World Cup stage: ବାଉଁଶବାଡ଼ିରୁ ବିଶ୍ବକପ୍ ମଞ୍ଚରେ ସୁନେଲିତା
"ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ନେଦର୍ଲାଣ୍ଡସ୍ର ଆମ୍ଷ୍ଟେଲ୍ଭିନ୍ସ୍ଥ ୱଗେନର ଷ୍ଟାଡିୟମରେ ଖେଳା ଯାଉଥିବା ହକି ବିଶ୍ବକପ୍ରେ ଭାରତୀୟ ଦଳରେ ଏକ ମାତ୍ର ଓଡ଼ିଆ ଝିଅ ଭାବେ ଚମକୁଛନ୍ତି ସୁନ୍ଦରଗଡ଼ର ସୁନେଲିତା ଟପ୍ପୋ।
ଗତ ୧୮ ତାରିଖରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ପ୍ରଥମ କ୍ବାର୍ଟରର ୧୧ ମିନିଟରେ ଗୋଲ୍ ଦେଇ ଭାରତକୁ ଆଗକୁ ନେଇ ବଡ଼ ବିଜୟ ଦେଇଥିବା ୧୯ ବର୍ଷିୟା ସୁନେଲିତାଙ୍କ ଦ୍ରୁତ ଗତି ଓ ନିର୍ଭୀକ ଆକ୍ରମଣାତ୍ମକ ଶୈଳୀକୁ ଦେଖିଲେ, ସେ ଯେ ଦିନେ ଗାଁର ଧୂଳିଧୂସର ପଡ଼ିଆରେ ବାଉଁଶବାଡ଼ିରେ ଖାଲିପାଦରେ ହକିର ଅ"ଆ ଶିଖିଥିଲେ ବିଶ୍ବାସ ହୁଏ ନାହିଁ।
ଯିଏ ମାତ୍ର ୧୭ ବର୍ଷ ବୟସରେ ଜାତୀୟ ଦଳରେ ସାମିଲ ହୋଇ ଦେଶ ପାଇଁ ଖେଳୁଛନ୍ତି।
ହକିଗଡ଼ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁକୁଡ଼ା ଗ୍ରାମରେ ସୁରେଶ ଟପ୍ପୋ ଓ ନେଲିସୁନିତା ଟପ୍ପୋଙ୍କ କୋଳକୁ ୨୦୦୭ ଅପ୍ରେଲ ୧୧ରେ ଆସିଥିବା ସୁନେଲିତାଙ୍କ ପିଲାଦିନ ହକି ପରିବେଶରେ କଟିଥିଲା।
ଦିନେ ଗାଁ କିସାନମେଳାରେ ଆୟୋଜିତ ହକି ପ୍ରତିଯୋଗିତା ଦେଖାଇବାକୁ ମା" ନେଲିସୁନିତା ତାଙ୍କୁ ସାଥିରେ ନେଇଥିଲେ।
ଝିଅମାନେ ହକି ଖେଳୁଥିବା ଦେଖିବା ପରେ ସିଏ ବି ଖେଳିବାର ଇଚ୍ଛା ପ୍ରକାଶ କଲେ।
କିନ୍ତୁ ଚାଷ କାର୍ଯ୍ୟ ପରିବାର ଚଳାଉଥିବା ବାପା ସୁରେଶ ହକିଷ୍ଟିକ୍ କିଣିଦେବାକୁ ସକ୍ଷମ ନଥିବାରୁ ଝିଅ ହାତରେ ଧରାଇ ଦେଇଥିଲେ ବାଉଁଶବାଡ଼ି।
ଜୋତା ନଥିବାରୁ ଖାଲିପାଦରେ ସୁନେଲିତା ଗାଁ ପଡ଼ିଆରେ ହକି ଶିଖିଲେ।
