Aadhaar issues prevent from Govt Welfare Scheme: ସରକାରୀ ଯୋଜନାକୁ ଆଧାର ଅଡୁଆ, ମିଳୁନି ଭତ୍ତା, ଆବାସ କି ପରିଚୟପତ୍ର
ସରକାରୀ ଯୋଜନାକୁ ଆଧାର ଅଡୁଆ। ନା ଭତ୍ତା ମିଳୁଛି ନା ଆବାସ, ନା ପରିଚୟପତ୍ର ମିଳୁଛି ନା ଆର୍ଥିକ ସହାୟତା। ଶିଶୁଙ୍କଠୁ ବୟସ୍କ, ବିଧବାଙ୍କଠୁ ଦିବ୍ୟାଙ୍ଗ। ସଚେତନତା ଅଭାବରୁ ହେଉ କି ପ୍ରଶାସନିକ ଅବହେଳା, କେଉଁଠି ଆଧାର ପାଇଁ ଜନ୍ମ ପ୍ରମାଣପତ୍ର ଲୋଡ଼ା ପଡୁଛି ତ କେଉଁଠି ଜନ୍ମ ପ୍ରମାଣପତ୍ର ପାଇଁ ପଞ୍ଜିକରଣ ରେକର୍ଡରେ ନାଁ ଖୋଜାପଡୁଛି। ଫଳରେ ଆଧାର କାର୍ଡ ହୋଇନପାରିବାରୁ ସାମାଜିକ ସୁରକ୍ଷାରୁ କେମିତି ବଞ୍ଚିତ ହେଉଛନ୍ତି ଗରିବ ଗୁରୁବା।
ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ ଦାଣ୍ଡପାନି ଗାଁର ଡିଲେଶ୍ବର। କାମଧନ୍ଧା ପାଇଁ ଯାଇଥିଲେ ରାଜ୍ୟ ବାହାରକୁ। କିନ୍ତୁ ସେଠାରେ ହାତ ଅଙ୍ଗୁଳି କଟିଗଲା ବୋଲି ନା ଆଧାର ହୋଇପାରୁଛି ନା କୌଣସି ସରକାରୀ ଯୋଜନାର ସୁବିଧା ପାଉଛନ୍ତି। ସମାନ ଅବସ୍ଥା ଶିବ ଦଣ୍ଡସେନାଙ୍କର। ତାଙ୍କର ବି ଆଧାର ହୋଇନପାରିବାରୁ ପଂଚାୟତରୁ ବ୍ଲକ ଯାଏଁ ଦୌଡ଼ି ଦୌଡ଼ି ନିରାଶ ସ୍ତ୍ରୀ। ସ୍ବାମୀଙ୍କ ମୃତ୍ୟୁ ସହାୟତା ରାଶି ପାଇବା ଆଶାରେ ପତ୍ନୀ ରେବତୀ ନାନା ହୀନସ୍ତା ହେଉଥିଲେ ବି ଅଧାର ଲିଙ୍କ ହୋଇନପାରିବାରୁ ସବୁଥିରୁ ସେ ବଞ୍ଚିତ।
ସୁନ୍ଦରଗଡ଼ ଜିଲ୍ଲାରେ ଆଧାର ସହ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ ହୋଇନଥିବାରୁ ୧୫ ହଜାର ୯୩୧ ଜଣ ଆଶାୟୀ ଭତ୍ତାରୁ ବଞ୍ଚିତ। ଗତ ଜୁନ୍ ୩୦ ସୁଦ୍ଧା ଆଧାର ଲିଙ୍କ୍ ପାଇଁ ଶିବିର କରାଯାଇଥିଲା ସତ, କିନ୍ତୁ ଫଳ ଶୂନ୍। ଗତ ୨ ବର୍ଷ ହେଲା ସରକାର ନୂଆ ଟାର୍ଗେଟ୍ ଦେଉନଥିବାରୁ ୬୬ ହଜାର ୧୩୧ ଜଣ ଆବେଦନକାରୀ ଅପେକ୍ଷା କରିଛନ୍ତି ସରକାରୀ ଯୋଜନା ପାଇଁ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କହିବା କଥା, ଏବେ ଏହି ନିୟମରେ ସଂଶୋଧନ ସହ ଲୋକଙ୍କୁ ସଚେତନ କରାଯାଉଛି। ସମସ୍ତଙ୍କ ଆଧାର ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି।
