Woman Delivers Quadruplets Inside Auto: ମିଳିଲାନି ଆମ୍ବୁଲାନ୍ସ, ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଚାରି ଶିଶୁଙ୍କ ଜୀବନ

Jul 08, 2026 - 17:01
Woman Delivers Quadruplets Inside Auto: ମିଳିଲାନି ଆମ୍ବୁଲାନ୍ସ, ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଚାରି ଶିଶୁଙ୍କ ଜୀବନ

ସ୍ୱାସ୍ଥ୍ୟ ସେବାର ଅତି ବିକଳ ତଥା ଦୁଃଖଦ ଚିତ୍ର ଏବେ ସାମ୍ନାକୁ ଆସିଛି। ଠିକ୍ ସମୟରେ ଆମ୍ବୁଲାନ୍ସ ନମିଳିବା କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମଧ୍ୟପ୍ରଦେଶର ମଣ୍ଡଲା ଜିଲ୍ଲାରେ ଜଣେ ମହିଳା ଡାକ୍ତରଖାନା ଯିବା ବାଟରେ ଅଟୋରିକ୍ସା ଭିତରେ ଏକାସଙ୍ଗେ ଚାରି ଚାରିଟି ସନ୍ତାନ ଜନ୍ମ ଦେଇଛନ୍ତି। ତେବେ ଦୁଃଖର ବିଷୟ, ଜନ୍ମର କିଛି ସମୟ ପରେ ହିଁ ଚାରି ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ଠିକ୍ ସମୟରେ ଆମ୍ବୁଲାନ୍ସ ନମିଳିବା କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

ମଣ୍ଡଲା ଜିଲ୍ଲା ନାଇଗାଁର ବାସିନ୍ଦା ରଜନୀ ସିଙ୍ଗାରାମଙ୍କୁ ଗର୍ଭାବସ୍ଥାର ସପ୍ତମ ମାସରେ ଅଚାନକ ପ୍ରସବ ବେଦନା ହୋଇଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ଏକ ବେସରକାରୀ ଗାଡ଼ି ସାହାଯ୍ୟରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ରଜନୀଙ୍କ ସ୍ଥିତି ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବିଚ୍ଛିୟା କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ରେଫର କରିଦେଇଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ସେମାନେ ତୁରନ୍ତ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାକୁ ଫୋନ୍ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନଥିଲା। ବାଧ୍ୟ ହୋଇ ମହିଳାଙ୍କୁ ଏକ ଅଟୋରିକ୍ସାରେ ମେଡିକାଲ ନିଆଯାଉଥିଲା।

ହସ୍ପିଟାଲ୍‌ରେ ପହଞ୍ଚିବା ପୂର୍ବରୁ ଅଟୋ ଭିତରେ ହିଁ ରଜନୀ ଚାରୋଟି ସନ୍ତାନ ଜନ୍ମ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଡି.ଜେ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଜନ୍ମ ହୋଇଥିବା ଶିଶୁଙ୍କ ମଧ୍ୟରେ ତିନୋଟି ଝିଅ ଓ ଗୋଟିଏ ପୁଅ ଥିଲେ। ସମୟ ପୂର୍ବରୁ ଅର୍ଥାତ୍ ମାତ୍ର ୭ ମାସରେ ଜନ୍ମ ହୋଇଥିବାରୁ ଏବଂ ପ୍ରତ୍ୟେକ ଶିଶୁଙ୍କ ଓଜନ ମାତ୍ର ୧.୫ କିଲୋଗ୍ରାମ ରହିଥିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ରଜନୀ ସିଙ୍ଗାରାମଙ୍କୁ ବର୍ତ୍ତମାନ ବିଚ୍ଛିୟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ଏବଂ ସେ ଏବେ ବିପଦମୁକ୍ତ ଅଛନ୍ତି। 

ମହିଳାଙ୍କ ସ୍ୱାମୀ ଗଣେଶ ସିଙ୍ଗାରାମ ବଡ଼ ଅଭିଯୋଗ କରି କହିଛନ୍ତି ଯେ, ଯଦି ସମୟ ଅନୁସାରେ ସରକାରୀ ଆମ୍ବୁଲାନ୍ସ ମିଳିଥାନ୍ତା, ତେବେ ହୁଏତ ତାଙ୍କର ଚାରି ସନ୍ତାନ ବଞ୍ଚିପାରିଥାନ୍ତେ। ଅପରପକ୍ଷରେ, ଏହି ସମ୍ବେଦନଶୀଳ ମାମଲାରେ ମଣ୍ଡଲା ଜିଲ୍ଲା ମାଜିଷ୍ଟ୍ରେଟ୍ ରାହୁଲ ନାମଦେବ ଧୋତେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖରେ କୌଣସି ଆନୁଷ୍ଠାନିକ ଅଭିଯୋଗ ହୋଇନାହିଁ। ଯଦି ପରିବାର ପକ୍ଷରୁ ଅଭିଯୋଗ ଆସେ, ତେବେ ଘଟଣାର ପୂରା ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।