ଅପରାଧିକ ଇତିହାସ ନଥିବା ଏବଂ ନାବାଳକ ଛାତ୍ରଛାତ୍ରୀଙ୍କୁ ମୁକ୍ତ କର: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ପରୀକ୍ଷା ପ୍ରଶ୍ନପତ୍ର ଲିକ୍କୁ ବିରୋଧ କରି ସାରା ଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ଗିରଫ କିମ୍ବା ଅଟକ ରଖାଯାଇଥିବା ୧୮ ବର୍ଷରୁ କମ୍ ବୟସର ସମସ୍ତ ଛାତ୍ରଛାତ୍ରୀ ଏବଂ ଯେଉଁମାନଙ୍କର କୌଣସି ଅପରାଧିକ ପୂର୍ବ ଇତିହାସ ନାହିଁ, ସେମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ। ଏଥିସହ ଦିଲ୍ଲୀର ଜନ୍ତର ମନ୍ତର ଏବଂ ଅନ୍ୟାନ୍ୟ ରାଜ୍ୟରେ କକରୋଚ୍ ଜନତା ପାର୍ଟି ନେତୃତ୍ୱରେ ହୋଇଥିବା ପ୍ରତିବାଦରେ ସାମିଲ ଛାତ୍ରଛାତ୍ରୀଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆର୍ ସଂକ୍ରାନ୍ତରେ କୌଣସି ବଳପୂର୍ବକ ପଦକ୍ଷେପ ନ ନେବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନଙ୍କର ଅପରାଧିକ ପୃଷ୍ଠଭୂମି ରହିଛି ସେମାନଙ୍କୁ ଏହି ସୁରକ୍ଷା ମିଳିବ ନାହିଁ। ସୁପ୍ରିମ କୋର୍ଟ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଅତ୍ୟଧିକ ବଳ ପ୍ରୟୋଗ ଅଭିଯୋଗର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇପାରେ। ଏହି ତଦନ୍ତରେ ପୁଲିସ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣର ଅଭିଯୋଗକୁ ମଧ୍ୟ ସାମିଲ କରାଯିବ। କେନ୍ଦ୍ର ସରକାର ଏବଂ ମହାରାଷ୍ଟ୍ର, ବିହାର, ଆସାମ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ସରକାରଙ୍କୁ ମଧ୍ୟ ସୁପ୍ରିମ କୋର୍ଟ ନୋଟିସ୍ ଜାରି କରିଛନ୍ତି। କୋର୍ଟ କହିଛନ୍ତି, ଅତ୍ୟଧିକ ବଳ ପ୍ରୟୋଗ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ଉଲ୍ଲେଖଯୋଗ୍ୟ ସୁପ୍ରିମକୋର୍ଟ ବିଭିନ୍ନ ରାଜ୍ୟରେ ଛାତ୍ର ଆନ୍ଦୋଳନ ଦମନ ସମୟରେ ପୁଲିସର ବର୍ବରତା ଅଭିଯୋଗ ସମ୍ବନ୍ଧୀୟ ଏକାଧିକ ଆବେଦନର ଶୁଣାଣି କରୁଥିଲେ। ଏଥିରେ ଜୁଲାଇ ୨୦ରେ ସଂସଦ ଅଭିମୁଖେ ମାର୍ଚ୍ଚ ସମୟରେ ଛାତ୍ରଛାତ୍ରୀ ଓ ପୁଲିସ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣା ମଧ୍ୟ ଅନ୍ତର୍ଭୁକ୍ତ ଥିଲା।