Tribal workers: ‘ଗୋତି ଶ୍ରମିକ ରୋକିବାକୁ ଖସଡ଼ା ପ୍ରସ୍ତୁତି ଲୋଡ଼ା’
ଭୁବନେଶ୍ବର: ଗୋତି ଶ୍ରମ ପ୍ରଥା(ଉଚ୍ଛେଦ) ଅଧିନିୟମ ୧୯୭୬କୁ ୫୦ ବର୍ଷ ପୂରିଛି। ତା’ପରେ ବି ଓଡ଼ିଶାରେ ଗୋତି ଶ୍ରମିକ ପ୍ରଥା ବନ୍ଦ ହୋଇ ନାହିଁ। ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର ପରି ଜିଲ୍ଲାରୁ ହଜାର ହଜାର ଲୋକ କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଯାଉଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ୨୦୨୪ ତୁଳନାରେ ୨୦୨୫ରେ ୨୨ହଜାର ଅଧିକ ଶ୍ରମିକ ବାହାର ରାଜ୍ୟକୁ ଯାଇଥିଲେ। ୨୦୨୧ରୁ ୨୦୨୫ ମଧ୍ୟରେ ୫୧୮ ଜଣ ଗୋତି ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ରୋକିବାକୁ ତ୍ରୁଣମୂଳସ୍ତରରୁ ସଚେତନତା ସହ ଖସଡ଼ା ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି ବୋଲି ‘ମାନବଚାଲାଣ ଓ ଗୋତି ଶ୍ରମିକଙ୍କ ସମସ୍ୟା ଓ ଆହ୍ୱାନ’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି।
Women entrepreneurs Odisha: ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’
ରାଜ୍ୟ ମାନବାଧିକାର କମିସନର ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ ବିମଳ ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଆଇନ କେବଳ କାଗଜ କଲମରେ ରହିଯାଇଛି। ଏହି ୫୦ ବର୍ଷରେ ଆଇନ କେତେଦୂର କାର୍ଯ୍ୟକାରୀ ହୋଇଛି, କେଉଁଠି ଗ୍ୟାପ୍ ରହିଛି ଏବଂ ଆଗାମୀ ଦିନରେ କ’ଣ ପରିବର୍ତ୍ତନ ଆବଶ୍ୟକ ତାହାର ସମୀକ୍ଷା ଆବଶ୍ୟକ। ଏହାକୁ ରୋକିବା ଦିଗରେ ବ୍ୟାପକ କର୍ମନିଯୁକ୍ତି ସୃଷ୍ଟି କରିବାକୁ ପଡ଼ିବ। ଗୋତି ଶ୍ରମିକ ଆଇନ ବିଷୟରେ ତୃଣମୂଳସ୍ତରର ଲୋକଙ୍କୁ ସଚେତନ କରିବାକୁ ହେବ। ଏଦିଗରେ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସାମାଜିକ କର୍ମୀଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ।
‘ମାନବଚାଲାଣ ଓ ଗୋତି ଶ୍ରମିକଙ୍କ ସମସ୍ୟା ଓ ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ର
‘ସମ୍ବାଦ’ ଓ ‘କନକ ନ୍ୟୁଜ’ ସମ୍ପାଦକ ତନୟା ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଗୋତି ଶ୍ରମିକ ପ୍ରଥା ରୋକିବାକୁ ହେଲେ ଆମକୁ ଖସଡ଼ା ପ୍ରସ୍ତୁତ କରିବାକୁ ପଡ଼ିବ। ଜଣେ କି ଦୁଇ ଜଣ ଚାହିଲେ ଏହି ସମସ୍ୟାର ସମାଧାନ ହେବ ନାହିଁ। ବରଂ ଗୋତି ଶ୍ରମିକମୁକ୍ତ ଓଡ଼ିଶା ପାଇଁ ସମସ୍ତେ ହାତ ମିଳାଇବା ଆବଶ୍ୟକ। ୨୦୩୬ରେ ଆମେ ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ପ୍ରତିଷ୍ଠାର ଶହେ ବର୍ଷ ପୂରଣ କରିବାକୁ ଯାଉଛୁ। ସେଥିପାଇଁ ଆମକୁ ପ୍ରତିଟି କ୍ଷେତ୍ରରେ ବିକାଶ ଲୋଡ଼ା ଏବଂ ଏକ ବିକଶିତ ଓଡ଼ିଶା ପାଇଁ ପ୍ରଥମେ ଓଡ଼ିଆଙ୍କ ବିକାଶ ହେବା ଜରୁରୀ। ଗଣମାଧ୍ୟମ ସମାଜର ଦର୍ପଣ। ଏଠି ଆମକୁ ଦର୍ପଣରେ ସୀମିତ ନରଖି ଆଗକୁ ଯିବାର ଅଛି। ଯାହା ଦେଖାଯାଉନି ତାକୁ କିଭଳି ଲୋକଲୋଚନକୁ ଆଣିପାରିବୁ ତାହା ଆମର ଲକ୍ଷ୍ୟ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ସିୱାଇଏସ୍ଡି ସହ-ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ସାହୁ ଯୋଗଦେଇ କହିଲେ, ସ୍ବାଧୀନତାର ୮୦ ବର୍ଷ ପରେ ବି ଗୋତି ଶ୍ରମିକ ପ୍ରଥା ସମସ୍ୟାର ସମାଧାନ ହୋଇପାରି ନାହିଁ। ଓଡ଼ିଶା ସମେତ ସାରା ଦେଶରେ ଏହି ସମସ୍ୟା ଲାଗିରହିଛି। ଦାରିଦ୍ର୍ୟ କମିଛି ସତ, ହେଲେ ସେତେଟା ସଫଳତା ମିଳିପାରି ନାହିଁ। ସବୁ ସ୍ତରରେ ଇଚ୍ଛା ଶକ୍ତିର ଅଭାବ ରହୁଥିବା ସେ କହିଥିଲେ। ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଦାଦନ ରୋକିବାକୁ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ। ‘ସୁରକ୍ଷା’ର ଆବାହକ ଅମୀୟ ଭୂଷଣ ବିଶ୍ବାଳ ସ୍ବାଗତ ଭାଷଣ ଦେଇଥିବା ବେଳେ ଆଇଜେଏମ୍ର ରାଜ୍ୟ ନିର୍ଦ୍ଦେଶକ ଜୟନ୍ତ କୁମାର ନାଗ୍ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ‘ବଣ୍ଡେଣ୍ଡ୍ ଲେବର ହ୍ୟାଣ୍ତବୁକ୍’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପରେ ଦୁଇଟି ଅଧିବେଶନରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

