US Iran Talks: ଆମେରିକା-ଇରାନ ବୈଷୟିକ ଆଲୋଚନା ଜୁଲାଇ ୧୧ରେ ଇସଲାମାବାଦରେ ହୋଇପାରେ
ୱାସିଂଟନ: କୂଟନୈତିକ ସୂତ୍ର ଆଧାରରେ ଡନ୍ ରିପୋର୍ଟ କରିଛି ଯେ,ଆମେରିକା ଏବଂ ଇରାନ ମଧ୍ୟରେ ପରବର୍ତ୍ତୀ ବୈଷୟିକ ଆଲୋଚନା ପାଇଁ ଇସଲାମାବାଦ ପ୍ରମୁଖ ସ୍ଥାନ ଭାବରେ ଉଭା ହୋଇଛି। ଜୁଲାଇ ୧୧ ରେ ଆଲୋଚନା ହେବାର ସମ୍ଭାବନା ରହିଛି। ସ୍ଥାନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ଏବଂ ସ୍ୱିଜରଲ୍ୟାଣ୍ଡର ବର୍ଗେନଷ୍ଟକ୍ ରିସର୍ଟ ମଧ୍ୟ ଏନେଇ ବିଚାରାଧୀନ ଅଛି। ପଶ୍ଚିମ ଏସିଆରେ ଶାନ୍ତି ଫେରାଇ ଆଣିବା ପାଇଁ ଜୁନ୍ ୧୮ ତାରିଖରେ ଆମେରିକା ଏବଂ ଇରାନ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବା ପରେ କୂଟନୈତିକ ପ୍ରକ୍ରିୟାକୁ ଜାରି ରଖିବା ପାଇଁ ଏହି ଆଲୋଚନା ମାଧ୍ୟରେ ପ୍ରୟାସ କରାଯିବ। ଜୁନ୍ ୨୧ ତାରିଖରେ ସ୍ୱିଜରଲ୍ୟାଣ୍ଡରେ ପାକିସ୍ତାନ ଏବଂ କତାର ମଧ୍ୟସ୍ଥତା ଭାବରେ କାର୍ଯ୍ୟ କରିବା ସହିତ ବୈଷୟିକ ସ୍ତରୀୟ ଆଲୋଚନା ହୋଇଥିଲା ଏବଂ ପରବର୍ତ୍ତୀ ବୈଠକରେ ଇରାନର ପରମାଣୁ କାର୍ଯ୍ୟକ୍ରମ, ପ୍ରତିବନ୍ଧକରୁ ମୁକ୍ତି, ବିଦେଶରେ ଇରାନ ସମ୍ପତ୍ତିକୁ ଅନ୍-ଫ୍ରିଜ୍ କରିବା ଏବଂ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି। ଡନ୍ କହିଛି ଯେ, ଆଲୋଚନାରେ ହର୍ମୁଜ୍ ପ୍ରଣାଳୀରେ ସ୍ଥିରତା ବଜାୟ ରଖିବା ଏବଂ ଲେବାନନରେ ଅସ୍ତ୍ରବିରତି ବଜାୟ ରଖିବା ପାଇଁ ପ୍ରୟାସ କରାଯିବ।
ଆଲୋଚନା ପାଇଁ ଦୁଇଟି ସମ୍ଭାବ୍ୟ ସ୍ଥାନ
ଆଲୋଚନା ପାଇଁ ଦୁଇଟି ସମ୍ଭାବ୍ୟ ସ୍ଥାନ ଅଛି। ଇସଲାମାବାଦ ଏବଂ ସ୍ୱିଜରଲ୍ୟାଣ୍ଡର ବର୍ଗେନଷ୍ଟକ୍ ରିସର୍ଟ ବୋଲି କୂଟନୈତିକ ସୂତ୍ରରୁ ସୂଚନା ମିଳିଛି। ତେବେ ଇସଲାମାବାଦ ହେଉଛି ଅଧିକ ସମ୍ଭାବ୍ୟ ବିକଳ୍ପ। ହେବାକୁଥିବା ଏହି ବୈଠକ ଇସଲାମାବାଦ ବୁଝାମଣାପତ୍ର ଅନୁଯାୟୀ ସ୍ଥିର ହୋଇଥିବା ଢାଞ୍ଚାକୁ ଆଗକୁ ନେବା ପାଇଁ ଉଦ୍ଦିଷ୍ଟ, ଯାହା ଉଭୟ ପକ୍ଷକୁ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସମ୍ବନ୍ଧିତ ପ୍ରସଙ୍ଗ ଉପରେ ଏକ ବ୍ୟାପକ ଚୁକ୍ତିନାମା ଆଲୋଚନା ପାଇଁ ୬୦ ଦିନ ସମୟ ଦେଇଥିଲା।
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ବହୁଦିନିଆ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ସମାରୋହ ଯୋଗୁଁ ଆଲୋଚନା ଅସ୍ଥାୟୀ ଭାବରେ ବିଳମ୍ବିତ ହୋଇଛି। ଇରାନୀ ଅଧିକାରୀମାନେ କହିଛନ୍ତି ଯେ, ଅନ୍ତିମ ସଂସ୍କାର ସମାପ୍ତ ହେବା ପରେ ତେହେରାନର ପ୍ରତିନିଧିମଣ୍ଡଳର ଗଠନ ଘୋଷଣା କରାଯିବ। ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ୭ ଜୁଲାଇ ପର୍ଯ୍ୟନ୍ତ ଜାରି ରହିବ, ଏବଂ ଶେଷ ସଂସ୍କାର ଗୁରୁବାର ୯ ଜୁଲାଇରେ ମାଶାଦରେ ଅନୁଷ୍ଠିତ ହେବ।