କୋରାପୁଟ ଜିଲ୍ଲାରେ ବି ଅବସ୍ଥା ସମାନ। ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ଖିନବର ପଞ୍ଚାୟତ। ଦୁର୍ଗମ ଅଞ୍ଚଳର ଏହି ପଞ୍ଚାୟତର ୧୪ଟି ଗାଁର ୧୬୦ରୁ ଅଧିକ ଲୋକଙ୍କ ପାଖରେ ନାହିଁ ଆଧାର କାର୍ଡ। ଶିଶୁଠୁ ଆରମ୍ଭ କରି ବୟସ୍କ ଏବଂ ବିଧବା ଓ ଦିବ୍ୟାଙ୍ଗ ଆଧାର କାର୍ଡ ନଥିବାରୁ ପରିଚୟପତ୍ର ତ ଦୂରର କଥା, ସରକାରୀ ସୁବିଧାରୁ ବଞ୍ଚିତ ହେବାକୁ ପଡୁଛି। ଆଧାର କେନ୍ଦ୍ରକୁ ଗଲେ ଜନ୍ମ ପ୍ରମାଣପତ୍ର ମଗାଯାଉଛି। ଜନ୍ମ ପ୍ରମାଣପତ୍ର ପାଇଁ ANM ସେଣ୍ଟର କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଗଲେ ମିଳୁନି ସୁବିଧା। କହୁଛନ୍ତି, ଜନ୍ମ ପଞ୍ଜୀକରଣ ରେକର୍ଡରେ ନାଁ ନାହିଁ। ତେଣୁ ଗୋଟିଏ ପ୍ରମାଣପତ୍ର ପାଇଁ ବାର ଦୁଆର ହେଉଥିବା ଲୋକେ ବ୍ଲକ ସଦର ମହକୁମାକୁ ଧାଇଁ ଖର୍ଚ୍ଚାନ୍ତ ହେଉଛନ୍ତି। ଜିଲ୍ଲାପାଳ କହିଛନ୍ତି, ଆଧାର କାର୍ଡ ପ୍ରସ୍ତୁତି ଓ ସଂଶୋଧନ ପାଇଁ ବିଭିନ୍ନ ଏଜେନ୍ସୀକୁ ଦାୟିତ୍ୱ ଦିଆଯାଇଛି। ତାସହ ପଞ୍ଚାୟତ ସ୍ତରରେ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ସହ ଆଧାର କାର୍ଡ ପ୍ରସ୍ତୁତି ଓ ସଂଶୋଧନ ବି କରାଯାଉଛି।
ନବଜାତଙ୍କ ପାଇଁ ମେଡ଼ିକାଲ ପକ୍ଷରୁ, ଅଙ୍ଗନବାଡ଼ିରେ ଶିଶୁଙ୍କ ପାଇଁ ICDS ପକ୍ଷରୁ, ସ୍କୁଲ ପିଲାଙ୍କ ପାଇଁ OSEPA ପକ୍ଷରୁ ଏବଂ ବୟସ୍କଙ୍କ ପାଇଁ ବ୍ଲକ ଓ ଡାକ ବିଭାଗ ମାଧ୍ୟମରେ ଆଧାର ପ୍ରସ୍ତୁତିର ବ୍ୟବସ୍ଥା ରହିଛି। ତେବେ ଏତେସବୁ ବ୍ୟବସ୍ଥା ସତ୍ତ୍ୱେ କାହିଁକି ସହରକୁ ଦୌଡୁଛନ୍ତି ଆବେଦନକାରୀ ? ଆଧାର ପଂଜିକରଣ ପାଇଁ ଗାଁ ଗାଁରେ କରାଯାଉନି କି କ୍ୟାମ୍ପ ? ଏଭଳି ପ୍ରଶ୍ନ ଭିତରେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ଆଧାର କାର୍ଡରେ ଅନେକ ଲୋକଙ୍କ ତ୍ରୁଟି ଥିବାରୁ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଲୋକେ ସଚେତନ ହୋଇ ଆଧାର ସଂଶୋଧନ ଯଦି କରନ୍ତି, ତେବେ ୭ଦିନ ଭିତରେ ସମାଧାନ ହୋଇପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।