ଆରଜେଡି ସାଂସଦ ମନୋଜ ଝାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନରେ ଅଭିଯୋଗ କରାଯାଇଥିଲା ଯେ, ବିହାରରେ ଆନ୍ଦୋଳନ ସମୟରେ ଜଣେ ପୁଲିସ ଅଧିକାରୀ ଏକେ-୪୭ ରାଇଫଲ ବ୍ୟବହାର କରିଥିଲେ। ପ୍ରଧାନ ବିଚାରପତି କହିଥିଲେ, ସମ୍ପୂର୍ଣ୍ଣ ସ୍ୱାଧୀନ ତଦନ୍ତ ହେବା ଆବଶ୍ୟକ। ଯିଏ ଅତ୍ୟଧିକ ବଳ ପ୍ରୟୋଗ କରିଛନ୍ତି କିମ୍ବା ଆଇନକୁ ନିଜ ହାତକୁ ନେଇଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଦାୟିତ୍ୱ ନିର୍ଦ୍ଧାରଣ ନ ହେଲେ ତଦନ୍ତର କୌଣସି ଅର୍ଥ ନାହିଁ। ସୁପ୍ରିମକୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆନ୍ଦୋଳନର ସିସିଟିଭି ଫୁଟେଜ୍, ଡ୍ରୋନ୍ ଭିଡିଓ, ବଡି କ୍ୟାମେରା ରେକର୍ଡିଂ, ୱାୟାରଲେସ୍ ଯୋଗାଯୋଗ ଏବଂ ପିସିରେ୍ ଲଗ୍ଗୁଡ଼ିକୁ ସଂରକ୍ଷିତ ରଖାଯିବ। ଏଥିସହ ଆନ୍ଦୋଳନକାରୀଙ୍କ ବ୍ୟକ୍ତିଗତ ସୂଚନା ଏବଂ ଡିଜିଟାଲ୍ ତଥ୍ୟ ସାର୍ବଜନୀନ କରାଯିବ ନାହିଁ ବୋଲି ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କୋର୍ଟ କହିଛନ୍ତି, ଏପରି ଆନ୍ଦୋଳନକୁ ସମ୍ଭାଳିବା ପାଇଁ ପୁଲିସ ପାଇଁ ଏକ ନୂତନ ପ୍ରୋଟୋକଲ୍ ଆବଶ୍ୟକ। ଜୁଲାଇ ୨୦ର ପ୍ରତିବାଦ ସମୟରେ ପେଲେଟ୍ ଗନ୍ ବ୍ୟବହାର ହୋଇଥିବା ଅଭିଯୋଗକୁ ମଧ୍ୟ କୋର୍ଟ ଗୁରୁତ୍ୱର ସହ ନେଇଛନ୍ତି। ଏଥିରେ ଜଣେ ଯୁବକ ଦୃଷ୍ଟିଶକ୍ତି ହରାଇଥିବା ବେଳେ, ବିଦ୍ୟୁତ ବାଟନ୍ ଓ କଣ୍ଟା ଲାଗିଥିବା ଲାଠି ବ୍ୟବହାର ହୋଇଥିବା ଅଭିଯୋଗ ମଧ୍ୟ ଉଠିଛି । ପ୍ରଧାନ ବିଚାରପତି କହିଛନ୍ତି କେଉଁ ପ୍ରକାର ଲୁହବୁହା ଗ୍ୟାସ୍ କିମ୍ବା ଅନ୍ୟ ପଦକ୍ଷେପ ବ୍ୟବହାର କରାଯିବ ଏବଂ ସେଗୁଡ଼ିକୁ ଅନୁମତି ଦିଆଯିବ କି ନାହିଁ, ତାହା ନିର୍ଦ୍ଧାରଣ କରିବା ଦରକାର। କାରଣ ପ୍ରତିବାଦ କରିବା ଗଣତନ୍ତ୍ରର ଏକ ଅଂଶ। ଆଜିର ଶୁଣାଣି ସମୟରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ୍ ତୁଷାର ମେହେତା କହିଥିଲେ ଯେ, ଜୁଲାଇ ୨୦ର ହିଂସାରେ ପ୍ରାୟ ୨୫୦ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ସେ ଏକ ନିରପେକ୍ଷ ତଦନ୍ତ ଏଜେନ୍ସି ଦ୍ୱାରା ଘଟଣାର ତଦନ୍ତ କରିବାକୁ ଦାବି କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ଛାତ୍ର ଆନ୍ଦୋଳନରେ ଅପରାଧୀମାନେ ପ୍ରବେଶ କରିଥାଇପାରନ୍ତି। ମେହେତା କହିଥିଲେ, ଯଦି ଛାତ୍ରମାନଙ୍କ ଉପରେ ଆକ୍ରମଣ ହୋଇଛି, ତାହା ଅତ୍ୟନ୍ତ ଗୁରୁତର ବିଷୟ। କିନ୍ତୁ ରାଜ୍ୟ ଭାବରେ ଆମେ ଏପରି କିଛି କରିପାରିବୁ ନାହିଁ ଯାହା ଦ୍ୱାରା ପୁଲିସ ବାହିନୀର ମନୋବଳ ହ୍ରାସ ହେବ। ଏହାର ଉତ୍ତରରେ ପ୍ରଧାନ ବିଚାରପତି କହିଥିଲେ ଯେ, ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଲୋକମାନେ ପ୍ରକୃତରେ ଛାତ୍ର ଥିଲେ କି ନାହିଁ, ତାହାର ମଧ୍ୟ ତଦନ୍ତ ହେବା ଦରକାର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।