Welcome!

Unlock your personalized experience.
Sign Up

Weather: ଦୀଘା ନିକଟରେ ଛୁଇଁବ ଗଭୀର ଅବପାତ: ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ୍‌ ୱାର୍ଣ୍ଣିଂ

Jul 28, 2026 - 05:17
Weather: ଦୀଘା ନିକଟରେ ଛୁଇଁବ ଗଭୀର ଅବପାତ: ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘଣ୍ଟାପ୍ରତି ୭ କିମି ବେଗରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଗଭୀର ଅବପାତ ପଶ୍ଚିମବଙ୍ଗର ଦୀଘାର ପୂର୍ବରେ ୨୦ କିମି, ସାଗର ଦ୍ବୀପର ୪୦ କିମି, ହଳଦିଆର ୬୦ କିମି, କ୍ୟାନିଂର ଦକ୍ଷିଣପଶ୍ଚିମରେ ୧୨୦ ଓ ବାଲେଶ୍ବରର ପୂର୍ବରେ ୮୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ରାତିରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ମଙ୍ଗଳବାର ଭୋର ସମୟରେ ଦୀଘା ନିକଟରେ ସ୍ଥଳଭାଗକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ପ୍ରଭାବରେ ୨୮ ତାରିଖ ପୂର୍ବାହ୍ଣ ସୁଦ୍ଧା ସୁନ୍ଦରଗଡ଼, କେନ୍ଦୁଝରମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି।

Weather Alert: ଆକାଶରେ ଦେଖାଗଲା ୧୦,୦୦୦ କିଲୋମିଟର ଲମ୍ବା ବିଶାଳ ମେଘ: ଭାରତରୁ ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ହେବ ଭଲ ବର୍ଷା

ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ୍‌ ୱାର୍ଣ୍ଣିଂ
ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
୮ ଘଣ୍ଟାରେ ପୁରୀରେ ୧୧୯ ମିମି ବର୍ଷିଲା

ଏହି ସମୟରେ ଉପକୂଳ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବ। ଅଗଷ୍ଟ ୩ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟାରେ କଟକ, ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା, ବୌଦ୍ଧ, ‌ଖୋରଧା, ପୁରୀ, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ପୂର୍ବାହ୍ଣରୁ ଅପରାହ୍ଣ ମଧ୍ୟରେ ପୁରୀରେ ୧୧୯ ମିମି ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ଏଥିସହ ଆଜି ସୁଦ୍ଧା ମୌସୁମୀ ବର୍ଷା ପରିମାଣ ସ୍ବାଭାବିକଠାରୁ ଅଧିକ ହୋଇଛି। ଜୁନ୍‌ ୧ରୁ ଜୁଲାଇ ୨୭ ମଧ୍ୟରେ ସାରା ରାଜ୍ୟରେ ୬୦୦.୪ ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକ ବର୍ଷାଠାରୁ ୨୦% ଅଧିକ ବୋଲି ଶ୍ରୀମତୀ ମହାନ୍ତି ସୂଚନା ଦେଇଛନ୍ତି।

Weather: ସମଗ୍ର ଦେଶକୁ ଛୁଇଁଲା ମୌସୁମୀ, ମୋଟ ୧୯୫.୫ ମିମି ବର୍ଷା ରେକର୍ଡ

ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଓ ସଂଲଗ୍ନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଓ ସଂଲଗ୍ନ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ପ୍ରବଳ ପବନ ଯୋଗୁଁ ଉଦ୍ୟାନ କୃଷି ଓ ଛିଡ଼ା ହୋଇଥିବା ଫସଲ କ୍ଷତି ହୋଇପାରେ। ଅସୁରକ୍ଷିତ କୋଠା, ହାଲୁକା ନିର୍ମାଣ, ମାଟି ଓ ଝୁମ୍ପୁଡ଼ି ଘର କ୍ଷତି ହୋଇପାରେ। ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ, ମାଟି ରାସ୍ତା ଧୋଇଯିବା, ବଡ଼ ଗଛ ଡାଳ ଭାଙ୍ଗିପାରେ। ଭୂସ୍ଖଳନ କିମ୍ବା ମାଟି ଧସିବାର ଆଶଙ୍କା ମଧ୍ୟ ରହିଛି। ଛୋଟ ଜାହାଜ, ଟ୍ରଲର ଓ ଡଙ୍ଗା ଚଳାଚଳ ଏବଂ ରାସ୍ତା ଓ ରେଳ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏସ୍‌ଆର୍‌ସିଙ୍କ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।