There will be ample parking in Infocity: ଇନ୍‌ଫୋସିଟିରେ ହେବ ବହୁତଳ ପାର୍କିଂ: ଜଗତପୁର ଶିଳ୍ପାଞ୍ଚଳ ପାଇଁ ଡ୍ରେନେଜ୍‌ ବ୍ୟବସ୍ଥା

Jul 26, 2026 - 06:04
There will be ample parking in Infocity: ଇନ୍‌ଫୋସିଟିରେ ହେବ ବହୁତଳ ପାର୍କିଂ: ଜଗତପୁର ଶିଳ୍ପାଞ୍ଚଳ ପାଇଁ ଡ୍ରେନେଜ୍‌ ବ୍ୟବସ୍ଥା

"ଭୁବନେଶ୍ବର: ବହୁ ସଂଖ୍ୟାରେ ସୂଚନା ପ୍ରଯୁକ୍ତି (ଆଇଟି) କମ୍ପାନି କାର୍ଯ୍ୟାଳୟ ଥିବା ଇନ୍‌ଫୋସିଟିରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍‌କୋ) ପକ୍ଷରୁ ଏକ ବହୁତଳ କାର୍‌ ପାର୍କିଂ ନିର୍ମାଣ କରାଯିବ।

ଫଳରେ ସେଠାରେ କାର୍ଯ୍ୟ କରୁଥିବା ୩୦ ହଜାରରୁ ଅଧିକ ପ୍ରଫେସନାଲ ଉପକୃତ ହେବେ।

ଅତିରିକ୍ତ ପାର୍କିଂ ସୁବିଧା ପାଇଁ ଇନ୍‌ଫୋସିଟି ଆଖପାଖରେ ମଧ୍ୟ ଇଡ୍‌କୋ ଜମି ସନ୍ଧାନ କରୁଛି।

ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ଇଡ୍‌କୋ ଅଧ୍ୟକ୍ଷା ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଇଡ୍‌କୋରେ ଶିଳ୍ପ ସଂଘର ପ୍ରତିନିଧିମାନଙ୍କ ସହ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment ବୈଠକରୁ ଜଣାପଡ଼ିଛି ଯେ ଜମି ଆବଣ୍ଟନରେ ସ୍ବଚ୍ଛତା ବଜାୟ ରଖିବାକୁ ଏକ ସାର୍ବଜନୀନ ଡିଜିଟାଲ୍‌ ଶିଳ୍ପ ଜମି ବ୍ୟାଙ୍କ ବିକାଶ କରାଯାଉଛି।

ଜମି ଆବଣ୍ଟନ କମିଟିର ଅନୁମୋଦନ ମିଳିବାର ୩୦ ଦିନ ମଧ୍ୟରେ ଜମି ଆବଣ୍ଟନ, ଲିଜ୍‌ କାର୍ଯ୍ୟକାରିତା ଓ ଜମିର ପ୍ରତ୍ୟକ୍ଷ ହସ୍ତାନ୍ତର କାର୍ଯ୍ୟ ଶେଷ କରିବାକୁ ଇଡ୍‌କୋ ଲକ୍ଷ୍ୟ ରଖିଥିବା ବୈଠକରୁ ଜଣାପଡ଼ିଛି।

ଆବଣ୍ଟନ ପତ୍ର ସହିତ ବନ୍ଧକ ଏନ୍‌ଓସି ସ୍ବୟଂକ୍ରିୟ ଭାବେ ମିଳିବ ବୋଲି ଜଣାପଡ଼ିଛି।

ପ୍ରାକ୍‌-ଅନୁମୋଦନ ପାଇଁ ମାନକ ଆଧାରିତ ଶିଳ୍ପ କୋଠା ଡିଜାଇନ ଦାଖଲ କରିବାକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ଶିଳ୍ପ କୋଠା, କାରଖାନା ଓ ଆଇଟି ଓ ତତ୍‌ ସମ୍ପର୍କିତ ସଂସ୍ଥାଗୁଡ଼ିକ ପାଇଁ ଗ୍ରାଉଣ୍ଡ୍‌ କଭରେଜ୍‌ କଟକଣାକୁ କୋହଳ କରାଯାଇଛି।

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଜଳ ଯୋଗାଣ ସମସ୍ୟାର ସମାଧାନ କରାଯାଇଥିବା ବେଳେ କଟକର ଜଗତପୁର ଶିଳ୍ପାଞ୍ଚଳରେ ଡ୍ରେଜେନ୍‌ ବ୍ୟବସ୍ଥା କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ପାଇଁ ପଠାଯାଇଛି।

ଏଥି ସହିତ ଶିଳ୍ପାଞ୍ଚଳଗୁଡ଼ିକରେ ସ୍ମାର୍ଟ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା ମଧ୍ୟ କରାଯାଉଥିବା ଜଣାପଡ଼ିଛି।

ବୈଠକରୁ ଜଣାପଡ଼ିଛି ଯେ ଗତ ଦୁଇ ବର୍ଷରେ ଇଡ୍‌କୋ ଜମି ବ୍ୟାଙ୍କରୁ ବୃହତ୍‌ ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକୁ ୯୩ଟି ପ୍ରକଳ୍ପ ପାଇଁ ୬୦୨୭ ଏକର ଜମି ଆବଣ୍ଟନ କରାଯାଇଛି।

୩୦ଟି ଜିଲ୍ଲାରେ ବହୁ ଉତ୍ପାଦ ବିଶିଷ୍ଟ ଏମ୍ଏସ୍‌ଏମ୍‌ଇ ପାର୍କ ବିକାଶ କରାଯାଉଛି।

ବର୍ତ୍ତମାନ ଇଡ୍‌କୋ ତରଫରୁ ୩,୫୦୦ କୋଟି ଟଙ୍କା ମୂଲ୍ୟର ୧୪୭ଟି ଶିଳ୍ପ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ କରାଯାଉଛି।

ଶିଳ୍ପ ଭିତ୍ତିଭୂମି ବିକାଶ ପାଣ୍ଠି (ଆଇଆଇଡିଏଫ୍‌) ଓ ଏସ୍‌ଏଏସ୍‌ସିଆଇ ସ୍କିମ୍‌ ଅଧୀନରେ ୧୮୭୦ କୋଟି ଟଙ୍କାର ୧୧୭ଟି ପ୍ରକଳ୍ପ କାର୍ଯ୍ୟ ହାତକୁ ନେବା ବିଷୟରେ ବିଚାର କରାଯାଉଛି।

ବର୍ତ୍ତମାନ ଇଡ୍‌କୋ ତରଫରୁ ରାଜ୍ୟରେ ୧୪,୦୯୫ ଏକର ଜମିରେ ଥିବା ୧୫୦ ଶିଳ୍ପାଞ୍ଚଳ ଓ ଏମ୍ଏସ୍‌ଏମ୍ଇ ପାର୍କର ପରିଚାଳନା କରାଯାଉଛି ଯେଉଁଥିରେ ୬,୬୬୧ଟି ଶିଳ୍ପ ସଂସ୍ଥା ରହିଛି।

ବୈଠକରେ ୟୁସିସିଆଇ, ସିଆଇଆଇ, ଫିକି, ଆସୋଚାମ୍‌, ଆଇସିସି, ଓସ୍‌ମି, ଓସିଆ,  ନାସ୍‌କମ୍‌ ଆଦିର ପ୍ରତିନିଧିମାନେ ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।