VHP Levels Serious Allegations Against BJD: ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପଛରେ ବିଜେଡି! ବିଶ୍ବ ହିନ୍ଦୁ ପରିଷଦର ବଡ଼ ଅଭିଯୋଗ

Aug 05, 2026 - 20:07
VHP Levels Serious Allegations Against BJD: ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପଛରେ ବିଜେଡି! ବିଶ୍ବ ହିନ୍ଦୁ ପରିଷଦର ବଡ଼ ଅଭିଯୋଗ

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପଛରେ ବିଜେଡି ! ସରକାରରେ ଥିବା ସମୟରେ ଷଡ଼ଯନ୍ତ୍ର ରଚିଥିଲା ଦଳ। ମିସନାରୀ ଟଙ୍କା ପାଇ ହୋଇଥିଲା ଡିଲ୍। ଏଭଳି ସାଂଘାତିକ ଅଭିଯୋଗ ଆଣିଛି ବିଶ୍ବ ହିନ୍ଦୁ ପରିଷଦ। ଖାଲି ସେତିକି ନୁହେଁ ଲୋକ ଦେଖାଣିଆ ଭାବେ ସେତେବେଳେ ତଦନ୍ତ ପାଇଁ କମିଶନ୍ ଗଠନ କରିଥିଲେ ନବୀନ। ଆଉ ପରେ ଏହି କମିଶନ ରିପୋର୍ଟକୁ ସାର୍ବଜନୀନ ନକରି ହଜାଇ ଦେଇଛନ୍ତି। କନ୍ଧମାଳର ଦୁର୍ଗମ ଅଞ୍ଚଳକୁ ଯାଇ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ରରେ ସ୍ଥାନୀୟ ବାସିନ୍ଦାଙ୍କୁ ସଶକ୍ତ କରୁଥିଲେ। ସ୍ବାମୀଜୀ କନ୍ଧମାଳରେ ଧର୍ମାନ୍ତରୀକରଣକୁ ରୋକିବା ସହ ହିନ୍ଦୁ ଧର୍ମକୁ ଜନଜାତି ସଂପ୍ରଦାୟକୁ ଫେରାଇ ଆଣୁଥିଲେ। ଯାହାକି ମିସନାରୀ ଗୋଷ୍ଠୀର ଚିନ୍ତା ବଢାଇଦେଇଥିଲା। ସ୍ବାମୀଜୀଙ୍କ ଜୀବନ ପ୍ରତି ବିପଦ ଥିବା ସତ୍ତ୍ବେ ତାଙ୍କୁ ଆବଶ୍ୟକ ସୁରକ୍ଷା ଦିଆଯାଇନଥିଲା। ବରଂ ସୁରକ୍ଷା କାଢି ଦିଆଯାଇଥିଲା। ପୁରା ହତ୍ୟାକାଣ୍ଡ ପଛର ଷଡଯନ୍ତ୍ରର ପର୍ଦ୍ଦାଫାଶ ପାଇଁ ବିଜେପି ସରକାର ପଦକ୍ଷେପ ନେଇଛନ୍ତି। କିନ୍ତୁ ବର୍ତ୍ତମାନର ସରକାର ଖାଲି କ୍ରାଇମବ୍ରାଞ୍ଚକୁ ତଦନ୍ତ ଦେଇ ବସିଗଲେ ହେବ ନାହିଁ। କିଭଳି ପ୍ରକୃତ ଷଡ଼ଯନ୍ତ୍ରକାରୀ ଧରାପଡିବ ସେଦିଗରେ ବି ନିରନ୍ତର ଦୃଷ୍ଟି ଦେବାର ଆବଶ୍ୟକତା ଥିବା କହିଛି ବିଶ୍ବ ହିନ୍ଦୁ ପରିଷଦ।

ଏଠି ପ୍ରଶ୍ନ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡ ସଂପର୍କିତ ନାଇଡୁ କମିଶନ୍ ତଦନ୍ତ ରିପୋର୍ଟକୁ କାହିଁକି ତତ୍କାଳୀନ ବିଜେଡି ସରକାର ଚାପି ରଖିଥିଲେ ? କାହା ସ୍ବାର୍ଥରେ ଷଡ଼ଯନ୍ତ୍ରକାରୀଙ୍କ ନାଁ କୁ ସାର୍ବଜନୀନ କରାଗଲା ନାହିଁ ? ଆଉ ସତ୍ତାରୁ ଯିବା ପରେ କେମିତି ଗାୟବ ହେଇଗଲା କମିଶନଙ୍କ ରିପୋର୍ଟ ? ଗତକାଲି କ୍ରାଇମବ୍ରାଞ୍ଚ ଡିଜି କହିସାରିଛନ୍ତି ଯେ, ଯେଉଁମାନଙ୍କୁ ସମନ୍ ଯାଉଛି ସେମାନେ ହାଜିର ହେବାକୁ ବାଧ୍ୟ। କାରଣ କିଏ ସନ୍ଦିଗ୍ନ, କିଏ ସାକ୍ଷୀ ଓ କିଏ ଅଭିଯୁକ୍ତ ଏବେ ସୁଦ୍ଧା କାହାକୁ ଜଣାନାହିଁ। ସେପଟେ କମିଶନ୍ ରିପୋର୍ଟ ରିସିଭ୍ କରିଥିବା ତତ୍କାଳୀନ ସିଏମ୍ଓ ର କିରାଣୀ ବି.ଏନ୍.ମହାରଣାଙ୍କୁ ଗତକାଲି କ୍ରାଇମବ୍ରାଞ୍ଚ ପଚରା ଉଚୁରା କରିଥିଲା। ସେପଟେ ଫାଇଲ୍ ହଜିବା ତଦନ୍ତକୁ ନେଇ ରାଜନୈତିକ ବୟାନବାଜି ବି ତେଜିଛି। ବିଜେଡି, ବିଶ୍ବ ହିନ୍ଦୁ ପରିଷଦର ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛି। ଦଳ ଅଭିଯୋଗ କରିଛି ବିଜେପି ସରକାରର ଯଦି ଦମ୍ ଅଛି ତେବେ କିରାଣୀଙ୍କୁ ଛାଡ଼ି ଯେଉଁମାନେ ବର୍ତ୍ତମାନର ବଡ଼ ଅଧିକାରୀ ସେମାନଙ୍କୁ ତଦନ୍ତ ପାଇଁ ଡାକନ୍ତୁ। ବିଜେପି କହିଛି ଆଇନ୍ କାହାରିକୁ ଛାଡିବ ନାହିଁ। ଯେତେ ଲୁଚିଲେ ବି ତଦନ୍ତ ପରିସରକୁ ଟଣାହେବେ। 

ଧୀରେ ଧୀରେ ଅଡୁଆ ସୁତାର ଗଣ୍ଠି ଫିଟୁଛି। ତେବେ ଦେଖିବାର କଥା ସ୍ବାମୀଜୀଙ୍କ ହତ୍ୟା ପଛର ପ୍ରକୃତ ଷଡ଼ଯନ୍ତ୍ରକାରୀଙ୍କ ମୁଖା କେବେ ଖୋଲୁଛି ଆଉ କେବେ ମିଳୁଛି ହଜିଥିବା ଫାଇଲ୍।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।