Devastating Landslide: ଭୟଙ୍କର ଭୂସ୍ଖଳନ, ସମୁଦ୍ର ଜୁଆର ଭଳି ୫ଶହ ମିଟର ମାଡ଼ି ଆସିଲା ଅତଡ଼ା
ଭୟଙ୍କର... ଛାତିଥରା... ଲିଭି ଯାଉଛି ଆଖି । ପ୍ରକୃତିର କୋପ କେତେ କରାଳ ହେଇପାରେ ତାର ଦୃଷ୍ଟାନ୍ତ ଆଜି ଦେଖିବାକୁ ମିଳୁଛି । କେରଳର ୱାୟନାଡ୍ ସହୁଛି ଆଉ ଏକ ବଡ଼ ବିପର୍ଯ୍ୟୟ। ୱାୟନାଡ୍ କୁ ଯୋଡ଼ୁଥିବା ମିନାକ୍ଷୀ ବ୍ରିଜ୍ କାମ ଚାଲିଥିବା ବେଳେ ଅଘଟଣ ଘଟିଛି। ପାହାଡ଼ରୁ ମାଟି ଅତଡ଼ା ଧସି ୫୦୦ ମିଟର୍ ଯାଏଁ ମାଡ଼ି ଆସିଛି। ସ୍ଥିତି ଏମିତି ହୋଇଥିଲା କି ଏକ ବଡ଼ ଟାଙ୍କରକୁ ବି ଘୋଷାଡ଼ି ନେଇ ଯାଇଥିଲା।
ସିସିଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟ । ଅତଡ଼ା ମାଡ଼ି ଆସିବା ପରେ ଆଖପାଖରେ ଥିବା ଲୋକେ କେମିତି ନିଜ ଜୀବନ ବଞ୍ଚାଇବାକୁ ପ୍ରାଣ ବିକଳରେ ଦୌଡ଼ିଥିଲେ। ଦେଖିଲେ ଲାଗୁଥିଲା କୌଣସି ହଲିଉଡ୍ ଫିଲ୍ମର ଆକ୍ସନ୍ ସିନ୍। କିନ୍ତୁ ଜୀବନ ବଞ୍ଚାଇବାର ଏକମାତ୍ର ସୁଯୋଗ ଭାବି ଦୌଡୁଥିଲେ ସମସ୍ତେ । ଟିକିଏ ଏପଟସେପଟେ ହେଲେ ଆଉ ଦ୍ବିତୀୟ ଚାନ୍ସ ମିଳିବନି। ସେଥିପାଇଁ ତ ଜୀବନ-ମୃତ୍ୟୁର ଏହି ରେସ୍ ରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାରି ଜଣ।
କେରଳରେ ୟେ ନୂଆ ଘଟଣା ନୁହେଁ। ୨୦୨୪ରେ ବି ସେଇ ୱାୟନାଡ଼ ସହିଥିଲା ଶତାଦ୍ଦୀର ସବୁଠୁ ବଡ଼ ଝଟକା, ଦେଖିଥିଲା ମୃତ୍ୟୁର ସେଇ ତାଣ୍ଡବ। ସିରିଜ୍ ଭୂସ୍ଖଳନ ଯୋଗୁଁ ଛିନଛତ୍ର ହୋଇଥିଲା କେରଳମ୍। ୩୫୯ ଜଣଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା ବି ଥିଲେ।...ଏବେ ପୁଣି ଥରେ ସେଭଳି ସ୍ଥିତିରୁ ମୁକାବିଲା ପାଇଁ କେରଳମରେ ସତର୍କତା ଅବଲମ୍ବନ କରାଯାଉଛି। NDRF ସହ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଟିମକୁ ଆଲର୍ଟରେ ରଖାଯାଇଛି।
କେରଳମରୁ କାଶ୍ମୀର...ମାଟି ଧସିଛି, ଜୀବନ ଯାଇଛି। କେରଳମ୍ ଭଳି କଶ୍ମୀର ଡୋଡାରେ ବି ଘଟିଛି ଭୂସ୍କଖନ। ଏକାଧିକ ଘର, ଜନବସତି ଅତଡ଼ା ତଳେ ଦବି ଯାଇଛି। ଖାଲି ମାଟି ଧସିନି ବର୍ଷା ଆସୁ ଆସୁ ଯେମିତି ନେଇ ଆସିଛି ପ୍ରଳୟ। ମହାରାଷ୍ଟ୍ରରୁ ଗୁଜରାଟ ଯାଏଁ ସ୍ଥିତି ଏବେଠୁ ହେଲାଣି ଅସମ୍ଭାଳ। ମୁମ୍ବାଇ, ପୁଣେ, ନାସିକରେ ସୁଅ କାଟୁଛି ପାଣି।
ସୁରତରେ ତ ସ୍ଥିତି ସାଂଘାତିକ। ସ୍କୁଲରେ ଫସିଥିବା ପିଲାଙ୍କୁ ଜଣ ଜଣ କରି ବାହାର କରାଯାଇଥିଲା। ପାଣିର ସୁଅ ଏତେ ଅଧିକ ଯେ, ଟିକିଏ ବି ଅସାବଧାନତା ବିଗାଡ଼ି ଦେଇପାରେ ସବୁ କିଛି। ଅଧାବାଟରେ ଫସିଥିଲା ଏକ ସିଟି ବସ୍ । ଅଣ୍ଟାଏ ଉଚ୍ଚର ପାଣିରେ ବସ୍ ଅଚଳ ହୋଇଯିବା ପରେ ରେସ୍କ୍ୟୁ ପାଇଁ ଲାଗିଛି ଭାରତୀୟ ନୌସେନା।
ପାଣି ବିହୁନେ ସୃଷ୍ଟି ନାଶ, ପାଣି ବହୁଳେ ସୃଷ୍ଟି ନାଶ। ଏଥର ବର୍ଷା ଆସୁ ଆସୁ ବିପତ୍ତି ବି ତା ସହ ଆଣିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।