Land Dispute Firing: ଜମି ବିବାଦର ଭୟଙ୍କର ପରିଣତି! ବାପାକୁ ଟାର୍ଗେଟ କରି ନିଜ ପୁଅକୁ କରିଦେଲା ଗୁଳି

Jul 29, 2026 - 14:48
Land Dispute Firing: ଜମି ବିବାଦର ଭୟଙ୍କର ପରିଣତି! ବାପାକୁ ଟାର୍ଗେଟ କରି ନିଜ ପୁଅକୁ କରିଦେଲା ଗୁଳି

ଜମିଜମା ବିବାଦକୁ ନେଇ ଘଟିଛି ଗୁଳିକାଣ୍ଡ। ବାପା-ପୁଅଙ୍କ ମଧ୍ୟରେ ଚାଲିଥିବା ବିବାଦ ଶେଷରେ ନେଇଛି ହିଂସାତ୍ମକ ରୂପ। ବିହାରର ରୋହତାସ ଜିଲ୍ଲାରେ ବଡ୍ଡି ଥାନା ଅନ୍ତର୍ଗତ ବିଶ୍ରାମପୁର ଗାଁର ଘଟଣା। ସୂଚନା ଅନୁସାରେ, ସତ୍ୟେନ୍ଦ୍ର ସିଂହ ଓ ତାଙ୍କ ପୁଅ ଭୂପେନ୍ଦ୍ର ସିଂହଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିକୁ ନେଇ ବିବାଦ ଲାଗି ରହିଥିଲା।

ମଙ୍ଗଳବାର ଅପରାହ୍ନରେ ବିବାଦ ଅଧିକ ବଢ଼ିଥିଲା। ମଦ୍ୟପ ଅବସ୍ଥାରେ ଭୂପେନ୍ଦ୍ର ନିଜ ବାପାଙ୍କୁ ମାରପିଟ କରିଥିଲା। ସନ୍ଧ୍ୟା ସମୟରେ ସେ ବନ୍ଧୁକ ଧରି ନିଜ ବାପାଙ୍କ ଉପରକୁ ଗୁଳି ଚଳାଇଥିଲା ।

ତେବେ ଗୁଳି ବାପାଙ୍କ ଦେହରେ ନ ବାଜି ପାଖରେ ଠିଆ ହୋଇଥିବା ତାର ୧୯ ବର୍ଷୀୟ ପୁଅ ଆସ୍ଥାନନ୍ଦ ସିଂହଙ୍କ ଛାତିରେ ବାଜିଥିଲା। ଗୁଳି ବାଜିବା ପରେ ଆସ୍ଥାନନ୍ଦ ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ସାସାରାମ ସଦର ହସ୍ପିଟାଲକୁ ନେଇଥିଲେ। ପରେ ତାଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଯୁବକଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି।

ଘଟଣା ପରେ ବିଶ୍ରାମପୁର ଗାଁରେ ଆତଙ୍କ ଖେଳିଯାଇଛି। ଖବର ପାଇ ବଡ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପରେ ପୋଲିସ ଗାଁ ବାହାରେ ଥିବା ଏକ ବଗିଚାରୁ ଅଭିଯୁକ୍ତ ଭୂପେନ୍ଦ୍ର ସିଂହକୁ ନିଶାସକ୍ତ ଅବସ୍ଥାରେ ଗିରଫ କରିଛି। ତା ନିକଟରୁ ଘଟଣାରେ ବ୍ୟବହୃତ ବନ୍ଧୁକ ଜବତ କରାଯାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।