Vaibhav Sooryavanshi Storms ICC T20I Rankings: ଆଇସିସି ରାଙ୍କିଂରେ ଶୁବମନ ପୁଣି ନମ୍ବର-୧, ଚମକିଲେ ବୈଭବ
ଆଇସିସି ପକ୍ଷରୁ ଜାରି ସଦ୍ୟତମ ରାଙ୍କିଂରେ ଭାରତୀୟ ଖେଳାଳିଙ୍କ ଦବ୍ଦବା ଦେଖିବାକୁ ମିଳିଛି। ଦିନିକିଆ କ୍ରିକେଟରେ ପୁଣି ଥରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ୍ ଗିଲ୍। ସେହିପରି ଟି20 ରାଙ୍କିଂରେ ମାତ୍ର ୧୫ ବର୍ଷୀୟ ଯୁବ ସେନ୍ସେସନ୍ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଛାପ ଦେଖିବାକୁ ମିଳିଛି। ନ୍ୟୁଜିଲ୍ୟାଣ୍ଡର ବ୍ୟାଟର ଡାରିଲ୍ ମିଚେଲଙ୍କୁ ପଛରେ ପକାଇ ଗିଲ୍ ପୁଣି ଥରେ 'ନମ୍ବର-୧' ଦିନିକିଆ ବ୍ୟାଟର ଆସନ ଅକ୍ତିଆର କରିଛନ୍ତି।
ଗତ ଜାନୁଆରୀ ମାସରୁ ମିଚେଲ୍ ଶୀର୍ଷରେ ଥିବା ବେଳେ, ନିକଟରେ ୱେଷ୍ଟଇଣ୍ଡିଜ୍ ସିରିଜ୍ରେ ତାଙ୍କର ଅନୁପସ୍ଥିତି ଗିଲଙ୍କୁ ପୁଣି ଏହି ସଫଳତା ଦେଇଛି। ସେପଟେ ଜିମ୍ବାୱେ ଗସ୍ତରେ ନିଜ ବ୍ୟାଟିଂର କମାଲ୍ ଦେଖାଇଥିବା ୧୫ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ରାଙ୍କିଂରେ ଏକ ବଡ଼ ଡିଆଁ ମାରିଛନ୍ତି। ସେ ସିଧାସଳଖ ୨୩୦ଟି ସ୍ଥାନ ଉପରକୁ ଉଠି ଟି20 ବ୍ୟାଟର ରାଙ୍କିଂର ୪୮ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି।
ଜିମ୍ବାୱେ ବିପକ୍ଷ ୩-୦ ସିରିଜ୍ ବିଜୟରେ ବୈଭବ ୧୫୧ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ଥିଲା। ଇଶାନ୍ କିଶନ୍ ୯୧୦ ପଏଣ୍ଟ ସହ ଟି20 ବ୍ୟାଟର ଭାବେ ଶୀର୍ଷ ନମ୍ବର-୧ ସ୍ଥାନ ବଜାୟ ରଖିଛନ୍ତି। ତିଲକ ୨ଟି ସ୍ଥାନ ଉପରକୁ ଉଠି ୬ଷ୍ଠ ଏବଂ ଟି20I ଅଧିନାୟକ ଶ୍ରେୟସ ୭ଟି ସ୍ଥାନ ଡେଇଁ ୨୪ ସ୍ଥାନରେ ପହଞ୍ଚିଛନ୍ତି। ବୋଲିଂରେ ଲେଗ୍-ସ୍ପିନର ରବି ବିଷ୍ଣୋଇ ୩୧ଟି ସ୍ଥାନ ଉପରକୁ ଉଠି ୪୧ ନମ୍ବରରେ ପହଞ୍ଚିଥିବା ବେଳେ, ଆଘାତ ସମସ୍ୟା ଯୋଗୁଁ ଜିମ୍ବାୱେ ଗସ୍ତରୁ ବାଦ୍ ପଡ଼ିଥିବା ବରୁଣ ଚକ୍ରବର୍ତ୍ତୀ ୩ଟି ସ୍ଥାନ ତଳକୁ ଖସିଥିଲେ ବି ଟପ୍-୧୦ରେ ନିଜ ସ୍ଥାନ ବଜାୟ ରଖିଛନ୍ତି।
ଟେଷ୍ଟ କ୍ରିକେଟରେ ୱେଷ୍ଟଇଣ୍ଡିଜର ଜଷ୍ଟିନ୍ ଗ୍ରୀଭ୍ସ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ବୋଲର ରାଙ୍କିଂରେ ୨୧ଟି ସ୍ଥାନ ଉପରକୁ ଉଠି ୪୮ ନମ୍ବରରେ ଏବଂ ଅଲରାଉଣ୍ଡର ତାଲିକାରେ ୯ମ ସ୍ଥାନ ହାସଲ କରିଛନ୍ତି। ସେହିପରି ପାକିସ୍ତାନର ମହମ୍ମଦ ଅବ୍ବାସ ୧୭ଶ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ବାବର ଆଜମ୍ ଅପରାଜିତ ୫୦ ରନ୍ ବଳରେ ୧୫ ସ୍ଥାନରେ ପହଞ୍ଚିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।