କିନ୍ତୁ ଗାଁ ପଡ଼ିଆରୁ ବିଶ୍ବକପ୍ ଯାତ୍ରା ଏତେ ସହଜ ନଥିଲା।
Advertisment Protest: ଯନ୍ତର-ମନ୍ତରରେ "ଆରକ୍ଷଣ ହଟାଅ" ଆନ୍ଦୋଳନ, ୟୁଜିସି ନିୟମକୁ ନେଇ ବିକ୍ଷୋଭ ଗାଁର ହକିଗୁରୁ ଡୋମିନିକ୍ ଟପ୍ପୋ ସୁନେଲିତାଙ୍କୁ ହକିର ମୌଳିକ ବିଷୟଗୁଡ଼ିକ ଶିଖାଇଥିଲେ।
ସେଇଠୁ ସେ ରାଉରକେଲାସ୍ଥ ପାନପୋଷ ହକି ଛାତ୍ରାବାସରେ ଭର୍ତ୍ତି ହେବାକୁ ଚେଷ୍ଟା କରିଥିଲେ।
କିନ୍ତୁ କମ୍ ଉଚ୍ଚତା ଯୋଗୁଁ ଏହି ସୁଯୋଗରୁ ବଞ୍ଚିତ ହୋଇଥିଲେ।
ସେ ହତାଶ ହୋଇଥିଲେ, କିନ୍ତୁ ହକି ପ୍ରତି ତାଙ୍କ ଆଗ୍ରହ କମି ନଥିଲା।
ଯେଉଁଥିପାଇଁ ସୁନ୍ଦରଗଡ଼ ସେଣ୍ଟମେରି ବାଳିକା ଉଚ୍ଚବିଦ୍ୟାଳୟରେ ନବମ ପଢୁଥିବାବେଳେ ତାଙ୍କୁ ୨୦୧୮ରେ ସୁନ୍ଦରଗଡ଼ର ଭାରତୀୟ କ୍ରୀଡ଼ା ପ୍ରାଧିକରଣ ତାଲିମ କେନ୍ଦ୍ର ନେଇଥିଲା।
ପ୍ରଶିକ୍ଷକ ପିକେ ଷଡ଼ଙ୍ଗୀ ତାଙ୍କ ହକି ଯାତ୍ରା ଆଗକୁ ବଢ଼ାଇଥିଲେ।
ଭୁବନେଶ୍ବରରର ଓଡ଼ିଶା ଟାଟା ନାଭାଲ୍ ହକି ଏଚ୍ପିସିରେ ନିଜ ଖେଳ ଜୀବନକୁ ସେ ଶାଣିତ କରିଥିଲେ।
ସେ ୨୦୨୨ରେ ଗୁଜରାଟରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରି ବେଙ୍ଗାଲୁରୁର ଉତ୍କର୍ଷ କେନ୍ଦ୍ରରେ ସ୍ଥାନ ପାଇଥିଲେ।
ଏହା ପରେ ହକି ଇଣ୍ଡିଆ ୨୦୨୩ ଅପ୍ରେଲରେ ମାତ୍ର ୧୬ ବର୍ଷ ବୟସରେ ସୁନେଲିତାଙ୍କୁ ବରିଷ୍ଠ ମହିଳା ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ମନୋନୀତ କରିଥିଲା।
ଏହା ହିଁ ତାଙ୍କ ଯାତ୍ରାକୁ ସୁଗମ କରିଥିଲା।
ଜୁନିୟର ହକିରେ ସେ ଦକ୍ଷିଣ ଆଫ୍ରିକାରେ ଭାରତର ପ୍ରତିନିଧିତ୍ୱ କରିଥିଲେ।
୨୦୨୩ରେ ଜାପାନରେ ଅନୁଷ୍ଠିତ ଜୁନିୟର ଏସିଆ କପ୍ ବିଜୟୀ ଦଳର ସଦସ୍ୟା ଥିଲେ।
ସେ ଜୁନିୟର ବିଶ୍ୱକପରେ ମଧ୍ୟ ଅଂଶଗ୍ରହଣ କରିଥିଲେ।
ବର୍ଷେ ପରେ ୨୦୨୪ରେ ସେ ଭାରତୀୟ ଦଳରେ ସାମିଲ ହେବାର ସୌଭାଗ୍ୟ ପାଇଥିଲେ।
ହକି ମୈଦାନରେ କ୍ଷିପ୍ର ଗତି ହିଁ ସୁନେଲିତାଙ୍କ ସବୁଠାରୁ ବଡ଼ ଚମକ।
ମଧ୍ୟପ୍ରଦେଶ ହକି ଏକାଡେମିର ପୂର୍ବତନ ପ୍ରଶିକ୍ଷକ ପରମଜିତ ସିଂହ କୁହନ୍ତି, ସୁନେଲିତାଙ୍କ ଗତି ଓ ପ୍ରତିପକ୍ଷଙ୍କୁ ପରାସ୍ତ କରି ସମ୍ମୁଖ ଭାଗରେ ଥିବା ଦଳରେ ବିପର୍ଯ୍ୟୟ ସୃଷ୍ଟି କରିବାର କ୍ଷମତା ରହିଛି।
ଭାରତର ଜଣେ ପ୍ରତିଷ୍ଠିତ ଆକ୍ରମଣାତ୍ମକ ତାରକା ଲାଲରେମସିଆମିଙ୍କୁ ପ୍ରେରଣା ଭାବେ ଗ୍ରହଣ କରିଥିବା ସୁନେଲିତା ହକି ପଡ଼ିଆରେ ପ୍ରଥମେ ମଧ୍ୟଭାଗ (ମିଡ୍ଫିଲ୍ଡର୍)ରେ ଖେଳୁଥିଲେ।
ପରେ ସମୟୋଚିତ ଗତି, ସ୍ଥାନ ନିରୂପଣ, ରକ୍ଷଣଭାଗ ଖେଳାଳିଙ୍କୁ ମନୋଭାବକୁ ବୁଝିବା ଓ ତ୍ବରିତ ନିଷ୍ପତ୍ତି ନେବାର ଦକ୍ଷତା ଦେଖି ତାଙ୍କୁ ସମ୍ମୁଖ ଭାଗ (ଫରୱାର୍ଡ ଲାଇନ)କୁ ପଠାଯାଇଛି।
Horoscope 2026 August 22: ଜାଣନ୍ତୁ ଆଜିର ରାଶିଫଳ...
ବିଶ୍ବକପ୍ରେ ଖେଳୁଥିବା ଝିଅ ପାଇଁ ଘରେ ଏବେ ଖୁସିର ପରିବେଶ।
ବାପା ସୁରେଶ କୁହନ୍ତି, ବାପାଙ୍କୁ ନେଇ ପୁଅଝିଅଙ୍କ ପରିଚୟ।
କିନ୍ତୁ ସୁନେଲିତାଙ୍କ ପାଇଁ ମୁଁ ପରିଚୟ ପାଇଛି, ଜଣେ ବାପା ପାଇଁ ଏହାଠାରୁ ବଳି ଗୌରବ ବିଷୟ ଆଉ କ"ଣ ହୋଇପାରେ।
ସୁନ୍ଦରଗଡ଼ରେ ଜୀବନଶୈଳୀ ସହ ଜଡ଼ିତ ହୋଇଯାଇଛି ହକି।
ସେଥିପାଇଁ ଅପହଞ୍ଚ ଗାଁର ଗୋଡ଼ିମାଟିର ପଡ଼ିଆରୁ ଦେଶ ପାଇଁ ଶ୍ରେଷ୍ଠ ହକି ଖେଳାଳି ତିଆରି ହୋଇ ଚାଲିଛନ୍ତି।
ସୁନେଲିତା ସେ ଭିତରେ ଜଣେ।
ଯିଏ ଗାଁ ପଡ଼ିଆରେ ଏକ ବାଉଁଶବାଡ଼ି ଧରି ଆକାଶକୁ ଛୁଇଁବାର ସ୍ବପ୍ନ ଦେଖି ବିଶ୍ବକପ୍ ପଡ଼ିଆରେ ପହଞ୍ଚି ଯାଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

