ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ
କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ ଜରୁରୀ ମନେ କରାଯାଏ। କିନ୍ତୁ ଆଜିକାଲି ଆମେ ବ୍ୟବହାର କରୁଥିବା କ୍ଷୀର ପ୍ରକୃତରେ ଶୁଦ୍ଧ କି ନୁହେଁ, ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ୍ଷୀରରେ ମିଶ୍ରଣ ବା ଭେଜାଲ୍ ଏବେ ଏକ ବଡ଼ ସମସ୍ୟା ପାଲଟିଛି। ଅନେକ ସମୟରେ ଏଥିରେ ପାଣି, ଷ୍ଟାର୍ଚ, ଡିଟରଜେଣ୍ଟ ଏବଂ ଅନ୍ୟାନ୍ୟ କେମିକାଲ୍ ମିଶାଯାଉଛି, ଯାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।
କ୍ଷୀରର ଶୁଦ୍ଧତାକୁ ନେଇ ସାମାନ୍ୟ ସାବଧାନତା ଅବଲମ୍ବନ କରିବା ଜରୁରୀ। କିଛି ସହଜ ଘରୋଇ ଉପାୟ ଆପଣାଇ ଆପଣ କ୍ଷୀରର ଶୁଦ୍ଧତା ପରୀକ୍ଷା କରିପାରିବେ:
୧. ପାଣି ମିଶ୍ରଣର ଯାଞ୍ଚ: କ୍ଷୀରରେ ପାଣି ମିଶାଇବା ସବୁଠାରୁ ସାଧାରଣ ଭେଜାଲ୍ ଅଟେ। ଏହାର ପରୀକ୍ଷା ପାଇଁ କୌଣସି ଏକ ଚିକ୍କଣ ଏବଂ ସାମାନ୍ୟ ଢାଲୁଆ ଜାଗା, ଯେପରିକି କାଚ କିମ୍ବା ଟାଇଲ୍ସ ଉପରେ କ୍ଷୀରର ଏକ ବୁନ୍ଦା ପକାନ୍ତୁ।
-
କିପରି ଚିହ୍ନିବେ? ଯଦି କ୍ଷୀର ବୁନ୍ଦାଟି ଧୀରେ ଧୀରେ ତଳକୁ ବୋହିଯାଏ ଏବଂ ପଛରେ ଏକ ଧଳା ଦାଗ ଛାଡ଼ିଯାଏ, ତେବେ କ୍ଷୀର ଶୁଦ୍ଧ ଅଟେ। ଯଦି କ୍ଷୀରଟି ଖୁବ୍ ଶୀଘ୍ର ବୋହିଯାଏ ଏବଂ କୌଣସି ଦାଗ ରହେନାହିଁ, ତେବେ ସେଥିରେ ଅଧିକ ପରିମାଣର ପାଣି ମିଶ୍ରଣ ହୋଇଛି।
୨. ଷ୍ଟାର୍ଚ (ମାଣ୍ଡ) ମିଶ୍ରଣର ପରୀକ୍ଷା: କ୍ଷୀରକୁ ବହଳିଆ କରିବା ପାଇଁ ଏଥିରେ ଚାଉଳ କିମ୍ବା ମକାରୁ ପ୍ରସ୍ତୁତ ଷ୍ଟାର୍ଚ ମିଶାଯାଇଥାଏ।
-
କିପରି ଚିହ୍ନିବେ? ଅଳ୍ପ କ୍ଷୀର ନେଇ ସେଥିରେ କିଛି ବୁନ୍ଦା ଆୟୋଡିନ ସଲ୍ୟୁସନ (Iodine Solution) ମିଶାନ୍ତୁ। ଯଦି କ୍ଷୀରର ରଙ୍ଗ ନୀଳ ହୋଇଯାଏ, ତେବେ ସେଥିରେ ଷ୍ଟାର୍ଚ ମିଶିଥିବା ସ୍ପଷ୍ଟ ହୋଇଥାଏ। ଯଦି ରଙ୍ଗରେ କୌଣସି ପରିବର୍ତ୍ତନ ହୁଏନାହିଁ, ତେବେ କ୍ଷୀର ସମ୍ପୂର୍ଣ୍ଣ ଶୁଦ୍ଧ।
୩. ଡିଟରଜେଣ୍ଟ ମିଶ୍ରଣର ଯାଞ୍ଚ: ଫେଣ ଏବଂ ଧଳାପଣ ବଢ଼ାଇବା ପାଇଁ ଅନେକ ସମୟରେ କ୍ଷୀରରେ ଡିଟରଜେଣ୍ଟ ଭଳି କ୍ଷତିକାରକ ଜିନିଷ ମିଶାଯାଇଥାଏ।
-
କିପରି ଚିହ୍ନିବେ? ଏକ ଗ୍ଲାସରେ ଅଳ୍ପ କ୍ଷୀର ନେଇ ସେଥିରେ ସମାନ ପରିମାଣର ପାଣି ମିଶାନ୍ତୁ ଏବଂ ଭଲଭାବେ ହଲାନ୍ତୁ। ଯଦି ସାଧାରଣ ଫେଣ ହୋଇ ଶୀଘ୍ର ମରିଯାଏ, ତେବେ ଏହା ଠିକ୍ ଅଛି। କିନ୍ତୁ ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ବହଳିଆ ଏବଂ ସାବୁନ ପରି ଫେଣ ରହିଯାଏ, ତେବେ ସେଥିରେ ଡିଟରଜେଣ୍ଟ ମିଶିଥିବାର ସନ୍ଦେହ କରାଯାଏ।
୪. ସିନ୍ଥେଟିକ୍ କ୍ଷୀରର ଚିହ୍ନଟ: ରାସାୟନିକ ପଦାର୍ଥ ବ୍ୟବହାର କରି ପ୍ରସ୍ତୁତ କରାଯାଉଥିବା ସିନ୍ଥେଟିକ୍ କ୍ଷୀର ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ।
-
କିପରି ଚିହ୍ନିବେ? ପ୍ରାକୃତିକ କ୍ଷୀରରେ ଏକ ସ୍ୱଭାବିକ ମିଠା ବାସ୍ନା ଥାଏ। କିନ୍ତୁ ସିନ୍ଥେଟିକ୍ କ୍ଷୀରକୁ ସାମାନ୍ୟ ଗରମ କଲେ ସେଥିରୁ ସାବୁନ କିମ୍ବା କେମିକାଲ୍ ପରି ଗନ୍ଧ ବାହାରିଥାଏ। ଏହାବ୍ୟତୀତ ଯଦି କ୍ଷୀରର ସ୍ୱାଦ ପିତା କିମ୍ବା ଅଜବ ଲାଗେ ଏବଂ ଗରମ କଲେ ଏହା ଅତ୍ୟଧିକ ବହଳିଆ ହୋଇ ହଳଦିଆ ପଡ଼ିଯାଏ, ତେବେ ଏହା ସିନ୍ଥେଟିକ୍ କ୍ଷୀର ହୋଇପାରେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।