Lord Jagannath: ରତ୍ନବେଦୀରୁ ଆସି ସ୍ନାନବେଦୀରେ ହାତୀବେଶରେ ଚତୁର୍ଦ୍ଧାମୂରତୀ
"ନୀଳଗିରି (ଦିଲୀପ ସ୍ବାଇଁ): ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଲୀଳାମୟ ମହାପ୍ରଭୂ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରାର ଆଦ୍ୟପର୍ବ ସ୍ନାନଯାତ୍ରା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି।
Advertisment ମନ୍ଦିରର ନୀତିନିର୍ଘଣ୍ଟ ଅନୁଯାୟୀ ସମସ୍ତ ନୀତିକାନ୍ତି ସମ୍ପନ୍ନପରେ ରାଜପରିବାରର ଯୁବରାଜ ଜନ୍ମେଜୟ ମର୍ଦ୍ଦରାଜ ସୁବର୍ଣ୍ଣଖଡିକାରେ ଛେରାପହଁରା କରି ସକାଳ ୭ଟା ୩୦ମିନିଟରେ ଘଣ୍ଟ, ଘଣ୍ଟା, କାହାଳୀ, ଚାମର, ଜୟ ଜଗନ୍ନାଥ ଧ୍ବନିରେ ଚତୁର୍ଦ୍ଧାମୂରତିଙ୍କୁ ଧାଡ଼ିପହଣ୍ଡିରେ ସ୍ନାନମଣ୍ଡପ ବିଜେ କରାଯାଇଥିଲା।
ପରେ ମଙ୍ଗଳ ଆଳତୀ, ଅବକାଶ ସୂର୍ଯ୍ୟପୂଜା ଓ ରୋଷହୋମ ନୀତି ସରିଲାପରେ ସକାଳ ୧୦ଟା ସମୟରେ ଜଗନ୍ନାଥ ମହାପ୍ରଭୁଙ୍କୁ ୩୫ଗରା, ବଡଠାକୁର ବଳଭଦ୍ରଙ୍କୁ ୩୩ଗରା, ସୁଭଦ୍ରାଦେବୀଙ୍କୁ ୨୨ଗରା ଏବଂ ଚକ୍ରରାଜ ସୁଦର୍ଶନଙ୍କୁ ୧୮ଗରା ମୋଟ ୧୦୮ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ମହାସ୍ନାନ କରାଯାଇଥିଲା।
ସକାଳଧୂପ ନୀତିସମ୍ପନ୍ନ ପରେ ଦିନ ୧୨.୩୦ରେ ଗଜାନନ ବେଶରେ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂରତି।
ଏହି ଦେବସ୍ନାନ ପୂର୍ଣ୍ଣିମାରେ ଠାକୁରମାହାଲ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ବେଳେ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆ, ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ତହସିଲଦାର ଶୁଭଶ୍ରୀ ଜେନା, ଏନଏସି ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡା, ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ, ଅଗ୍ନିଶମ ବାହିନୀ, ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ତେବେ ଏହି ସ୍ନାନପୂର୍ଣ୍ଣିମାରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସ୍ନାନନୀତି ସହ ହାତୀବେଶ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା।
Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ "