Woman Kills Husband: ସାଲାଇନରେ ଟଏଲେଟ୍ କ୍ଲିନର ପୂରାଇ ସ୍ବାମୀକୁ ମାରିଲା, ପୂର୍ବରୁ ବିଲ୍ଡିଂରୁ ଠେଲି ଦେଇଥିଲା
ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ନିଜ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ପରକିୟାପ୍ରୀତି ସାଜିଲା କାଳ। ଜଣେ ମହିଳା ନିଜ ସ୍ୱାମୀଙ୍କୁ ଟଏଲେଟ୍ କ୍ଲିନର୍ର ସାଲାଇନ ଦେଇ ହତ୍ୟା କରିଛନ୍ତି। ପ୍ରଥମେ ନିଜ ସ୍ୱାମୀଙ୍କୁ ଏକ ବିଲ୍ଡିଂରୁ ଠେଲି ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ବିଲ୍ଡିଂରୁ ତଳକୁ ଖସି ପଡ଼ିବା ସତ୍ତ୍ୱେ ସ୍ୱାମୀ ବଞ୍ଚି ଯାଇଥିଲେ। ପରେ ପ୍ରେମିକଙ୍କ ପରାମର୍ଶରେ ମହିଳା ଜଣକ କ୍ୟାନୁଲା ମାଧ୍ୟମରେ ସ୍ୱାମୀଙ୍କ ଶରୀରରେ ଇଞ୍ଜେକ୍ସନ୍ ଦ୍ବାରା ସାଲାଇନରେ ଟଏଲେଟ୍ କ୍ଲିନର୍ ପୂରାଇ ଦେଇଥିଲେ, ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏପରି ଏକ ଚକିତ କରିଦେବା ପରି ଘଟଣା ତେଲେଙ୍ଗାନାର ନିଜାମାବାଦରେ ଘଟଛି। ବର୍ତ୍ତମାନ ପୁଲିସ ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।
ମୃତକଙ୍କ ମା' ଜୁଲାଇ ୧ ତାରିଖରେ ଅଭିଯୋଗ କରି କହିଥିଲେ ଯେ, ଜୁନ୍ ୩୦ ତାରିଖରେ ସେ ତାଙ୍କ ୩୫ ବର୍ଷୀୟ ପୁଅ ପ୍ରଶାନ୍ତଙ୍କ ମୃତ୍ୟୁ ସମ୍ପର୍କରେ ଜାଣିଥିଲେ। ପୁଅ କେବେ ଘରକୁ ଫେରିଥିଲେ ଏବଂ ମୃତ୍ୟୁ ପୂର୍ବରୁ କ'ଣ ଘଟିଥିଲା, ସେ ବିଷୟରେ ସେ କୌଣସି ସୂଚନା ପାଇନଥିଲେ। ମୃତକଙ୍କ ମା' କହିଥିଲେ ଯେ, ତାଙ୍କ ପୁଅଙ୍କ ମୃତ୍ୟୁ ରହସ୍ୟଜନକ ପରିସ୍ଥିତିରେ ଘଟିଛି ଏବଂ ସେ ତାଙ୍କ ବୋହୂ ସନ୍ଧ୍ୟାଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲେ।
ବିଲ୍ଡିଂରୁ ଠେଲି ହତ୍ୟା କରିବାକୁ ପ୍ରଥମ ଉଦ୍ୟମ
ପୁଲିସ ତଦନ୍ତରେ ମିଳିଥିବା ପ୍ରମାଣ ଓ ଅନ୍ୟାନ୍ୟ ତଥ୍ୟ ଅନୁଯାୟୀ, ୩୨ ବର୍ଷୀୟା ସନ୍ଧ୍ୟାଙ୍କର ୩୫ ବର୍ଷୀୟ ଅନିଲଙ୍କ ସହ ଅବୈଧ ସମ୍ପର୍କ ଥିଲା। ସନ୍ଧ୍ୟା ଓ ଅନିଲ ପ୍ରଶାନ୍ତଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ, କାରଣ ସେମାନଙ୍କ ମତରେ ପ୍ରଶାନ୍ତ ସେମାନଙ୍କ ସମ୍ପର୍କରେ ବାଧକ ସାଜୁଥିଲେ। ଏହି ଯୋଜନାକୁ ସଫଳ କରିବା ପାଇଁ ସେମାନେ ୱେଙ୍କଟ ସାଇଙ୍କ ସହାୟତା ନେଇଥିଲେ। ଯୋଜନା ଅନୁଯାୟୀ, ଜୁନ୍ ୨୯ ତାରିଖରେ ୱେଙ୍କଟ ସାଇ ପ୍ରଶାନ୍ତଙ୍କ ଘରକୁ ଯାଇ ତାଙ୍କୁ ଅତ୍ୟଧିକ ମଦ ପିଆଇଥିଲେ। ଏହା ପରେ ସେ ପ୍ରଶାନ୍ତଙ୍କୁ ବିଲ୍ଡିଂରୁ ତଳକୁ ଠେଲି ଦେଇଥିଲେ।
ତେବେ ବିଲ୍ଡିଂରୁ ଖସିପଡ଼ି ପ୍ରଶାନ୍ତ ଗୁରୁତର ଆହତ ହୋଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇନଥିଲା। ପରେ ସନ୍ଧ୍ୟା ଓ ୱେଙ୍କଟ ସାଇ ତାଙ୍କୁ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲକୁ ନେଇଥିଲେ। ସେଠାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ପରେ ଘରକୁ ଫେରାଇ ଅଣାଯାଇଥିଲା।
ଅନିଲଙ୍କ ପାଇଁ ସନ୍ଧ୍ୟା କ୍ୟାନୁଲା ମାଧ୍ୟମରେ ପ୍ରଶାନ୍ତଙ୍କ ଶରୀରରେ ଟଏଲେଟ୍ କ୍ଲିନର୍ ଓ ଆନାସ୍ଥେସିଆ ଔଷଧର ଇଞ୍ଜେକ୍ସନ୍ ଦେଇଥିଲେ। ଏହାପରେ ସେ ପ୍ରଶାନ୍ତଙ୍କୁ ଖଟରୁ ମଧ୍ୟ ତଳକୁ ଠେଲି ଦେଇଥିଲେ, ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ତଦନ୍ତ ସମୟରେ ଅଭିଯୁକ୍ତମାନେ ସ୍ୱଇଚ୍ଛାରେ ନିଜ ଅପରାଧ ସ୍ୱୀକାର କରିଥିଲେ। ପୁଲିସ ସେମାନଙ୍କୁ ଗିରଫ କରି ଅଦାଲତରେ ହାଜର କରାଇଥିଲା। ପରେ ଅଦାଲତ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।