Udhayanidhi Stalin Gets Station Bail: ଉଦୟନିଧିଙ୍କୁ ବଡ଼ ଆଶ୍ୱସ୍ତି, ମୁକ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ମାଡ୍ରାସ ହାଇକୋର୍ଟ ତାମିଲନାଡୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ବିଧାନସଭାର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ ପଚରାଉଚରା ପରେ ସେହି ଦିନ 'ଷ୍ଟେସନ ବେଲ୍'ରେ ମୁକ୍ତ କରାଯାଉ। ଅଭିନେତ୍ରୀ ତ୍ରିଶାଙ୍କୁ ଇଙ୍ଗିତ କରି ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯିବାର କିଛି ସମୟ ପରେ ଏହି ନିର୍ଦ୍ଦେଶ ଆସିଛି।
କାବେରୀ ଜଳ ବିବାଦକୁ ନେଇ ଏକ ସଭାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଟାର୍ଗେଟ କରି ଦେଇଥିବା ଏକ ବିବାଦୀୟ ମନ୍ତବ୍ୟକୁ ନେଇ ଉଦୟନିଧିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅନେକ ଏହି ମନ୍ତବ୍ୟକୁ ଅଭିନେତ୍ରୀ ତ୍ରିଶା ଏବଂ ତାଙ୍କ ସହ ବିଜୟଙ୍କ ସମ୍ପର୍କକୁ ଇଙ୍ଗିତ କରୁଥିବା ଦ୍ୱିଅର୍ଥବୋଧକ ଟିପ୍ପଣୀ ବୋଲି ବ୍ୟାଖ୍ୟା କରିଛନ୍ତି। ଏହାକୁ ନେଇ ତାମିଲନାଡୁର ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିନ୍ଦା କରିଛନ୍ତି।
ଏହାକୁ ନେଇ ଥାନାରେ TVKର କେନ୍ଦ୍ରୀୟ ଜିଲ୍ଲା ମହିଳା ଶାଖା ସଂଗଠିକା ଏସ୍. ବୈରବୀ ଏକ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗରେ କୁହାଯାଇଛି ଯେ, ଅଗଷ୍ଟ ୩ ତାରିଖରେ କାବେରୀ ପ୍ରସଙ୍ଗରେ ଆୟୋଜିତ ସଭାରେ ଭିଡ଼ ଭିତରେ ତ୍ରିଶା, ତ୍ରିଶା ବୋଲି ସ୍ଲୋଗାନ ଦେବା ପରେ ଉଦୟନିଧି ଏକ ଅଶ୍ଳୀଳ ଦ୍ୱିଅର୍ଥବୋଧକ ମନ୍ତବ୍ୟ ଦେଇଥିଲେ।
ଅଭିଯୋଗକାରୀ କହିଛନ୍ତି ଯେ, ଉଦୟନିଧି ଓ DMKର IT ୱିଙ୍ଗର କିଛି ପଦାଧିକାରୀ ମହିଳାଙ୍କୁ ଅପମାନିତ କରିବା, ଅଭିନେତ୍ରୀ ତ୍ରିଶା ଓ ସାଧାରଣ ମହିଳାଙ୍କୁ ମାନସିକ କଷ୍ଟ ଦେବା ଉଦ୍ଦେଶ୍ୟରେ ଘଟଣାର ୨ ମିନିଟ୍ ୩୯ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପ୍ରସାର କରିଥିଲେ।
ପୋଲିସ ଉଦୟନିଧିଙ୍କ ନୀଳାଙ୍କରାଇ ସ୍ଥିତ ବାସଭବନରେ ପହଞ୍ଚିବା ପରେ ତାଙ୍କ ପକ୍ଷରୁ ତୁରନ୍ତ ଅଗ୍ରିମ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା।
ଶୁଣାଣି ବେଳେ ତାମିଲନାଡୁର ଆଡଭୋକେଟ୍ ଜେନେରାଲ ବିଜୟ ନାରାୟଣ ହାଇକୋର୍ଟଙ୍କୁ କହିଥିଲେ ଯେ, ତଞ୍ଜାଭୁର ପୋଲିସ ଉଦୟନିଧିଙ୍କୁ ଗିରଫ କରି ସେଠାକୁ ନେଇଯାଇଛି। କିନ୍ତୁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାର କୌଣସି ଉଦ୍ଦେଶ୍ୟ ନାହିଁ; କେବଳ ପଚରାଉଚରା କରି ଷ୍ଟେସନ ବେଲରେ ମୁକ୍ତ କରାଯିବ।
ରାଜ୍ୟ ସରକାର କୋର୍ଟକୁ କହିଛନ୍ତି, ପୋଲିସର ଉଦ୍ଦେଶ୍ୟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ନୁହେଁ, କେବଳ ପଚରାଉଚରା କରିବା।
ଏହା ପୂର୍ବରୁ ଉଦୟନିଧିଙ୍କ ଗିରଫକୁ ବିରୋଧ କରି ତାମିଲନାଡୁର ବିଭିନ୍ନ ସ୍ଥାନରେ DMK କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାସ୍ତା ଅବରୋଧ ଓ ଆକସ୍ମିକ ପ୍ରତିବାଦ କରି ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ।
ଅଗଷ୍ଟ ୫ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ପୂର୍ବରୁ ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ ପାଇଁ DMK ସଭାପତି ଏମ୍. କେ. ଷ୍ଟାଲିନ ଦଳର ମୁଖ୍ୟାଳୟରେ ଏକ ବୈଠକ ଡାକିଛନ୍ତି।
ଉଦୟନିଧିଙ୍କ ବିରୋଧରେ ଅଶ୍ଳୀଳ ଭାଷା ବ୍ୟବହାର, ମହିଳାଙ୍କ ସମ୍ମାନହାନି, ବିଦ୍ୱେଷ ସୃଷ୍ଟି, ଦଙ୍ଗା ଉସକାଇବା ଏବଂ ଅପରାଧିକ ଧମକ ଭଳି ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।
ପୋଲିସ ସହ ଯିବା ପୂର୍ବରୁ ସାମ୍ବାଦିକଙ୍କୁ ଉଦୟନିଧି କହିଥିଲେ, କୋର୍ଟ ନିଷ୍ପତ୍ତି ନେବେ। ସେ ଆହୁରି କହିଥିଲେ, ମୁଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଛଡ଼ା ଆଉ କାହାର ନାଁ ନେଇଥିଲି କି? ତେବେ ଏମିତି କାହିଁକି ହେଉଛି? ଏହାର ନିଷ୍ପତ୍ତି କୋର୍ଟ କରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।