Draft Voter List Released: SIR ପରେ ପ୍ରକାଶ ପାଇଲା ଭୋଟର୍ ତାଲିକା, ଉପକୂଳ ଜିଲ୍ଲାରୁ ବହୁ ଭୋଟର୍ ବାଦ୍

Jul 05, 2026 - 20:49
Draft Voter List Released: SIR ପରେ ପ୍ରକାଶ ପାଇଲା ଭୋଟର୍ ତାଲିକା, ଉପକୂଳ ଜିଲ୍ଲାରୁ ବହୁ ଭୋଟର୍ ବାଦ୍

SIR ବା ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଘରକୁ ଘର ବୁଲି ପରିଗଣନା ଫର୍ମ ବାଣ୍ଟିଥିଲେ ବୁଥ୍ ଲେବଲ୍ ଅଫିସର୍। ରାଜ୍ୟର ପ୍ରାୟ ୩ କୋଟି ୩୩ ଲକ୍ଷ ଭୋଟରଙ୍କ ମଧ୍ୟରୁ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଜଣଙ୍କଠାରୁ ଫର୍ମ ସଂଗ୍ରହ କରାଯାଇଛି। ବିଭିନ୍ନ କାରଣରୁ ବାଦ୍ ପଡିଛି ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ। ଯେଉଁମାନଙ୍କ ମଧ୍ୟରୁ ୮ ଲକ୍ଷ ୩୨ ହଜାର ମୃତ ବୋଲି ଜଣାପଡ଼ିଥିବା ବେଳେ ସ୍ଥାନାନ୍ତରିତ ଏବଂ ଅନୁପସ୍ଥିତ ଅଛନ୍ତି ୧୦ ଲକ୍ଷ ୭ ହଜାର। ଏକାଧିକ ସ୍ଥାନରେ ପଞ୍ଜୀକୃତ ଯୋଗୁଁ କଟିଛି ୧ ଲକ୍ଷ ୫୮ ହଜାର ନାଁ। ଅନ୍ୟାନ୍ୟ କାରଣ ପାଇଁ ୧୪ ହଜାର ଭୋଟର୍ ବାଦ୍ ପଡ଼ିଛନ୍ତି। ଉପକୂଳ ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବରରେ ବହୁ ଭୋଟର୍ ବାଦ୍ ପଡ଼ିଥିବା ଜଣାପଡ଼ିଛି। ତେବେ ଚିଠା ଭୋଟର୍ ତାଲିକାକୁ ନେଇ ଯଦି କାହାର ଆପତ୍ତି ଥାଏ, ତାହେଲେ ଆସନ୍ତା ଅଗଷ୍ଟ ୪ ତାରିଖ ସୁଦ୍ଧା ଦାବି କିମ୍ବା ଆପତ୍ତି ଅଭିଯୋଗ କରିପାରିବେ। ଯାଂଚ ପରେ ପ୍ରକୃତ ଭୋଟରମାନଙ୍କୁ ତାଲିକାରେ ପୁନର୍ବାର ଯୋଡ଼ା ଯାଇପାରିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ପ୍ରକାଶ ପାଇଥିବା ଚିଠା ଭୋଟର ତାଲିକାରେ ୧ କୋଟି ୬୦ ଲକ୍ଷ ୧୯ ହଜାର ୧୭୬ ଜଣ ପୁରୁଷ ଓ ୧ କୋଟି ୫୩ ଲକ୍ଷ ୬୫ ହଜାର ୮୩ ଜଣ ମହିଳା ଭୋଟର୍ ଅଛନ୍ତି। ସେହିଭଳି ୨ ହଜାର ୭୭୫ ଜଣ ତୃତୀୟ ଲିଙ୍ଗି ଭୋଟରଙ୍କୁ ଚିହ୍ନଟ କରାଯାଇଛି। ତାଲିକାରେ ନିଜ ନାଁ ଅଛି କି ନାହିଁ, ଜଣେ ନିଜ ବୁଥ୍ ସ୍ତରୀୟ ଅଧିକାରୀଙ୍କ ନିକଟରେ ଉପଲବ୍ଧ ତାଲିକାରୁ ଜାଣିପାରିବେ। ନଚେତ୍ ECINET ମୋବାଇଲ୍ ଆପ ସହ voters.eci.gov.in କିମ୍ବା ceoodisha.nic.in ଓ୍ୱେବ୍ ସାଇଟ୍ ମାଧ୍ୟମରେ ଅବଗତ ହୋଇପାରିବେ। ଯଦି ନାଁ ନମିଳୁଛି ତେବେ ଫର୍ମ-୬ ପୂରଣକରି ଘୋଷଣାପତ୍ର ଏବଂ ଅନ୍ୟ ଦସ୍ତାବିଜ୍ ସହ BLOଙ୍କ ପାଖରେ ଦାଖଲ କରିପାରିବେ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। 

ଅନ୍ୟପଟେ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କଟିବାକୁ ନେଇ ତେଜିଛି ରାଜନୀତି। ଏଥିପାଇଁ କଂଗ୍ରେସ୍ ସିଧା ବିଜେପିକୁ ଦାୟୀ କରିବା ସହ ପଂଚାୟତ ନିର୍ବାଚନ ପୂର୍ବରୁ ଏହା ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛି। ବିଜେଡି କହିଛି ୨୦ ଲକ୍ଷ ନୁହଁ ବାସ୍ତବରେ ୨୭ ଲକ୍ଷ ଭୋଟରଙ୍କ ନାଁ କଟାଯାଇଛି। ୭ ଲକ୍ଷ ଭୋଟରଙ୍କ ନାଁ ଲୁଚା ଯାଉଛି। ଜବାବରେ ବିଜେପି କହିଛି, ବିରୋଧୀ ଅଯଥା ଭୟଭୀତ ହେବା ଉଚିତ୍ ନୁହଁ। ଭୁଲ୍ ହୋଇଥିଲେ ଅଭିଯୋଗ କରିବାର ବ୍ୟବସ୍ଥା ଅଛି।

ସ୍ବଚ୍ଛ ଭୋଟର୍ ତାଲିକା ପାଇଁ ୩୦ ଜିଲ୍ଲାରେ ୧୦ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୋଜିତ କରାଯାଇଛି। ଆସନ୍ତା ସେପଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇବ।