Ranveer Wins Hearts: ରଣବୀରଙ୍କ ପ୍ରେମରେ ପଡ଼ିଲେ ଏହି ନିର୍ଦ୍ଦେଶକ, ଜାଣନ୍ତୁ ରହସ୍ୟ କ’ଣ
ବଲିଉଡ୍ର ଏନର୍ଜେଟିକ୍ ଷ୍ଟାର୍ ରଣବୀର ସିଂହ ସୋମବାର (ଜୁଲାଇ ୬) ତାଙ୍କର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ବିଶେଷ ଦିନରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଜଗତର ଅନେକ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଭାବପ୍ରବଣ ପୋଷ୍ଟ। ସେ ‘ଧୁରନ୍ଧର’ ଫିଲ୍ମର ସୁଟିଂର ଅନୁଭୂତି ବାଣ୍ଟିବା ସହ ରଣବୀରଙ୍କ ଅଭିନୟର ଖୋଲାଖୋଲି ପ୍ରଶଂସା କରିଛନ୍ତି। ସେହିପରି ଅଭିନେତା ଅର୍ଜୁନ ରାମପାଲ ମଧ୍ୟ ଫିଲ୍ମ ସେଟ୍ର କିଛି ଅଦେଖା ମୁହୂର୍ତ୍ତ ସେୟାର କରି ରଣବୀରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
‘ଧୁରନ୍ଧର’ ମୋତେ ରଣବୀରଙ୍କ ପ୍ରେମରେ ପକାଇଦେଲା: ଆଦିତ୍ୟ ଧର
ଆଦିତ୍ୟ ଧର ‘ଧୁରନ୍ଧର’ ସେଟ୍ର କିଛି ସ୍ମରଣୀୟ ଫଟୋ ସେୟାର କରି ଲେଖିଛନ୍ତି ଯେ, ଏହି ଫିଲ୍ମ ସବୁବେଳେ ତାଙ୍କ ହୃଦୟରେ ରହିବ। କେବଳ କାହାଣୀ ପାଇଁ ନୁହେଁ, ବରଂ ରଣବୀର ସିଂହଙ୍କ ଅଭିନୟ ତାଙ୍କୁ ଜଣେ କଳାକାର ଭାବେ ମୋହିତ କରିଦେଇଛି। ସେ କହିଛନ୍ତି, “ମୁଁ ସବୁବେଳେ ଜାଣିଥିଲି ଯେ ରଣବୀର ଜଣେ ଅସାଧାରଣ ଅଭିନେତା। କିନ୍ତୁ ‘ଧୁରନ୍ଧର’ର ଏହି ଯାତ୍ରା ମୋତେ ତାଙ୍କ କଳା ଓ ତାଙ୍କ ଭିତରର ମଣିଷଙ୍କ ପ୍ରେମରେ ପକାଇ ଦେଇଛି।”
‘ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ଅଭିନୟ ମଧ୍ୟରୁ ଗୋଟିଏ’
ଆଦିତ୍ୟ ଧର କହିଛନ୍ତି ଯେ, ଫିଲ୍ମର ୨୬/୧୧ ସିକ୍ୱେନ୍ସ, ଶେଷ ଚା' ଦୋକାନ ଦୃଶ୍ୟ, ପଠାନକୋଟ ହତ୍ୟାକାଣ୍ଡ, ପମ୍ପ ହାଉସ୍ ସିନ୍ ଓ କୋର୍ଟ ବାହାର ଦୃଶ୍ୟ ପରି ଅନେକ ମୁହୂର୍ତ୍ତରେ ରଣବୀରଙ୍କ ଅଭିନୟ ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ତାଙ୍କ ମତରେ, ପ୍ରତ୍ୟେକ ଦୃଶ୍ୟରେ ରଣବୀରଙ୍କ ଭାବଭଙ୍ଗୀ, ନୀରବତା ଓ ଅଭିବ୍ୟକ୍ତିରେ ଏକ ଅଲଗା ଗଭୀରତା ଥିଲା। ସେ ଏପରିକି କହିଛନ୍ତି ଯେ, ‘ଧୁରନ୍ଧର’ରେ ରଣବୀରଙ୍କ ଅଭିନୟ ଭାରତୀୟ ସିନେମା ଇତିହାସର ସର୍ବଶ୍ରେଷ୍ଠ ଅଭିନୟ ମଧ୍ୟରୁ ଗୋଟିଏ ଭାବେ ସ୍ମରଣୀୟ ହେବ।
‘ଅଭିନେତାରୁ ଭାଇ ହୋଇଗଲେ ରଣବୀର’
ଆଦିତ୍ୟ ଧର ତାଙ୍କ ଭାବପ୍ରବଣ ବାର୍ତ୍ତାରେ ଆହୁରି ଲେଖିଛନ୍ତି ଯେ, ସୁଟିଂ ସମୟରେ ରଣବୀର କେବଳ ତାଙ୍କ ଅଭିନେତା ହୋଇ ରହିନଥିଲେ, ବରଂ ତାଙ୍କ ଭାଇ ପରି ହୋଇଯାଇଥିଲେ। ସେ ରଣବୀରଙ୍କ ଭଲପାଇବା, ପରିଶ୍ରମ ଓ କଳା ପ୍ରତି ସମର୍ପଣ ପାଇଁ ଧନ୍ୟବାଦ ଜଣାଇବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ଅର୍ଜୁନ ରାମପାଲ ଶେୟାର କଲେ BTS ଫଟୋ
ଅନ୍ୟପଟେ ଅଭିନେତା ଅର୍ଜୁନ ରାମପାଲ ମଧ୍ୟ ‘ଧୁରନ୍ଧର’ ସେଟ୍ର କିଛି ବିହାଇଣ୍ଡ ଦ ସିନ୍ (BTS) ଫଟୋ ସେୟାର କରିଛନ୍ତି। ଏଥିରେ ଉଭୟ କଳାକାର ଆକ୍ସନ୍ ସିନ୍ର ସୁଟିଂ ପରେ ନକଲି ରକ୍ତରେ ଭିଜିଥିଲେ ମଧ୍ୟ ହସଖୁସିରେ ସମୟ ବିତାଉଥିବା ଦେଖାଯାଇଛି। ଫଟୋ ସହ ଅର୍ଜୁନ ଲେଖିଛନ୍ତି, “ଜନ୍ମଦିନର ଶୁଭେଚ୍ଛା ଶେର-ଏ। ଆହୁରି ସଫଳତା, ସ୍ମୃତି, ହସ, ପ୍ରେମ ଓ ଉତ୍ସବ ପାଇଁ ଶୁଭକାମନା। ତୁମକୁ ଅନେକ ଭଲପାଇବା ଓ ଏକ ବଡ଼ ଆଲିଙ୍ଗନ।”
ରଣବୀରଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ କ'ଣ?
‘ଧୁରନ୍ଧର’ ପରେ ରଣବୀର ସିଂହ ଏବେ ତାଙ୍କ ପରବର୍ତ୍ତୀ ବଡ଼ ପ୍ରୋଜେକ୍ଟ ‘ପ୍ରଳୟ’ ପାଇଁ ପ୍ରସ୍ତୁତ ହେଉଛନ୍ତି। ଖବର ଅନୁଯାୟୀ, ଏହି ବର୍ଷ ଶେଷ ସୁଦ୍ଧା ଏହି ଜୋମ୍ବି ଥ୍ରୀଲରର ସୁଟିଂ ଆରମ୍ଭ ହେବ। ବିଶେଷ କଥା ହେଉଛି, ଏହା ରଣବୀରଙ୍କ ନୂଆ ପ୍ରଡକ୍ସନ୍ ହାଉସ୍ ‘ମା' କସମ୍ ଫିଲ୍ମସ୍’ର ପ୍ରଥମ ପ୍ରଯୋଜନା ହେବ ବୋଲି କୁହାଯାଉଛି। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏବେଠାରୁ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।