Tiger: ଡେବ୍ରିଗଡ଼ରେ ପୁଣି ମହାବଳ ବାଘ, କ୍ୟାମେରା ଟ୍ରାପ୍ରେ ଫଟୋ କଏଦ
ସମ୍ବଲପୁର : ଡେବ୍ରିଗଡ଼ ଅଭୟାରଣ୍ୟ ରେ ପୁଣି ଏକ ମହାବଳ ବାଘ ର ଉପସ୍ଥିତି ଚିହ୍ନଟ ହୋଇଛି।
ଅଭୟାରଣ୍ୟରେ ଲଗାଯାଇଥିବା କ୍ୟାମେରା ଟ୍ରାପ୍ରେ ବାଘର ଫଟୋ କଏଦ ହୋଇଥିବା ବେଳେ ପାଟ୍ରୋଲିଂରେ ନିୟୋଜିତ ବନ କର୍ମଚାରୀମାନେ ମଧ୍ୟ ବାଘଟିକୁ ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି।
ଡେଚୁଆଁ–ଲଖନପୁର ଜଙ୍ଗଲ ଦେଇ ବାଘଟି ଡେବ୍ରିଗଡ଼ ଅଭୟାରଣ୍ୟକୁ ପ୍ରବେଶ କରିଥିବା ଜଣାପଡ଼ିଛି।
ଏନେଇ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍ଓ ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।
Advertisment ତେବେ ବାଘଟି କେଉଁ ଜଙ୍ଗଲରୁ ଆସିଛି, ଏହା ଅଣ୍ଡିରା ନା ମାଈ ଏବଂ ଏହାର ଅନ୍ୟାନ୍ୟ ପରିଚୟ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ଏବଂ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ (ଡବ୍ଲ୍ୟୁଆଇଆଇ) ପକ୍ଷରୁ କ୍ୟାମେରା ଟ୍ରାପ୍ରେ ଉତ୍ତୋଳିତ ଫଟୋର ବିଶ୍ଳେଷଣ କରାଯିବା ପରେ ଏସବୁ ତଥ୍ୟ ଜଣାପଡ଼ିବ ବୋଲି ଡିଏଫ୍ଓ କହିଛନ୍ତି।
ରାତି ସମୟରେ ତିନିସ୍ତରୀୟ ପାଟ୍ରୋଲିଂ ବ୍ୟବସ୍ଥା ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଡେବ୍ରିଗଡ଼ ଅଭୟାରଣ୍ୟରେ ୧୦୦ଟି କ୍ୟାମେରା ଟ୍ରାପ୍ ମୁତୟନ କରାଯାଇଛି।
ଏହା ସହିତ ୨୭ଟି ଦଳ ପ୍ରତିଦିନ ଅଭୟାରଣ୍ୟର ସୀମାବର୍ତ୍ତୀ ଅଞ୍ଚଳ ଓ ଜଙ୍ଗଲ ରାସ୍ତାରେ ପାଟ୍ରୋଲିଂ କରୁଛନ୍ତି।
ରାତି ସମୟରେ ମଧ୍ୟ ତିନିସ୍ତରୀୟ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି।
ପୂର୍ବରୁ ୨୦୨୨ରୁ ୨୦୨୪ ମଧ୍ୟରେ ଏକ ମହାବଳ ବାଘ ପ୍ରାୟ ଦେଢ଼ ବର୍ଷ ଧରି ଡେବ୍ରିଗଡ଼ ଅଭୟାରଣ୍ୟରେ ରହିଥିଲା।
ପରବର୍ତ୍ତୀ ସମୟରେ ଏହି ବାଘଟି ଛତିଶଗଡ଼ର ଗୋମର୍ଦ୍ଦା ଅଭୟାରଣ୍ୟରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲା।
ଏ ସମ୍ପର୍କରେ ମଧ୍ୟ ଡିଏଫ୍ଓ ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି।
ପୂର୍ବ ବାଘର ମୃତ୍ୟୁ ପରେ ଡେବ୍ରିଗଡ଼ରେ ପୁଣି ଏକ ମହାବଳ ବାଘର ଉପସ୍ଥିତି ଚିହ୍ନଟ ହେବା ବନ୍ୟପ୍ରାଣୀ ସଂରକ୍ଷଣ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି।
ତେବେ ନୂଆ ବାଘଟି ଦେବ୍ରିଗଡ଼ରେ କେତେଦିନ ରହିବ ଏବଂ ଏହାର ପରବର୍ତ୍ତୀ ଗତିବିଧି କ'ଣ ରହିବ, ତାହା ଆଗାମୀ ଦିନର ନିରୀକ୍ଷଣରୁ ସ୍ପଷ୍ଟ ହେବ।
Surrender: ଆତ୍ମସମର୍ପଣ କରିବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍.
ଭାସ୍କର ରାଓ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
