ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଫିଲିପ୍‌, ବାପାଙ୍କୁ ଆସିଲା ଏମିତି କଲ୍‌…

Jul 15, 2026 - 21:28
ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଫିଲିପ୍‌, ବାପାଙ୍କୁ ଆସିଲା ଏମିତି କଲ୍‌…

ଗୁଡ଼ାରି,୧୫ା୭(ପ୍ରମୋଦ ପତି): ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି ଗୁଡ଼ାରି ବ୍ଲକର ଏମ୍‌କେ ରାଇ ପଞ୍ଚାୟତ ଅନ୍ତର୍ଗତ ମକାଗୁଡ଼ା ଗ୍ରାମର ଅବିବାହିତ ଫିଲିପ କିମାକା (୨୫)। ସୂଚନା ମୁତାବକ ସ୍ବର୍ଗତ ଫିଲିପ୍‌ କେରଳ ରାଜ୍ୟର କାନୁର ଜିଲା ଅନ୍ତର୍ଗତ କୁଡ଼ିଆନମାଲା ଥାନା ଅଞ୍ଚଳରେ ଦାଦନ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ସକାଳୁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ବାପା ବୁଡୁ କିମାକାଙ୍କ ନିକଟକୁ ଏକ ଫୋନ୍‌ କଲ ଆସିଥିଲା। ଦୁଃଖରେ ଭାଙ୍ଗିପଡ଼ି ଏହି ବାର୍ତ୍ତା ପରିବାର ଓ ନିଜ ଗାଁରେ ଜଣାଇବା ପରେ ତାଙ୍କ ମର ଶରୀର ଜନ୍ମ ମାଟିକୁ ଆଣିବା ପାଇଁ ଚେଷ୍ଟା କରିଥିଲେ। କୁଡ଼ିଆନମାଲା ଥାନା ଅଧିକାରୀଙ୍କୁ ଏକ ଲିଖିତ ପ୍ରାର୍ଥନା କରି ମର ଶରୀରକୁ ନିଜ ଗ୍ରାମ ନିକଟସ୍ଥ ଅନ୍ୟ ଜଣେ ସମ୍ପର୍କୟ ଦାଦନ ଖଟିବାକୁ ଯାଇଥିବା ବ୍ୟକ୍ତିଙ୍କୁ ସେଠାରେ ହସ୍ତାନ୍ତର କରିବା ପାଇଁ ବାପା ଏକ ଦରଖାସ୍ତ ଲେଖିଥିଲେ। ଥାନା ଅଧିକାରୀ ମର ଶରୀର ସମ୍ପୃକ୍ତ ବ୍ୟକ୍ତିଙ୍କୁ ମର ଶରୀର ହସ୍ତାନ୍ତର କରିଥିଲେ। କିନ୍ତୁ ମର ଶରୀରକୁ ଆମ୍ବୁଲାନ୍ସ ଦ୍ୱାରା ନିଜ ଗ୍ରାମ ମକାଗୁଡା ଆଣିବା ପାଇଁ ୭୫୦୦୦ ଟଙ୍କା ଦାବି କରିଥିଲେ ଏବଂ ଅଗ୍ରୀମ ସ୍ବରୂପ ୬୦୦୦୦ ଟଙ୍କା ପଠାଇବା ପାଇଁ କହିଥିଲେ। ଗରିବ ପରିବାର ହୋଇଥିବାରୁ ଗ୍ରାମବାସୀ ନିଜ ନିଜ ମଧ୍ୟରେ ଟଙ୍କା ସଂଗ୍ରହ କରି ଆବଶ୍ୟକ ଅଗ୍ରୀମ ଟଙ୍କା ପଠାଇବା ପରେ ସନ୍ଧ୍ୟାରେ ଆମ୍ବୁଲାନ୍ସ ମର ଶରୀର ଧରି ମକାଗୁଡା ଅଭିମୁଖେ ବାହାରିଲା। ପ୍ରାୟ ୩୦ ଘଣ୍ଟା ପରେ ମର ଶରୀର ଜନ୍ମ ଗାଁ ମକାଗୁଡ଼ାରେ ପହଞ୍ଚିବା ନେଇ ମୃତକଙ୍କ ଭାଇ ରବି କିମାକା ସୂଚନା ଦେଇଛନ୍ତି। ଏହି ଖବର ଶୁଣିବା ପରେ ତହସିଲ ଏ. ସ୍ନେହଲତା, ଥାନା ଅଧିକାରୀ ବିଶ୍ୱ ବନ୍ଦିନୀ ବାଗ, ଜିଲା ଶ୍ରମ ଅଧିକାରୀ ରବୀନ୍ଦ୍ରନାଥ ତ୍ରିପାଠୀ, ଗୁଡ଼ାରି ବ୍ଲକ ଦାୟିତ୍ୱରେ ଥିବା ସହକାରୀ ଶ୍ରମ ଅଧିକାରୀ ପ୍ରମୁଖ ଫୋନ ମାଧ୍ୟମରେ ଯୋଗାଯୋଗ କରି ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।