲେ।
Paper Leak: ପ୍ରଶ୍ନପତ୍ର ଲିକ୍ ବିଲ୍ ଉପରେ ଆଜି ଚର୍ଚ୍ଚା : ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ବିରୋଧୀ ରାଜି
ଓପିଏସ୍ସିର ପୂର୍ବତନ ସଦସ୍ୟା ଡକ୍ଟର ସଂଗୀତା ରଥ, କଲେଜର ପୂର୍ବତନ ପ୍ରାଧ୍ୟାପିକା, ବିଶିଷ୍ଟ ଲେଖିକା ଡକ୍ଟର ସୁଲୋଚନା ଦାସ, ଡକ୍ଟର ସୁନାମଣି ରାଉତ, ଡକ୍ଟର ବନ୍ଦନା ପାଠକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୈଳାବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କ୍ଷେତ୍ରରେ ସରକାର ଆଉ ଅଧିକ ବିଳମ୍ବ କରନ୍ତୁ ନାହିଁ ବୋଲି ମତ ଦେଇଥିଲେ। ସେହିଭଳି ରେଳ ବୋର୍ଡ ପରାମର୍ଶଦାତା ସଦସ୍ୟ ଡକ୍ଟର ରଂଜନ ବିଶ୍ବାଳ ସହରର ବିଶିଷ୍ଟ ବ୍ୟକ୍ତି ଓ ଶିକ୍ଷାବିତମାନଙ୍କୁ ନେଇ ଏକ କମିଟି ଜରିଆରେ ସରକାରଙ୍କ ନିକଟକରେ ବିଧିବଦ୍ଧ ଦାବି ଓ ତଥ୍ୟ ରଖିବାକୁ ପରାମର୍ଶ ଦେଇଥିଲେ। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବି.ପି. ଦାସ, ଜଷ୍ଟିସ୍ ମଦନମୋହନ ଦାସ, କ୍ୟାଟର ପୂର୍ବତନ ଅଧ୍ୟକ୍ଷ ବିଚାରପତି ମନୋରଂଜନ ମହାନ୍ତି, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପସ୍ଥିତିରେ ଏହି ପ୍ରସଙ୍ଗରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ରଖିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।