05 JULY 2026

Welcome!

Unlock your personalized experience.
Sign Up

Train : ଆସନ୍ତା ୬ରେ  ପୁରୀ–କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

Jul 05, 2026 - 20:50
Train : ଆସନ୍ତା ୬ରେ  ପୁରୀ–କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସର  ଶୁଭାରମ୍ଭ
  • ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି  ହେଲା ପୂରଣ
  •  ନୂତନ ପୁରୀ–କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ
  • ସପ୍ତାହକୁ ୩ ଦିନ ଚାଲୁଥିବା ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଏଣିକି ପ୍ରତିଦିନ ଚାଲିବ

ଭୁବନେଶ୍ୱର, ୫।୭ ଓଡ଼ିଶାରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ଏବଂ ଯାତ୍ରୀ ସେବାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆସନ୍ତା ୬ ତାରିଖରେ ପୁରୀ ରେଳଷ୍ଟେସନରୁ "ପୁରୀ–କୋରାପୁଟ ଉଦ୍‌ଘାଟନୀ ସ୍ପେଶାଲ  ଏବଂ ବ୍ରହ୍ମପୁର ରେଳଷ୍ଟେସନରୁ "ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଉଦ୍‌ଘାଟନୀ ସ୍ପେଶାଲ  ଟ୍ରେନ ଗଡିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରେଳ, ସୂଚନା ଏବଂ ପ୍ରସାରଣ ତଥା  ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ପୂର୍ବରୁ ସପ୍ତାହକୁ ୩ ଦିନ ଚାଲୁଥିବା ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଏଣିକି ପ୍ରତିଦିନ ଚାଲିବ।

ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯାତ୍ରୀବାହୀ ସେବା ଓଡ଼ିଶା ଭିତରେ ଏବଂ ଓଡ଼ିଶା ସହିତ ପଶ୍ଚିମ ଭାରତର ସଂଯୋଗୀକରଣକୁ ଯଥେଷ୍ଟ ଉନ୍ନତ କରିବ।  ଏଥିସହିତ ପର୍ଯ୍ୟଟନ, ବାଣିଜ୍ୟ, ନିଯୁକ୍ତି ସୁଯୋଗ ଏବଂ ଆଞ୍ଚଳିକ ସାମାଜିକ-ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ। ପୁରୀ-କୋରାପୁଟ ଏକ୍ସପ୍ରେସର ନିୟମିତ ସମୟସୂଚୀ ପୃଥକ ଭାବେ ଜଣାଇ ଦିଆଯିବ।

ପୁରୀ–କୋରାପୁଟ ଏକ୍ସପ୍ରେସର ପ୍ରଚଳନ ଦ୍ୱାରା ପବିତ୍ର ସହର ପୁରୀ ଏବଂ ଆଦିବାସୀ ବହୁଳ ଅଞ୍ଚଳ କୋରାପୁଟ ମଧ୍ୟରେ ସିଧାସଳଖ ରେଳ ସଂଯୋଗ ପ୍ରଦାନ କରି ଜନସାଧାରଣଙ୍କ ଏକ ଦୀର୍ଘଦିନର ଆଶାକୁ  ପୂରଣ କରିବ । ଏହି ଟ୍ରେନ୍ ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥଳ, ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଏବଂ ବ୍ୟବସାୟିକ କେନ୍ଦ୍ରଗୁଡ଼ିକୁ ଯାତାୟାତ ସହଜ କରି ଶ୍ରଦ୍ଧାଳୁ, ପର୍ଯ୍ୟଟକ, ଛାତ୍ରଛାତ୍ରୀ, ରୋଗୀ, ବ୍ୟବସାୟୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ବହୁ ପରିମାଣରେ ଉପକୃତ କରିବ।

ଏହି ଉଦ୍‌ଘାଟନୀ ସ୍ପେଶାଲ୍ ନିୟମିତ ଟ୍ରେନ୍ ନମ୍ବର ୧୮୪୦୭/୧୮୪୦୮ ପୁରୀ–କୋରାପୁଟ–ପୁରୀ ଏକ୍ସପ୍ରେସ।ଏହି ଟ୍ରେନଟି ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ୍, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, କାକିରିଗୁମା ଏବଂ ଦାମନଯୋଡ଼ି ଦେଇ ଚଳାଚଳ କରିବ। ଯାହାଫଳରେ ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ରେଳ ସଂଯୋଗୀକରଣ ଅଧିକ ସୁଦୃଢ଼ ହେବ। ଏହି ଟ୍ରେନ୍ ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଏବଂ କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ଚାଲିବ।

ବ୍ରହ୍ମପୁର-ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ, ଯାହା ବର୍ତ୍ତମାନ ସପ୍ତାହରେ ତିନି ଦିନ ଚଳାଚଳ କରୁଛି, ଏହା ଓଡ଼ିଶାକୁ ଗୁଜରାଟ ସହିତ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ରେଳ ସଂଯୋଗ ଭାବରେ ଉଭା ହୋଇଛି । ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟର ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳଗୁଡ଼ିକୁ ସେବା ଯୋଗାଇଛି। ଏହାକୁ ଦୈନନ୍ଦିନ ସେବାରେ ପରିଣତ କରିବା ଦ୍ୱାରା ଯାତ୍ରୀଙ୍କ ସୁବିଧା ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଅଧିକ ଯାତ୍ରା ସୁବିଧା ପ୍ରଦାନ କରିବ।

ଆହୁରି ପଢନ୍ତୁ : ଆରଡିସି ଏବଂ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି , ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ସ୍ଥଗିତ ନିର୍ଦ୍ଦେଶ