Villages and Roads Still Underwater: ଏବେ ବି ପାଣି ଘେରରେ ବିତୁଛି ଜୀବନ, ବୁଡ଼ିଛି ଗାଁ ଗଣ୍ଡା ଓ ରାସ୍ତାଘାଟ
ଚାରିଦିନ ଧରି ଚହଳ ପକାଇବା ପରେ ବର୍ଷା ଥମିଛି... ହେଲେ ବଢିଯାଇଛି ଦୁର୍ଦ୍ଦଶା। ପାଣି ଘେରରେ ରହିଛି ଘରଦ୍ବାର.. ଭୁଶୁଡି ପଡିଛି ଝାଟିମାଟିର ଘର.. ଉବୁଟୁବୁ ଗାଁ ଗଣ୍ଡା। ଫୁଲବାଣୀରେ ଲଗାଣ ବର୍ଷା ସିନା ଛାଡ଼ିଗଲା, ହେଲେ ନଦୀ ନାଳରେ ବଢ଼ିପାଣି ଗାଁରେ ପଶିଛି। ଘରେ ଆଣ୍ଠୁଏ ପାଣି, ତାରି ଭିତରେ ଭାସୁଛି ଆସବାବପତ୍ର। ଢେଙ୍କାନାଳ ସହରରେ ବି ଜଳବନ୍ଦୀ ଜୀବନ। ତିନି ଦିନ ହେଲା ଘରକୁ ଘେରି ରହିଛି ବର୍ଷା ଜଳ। ତଳିଆ ଅଂଚଳରେ ଥିବା ଟାଉନପ୍ଲାନିଂ ଅଂଚଳର ଅବସ୍ଥା ବେହାଲ୍।
ବିନିକାରେ ଦି ଦିନ ହେଲା ବର୍ଷା ପାଣିରେ ବୁଡ଼ିଛି ବ୍ରିଜ I ଠପ୍ ହୋଇଯାଇଛି ଯାତାୟାତ। ସୁବର୍ଣ୍ଣପୁର ବିନିକା ବ୍ଲକ ଖଇରମାଲ ବ୍ରିଜ ଉପରେ ଏବେବି ଦେଢ଼ ଫୁଟର ପାଣି ଚାଲିଛି। ଯାଜପୁର ଦଶରଥପୁର କଣ୍ଟାପଡ଼ା ନିକଟରେ କାଣୀ ନଦୀରେ ସୃଷ୍ଟି ହୋଇଛି ଘାଇ। ରାତିରେ ୫୦ ଫୁଟର ଘାଇ ହୋଇ ଚାଷ ଜମିକୁ ମାଡ଼ି ଯାଇଛି ପାଣି। ବିଲରେ ଲହଡ଼ି ଭାଙ୍ଗୁଛି ନଦୀର ଜଳ।
କଣ୍ଟାବାଞ୍ଜିରେ ବର୍ଷାରେ ବେହାଲ କଣ୍ଟାବାଞ୍ଜି ଅଂଚଳ। ଭୁଶୁଡ଼ି ପଡ଼ିଛି ତୁରେକେଲା ବ୍ଲକର ଗୁର୍ଜିଭଟା ଏମଆଇପି ପ୍ରୋଜେକ୍ଟ l ପାଣିରେ ଉବୁଟୁବୁ ଗାଁ, ଚାଷ ଜମିରେ ଛୁଟୁଛି ବର୍ଷା ଜଳର ସୁଅ।
ବରଗଡ଼ରେ ଲଗାଣ ବର୍ଷାରେ କଲବଲ ତଳି ଅଞ୍ଚଳ ବାସିନ୍ଦା। ଷ୍ଟେସନ ରୋଡ ବନ୍ଧପଡ଼ା ବାସୀଙ୍କ ଦୁର୍ଦ୍ଦଶା କହିଲେ ନସରେ। ୨-୩ ଦିନ ଧରି ପାଣି ଜମି ରହିବାରୁ କାହା ଘର କାନ୍ଥ ଭାଙ୍ଗିିଛି ତ କାହାର ମାଟି ଅତଡା ଖସିବାରେ ଲାଗିଛି l
ପାଣି ଘେରରେ ଝାରସୁଗୁଡାର ପ୍ରସିଦ୍ଧ ଶୈବପୀଠ କୋଇଲିଘୁଘର। ବୁଡି ରହିଛି ମନ୍ଦିରର ବହୁ ଅଂଶ ସହ ପବିତ୍ର ଶିବଲିଙ୍ଗ। ସୋନପୁର ସହର ମହାନଦୀ କୂଳରେ ଥିବା ଗୋଖନେଶ୍ବର ବାବା ଏବଂ ଶନିଶ୍ଚର ପ୍ରଭୁ ବି ଜଳବନ୍ଦୀ। ପାଣି ଭିତରେ ନା ଠିକରେ ନୀତିକାନ୍ତି ହୋଇପାରୁଛି ନା ଦର୍ଶନ। ବଡମ୍ବା ଭଟ୍ଟାରିକା ମନ୍ଦିର ବେଢାରେ ବି ପଶିଛି ବନ୍ୟାଜଳ। ଲଗାଣ ବର୍ଷାରେ ମହାନଦୀ ଫୁଲିବା ସହ ମନ୍ଦିର ବେଢାରେ ପାଣି ଭର୍ତ୍ତି।
ଭଦ୍ରକରେ ବୈତରଣୀରେ ଆଉ ବନ୍ୟା ସ୍ଥିତି ନାହିଁ, ଆଖୁଆପଦାରେ କମିଲାଣି ଜଳସ୍ତର। ତେବେ ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦରେ ଜଳ। ତେଣୁ ଦିନକ ପରେ ଡ୍ୟାମର ଗେଟ୍ ଖୋଲାଯିବ। ବର୍ଷା ଜଳ ନରାଜ ଦେଇ ଗଲା ପରେ ହୀରାକୁଦ ଜଳ ଛଡ଼ାଯିବ, ଫଳରେ ତଳେ ଥିବା ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିବନି ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।